ଭୋଗରାଇ : ଭୋଗରାଇ ଥାନା ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ନୟାବଣି ସରିଷା ଗାଁରେ ଜନୈକ ନବବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ହେଲେ ଉକ୍ତ ଗାଁର ନିମାଇଁଚରଣ ସାହୁଙ୍କ ପତ୍ନୀ ତଥା କୁକୁଡିଆ ଗ୍ରାମର କମଳଲୋଚନ ମଣ୍ଡଳଙ୍କ ଝିଅ ନମିତା (୨୨)। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିଲାବେଳେ ମୃତ ମହିଳାଙ୍କ ବାପାଙ୍କ ଲିଖିତ ଅଭିଯୋଗ କ୍ରମେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ପରେ ଶବକୁ ଜବତ କରିବା ସହ ଅଭିଯୁକ୍ତ ସ୍ବାମୀ ନିମାଇଁଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି ।
ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ କହିଛି। ଅଭିଯୋଗ ମୁତାବକ, ବର୍ଷକ ତଳେ ଭୋଗରାଇ ଥାନା ଅନ୍ତର୍ଗତ ନୟାବଣି ସରିଷା ଗାଁର ଶରତ ସାହୁଙ୍କ ପୁଅ ନିମାଇଁ କୁକୁଡ଼ିଆ ଗାଁର କମଳଲୋଚନ ମଣ୍ଡଳଙ୍କ ଝିଅ ନମିତାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ନମିତା ଶାଶୁ ଘରେ ରହୁଥିଲାବେଳେ ରବିବାର ସକାଳ ୧୧ଟା ସମୟରେ ଝିଅର ବାପା ଖବରପାଇଥିଲେ ଯେ,ତାଙ୍କ ଝିଅ ବେକରେ ଶାଢ଼ୀ ଦେଇ ଆତ୍ମହତ୍ୟା କରିଛି । ଖବରପାଇ କମଳଲୋଚନ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ତାଙ୍କ ଝିଅର ମୃତଦେହ ବିଛଣାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହାସହିତ ବେକରେ ଶାଢ଼ୀ ନ ଥିବା ଦେଖି ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରିଥିଲେ।