ମୁମ୍ବାଇ: ସେଲ୍ଫି ନେବାର ସୌକ୍ ବେଳେବେଳେ ଅକାଳ ମୃତ୍ୟୁକୁ ମଧ୍ୟ ନିମନ୍ତ୍ରଣ ଦେଇଥାଏ । ଏହାର ଅନେକ ଉଦାହରଣ ପ୍ରାୟ ପ୍ରତ୍ୟେକ ଦିନ ଦେଖିବାକୁ ମିଳୁଥିବା ବେଳେ କିଛି ଯୁବପୀଢ଼ି ଏହାକୁ ଗୁରୁତ୍ୱର ସହ ଗ୍ରହଣ କରୁନାହାନ୍ତି । ଏହି ଯେପରି ମହାରାଷ୍ଟ୍ରର ପ୍ରବାଳଗଡ଼ ଦୁର୍ଗ (ପ୍ରାୟ ୨ଠଠ ଫୁଟ୍ ଉଚ୍ଚତା) ଉପରେ ଛିଡା ହୋଇ ସେଲ୍ଫି ଉଠାଇବା ବେଳେ ଶୁଭାଙ୍ଗୀ ପଟେଲ ନାମ୍ନୀ ପୁଣେର ଜଣେ ୨୪ ବର୍ଷୀୟା ଯୁବତୀ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲେ । ତୁରନ୍ତ ଉଦ୍ଧାରକାରୀ ଦଳଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଯାଇପାରିନଥିଲା ।
ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ବଞ୍ଚାଇବା ସମ୍ଭବ ହୋଇନଥିବା ଡାକ୍ତରୀ ଦଳ କହିଛନ୍ତି । ପ୍ରକାଶ, ଶୁଭାଙ୍ଗୀ ଗତ ୮ ତାରିଖରେ ୨୭ ବର୍ଷୀୟ ବିନାୟକ ପଟେଲ୍ଙ୍କୁ ବିବାହ କରିଥିଲେ ଏବଂ ହନିମୁନ୍ ପାଇଁ ସେମାନେ ଲୋନାୱାଲା ଯାଇଥିଲେ । ସେଠାରୁ ସେମାନେ ଏଠାକୁ ଆସିଥିଲେ । ମୃତଦେହକୁ ପୋଷ୍ଟମର୍ଟମ କରାଯାଇ ଶୁଭାଙ୍ଗୀଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ବେଳେ ବିନାୟକଙ୍କୁ ପୁଲିସ୍ ଜେରା ଜାରି ରଖିଛି । ଗୁରୁବାର ଅପରାହ୍ନରେ ଘଟିଥିବା ଏହି ଘଟଣାକୁ ପନବେଲ୍ ତାଲୁକ ପୁଲିସ୍ ଦୁର୍ଘଟଣାଜନିତ ମୃତ୍ୟୁ ଭାବେ ପଞ୍ଜିକରଣ କରିଛି ।