30.1 C
Bhubaneswar
Saturday, October 5, 2024
Homeଖେଳଆଜି ନ୍ୟୁଜିଲାଣ୍ଡ୍‌-ଭାରତ ପ୍ରଥମ ଟି-୨୦

ଆଜି ନ୍ୟୁଜିଲାଣ୍ଡ୍‌-ଭାରତ ପ୍ରଥମ ଟି-୨୦

ୱେଲିଂଟନ୍ : ଶୁକ୍ରବାରଠାରୁ ଭ୍ରମଣକାରୀ ଭାରତର ନ୍ୟୁଜିଲାଣ୍ଡ୍ ବିପକ୍ଷ ଟି-୨୦ ସିରିଜ୍ ଆରମ୍ଭ ହେଉଛି । ସିରିଜ୍‌ର ପ୍ରଥମ ମ୍ୟାଚ୍‌ଟି ୱେଲିଂଟନ୍‌ଠାରେ ଖେଳାଯିବାକୁ ଥିବା ବେଳେ ଗତ ଟି-୨୦ ବିଶ୍ୱକପ୍‌ରୁ ଖାଲି ହାତରେ ଫେରିବା ପରେ ଭାରତ ଯୁବ ଖେଳାଳିମାନଙ୍କୁ ନେଇ ନୂଆ ପ୍ରାରମ୍ଭ କରିବ । ଗତ ବର୍ଷ ୟୁଏଇରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ରେ ଦଳ ଲିଗ ପର୍ଯ୍ୟାୟରୁ ବିଦାୟ ନେବା ପରେ ଅଷ୍ଟ୍ରେଲିଆ ସଂସ୍କରଣ ସକାଶେ ନିଜର ଆଭିମୁଖ୍ୟ ଓ ଖେଳିବା ଶୈଳୀରେ ଯଥେଷ୍ଟ ପରିବର୍ତ୍ତନ କରିଥିଲା । କିନ୍ତୁ ଦଳର ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍‌ମାନେ ପ୍ରତିପକ୍ଷ ବୋଲରଙ୍କୁ ପ୍ରାରମ୍ଭରୁ ଆକ୍ରମଣ କରିବାରେ ବିଫଳ ରହିଥିଲେ ।

ଫଳସ୍ୱରୂପ ୨୦୧୩ ପରେ କୌଣସି ଆଇସିସି ଟ୍ରଫି ହାସଲ କରିବାର ଅପେକ୍ଷା ଆହୁରି ଲମ୍ବା ହୋଇଛି । ଏବେ ଭାରତକୁ ଦୁଇ ବର୍ଷ ପରର ଇଭେଣ୍ଟ୍ ସକାଶେ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ । ପ୍ରାରମ୍ଭରୁ ପ୍ରତିପକ୍ଷ ବୋଲରଙ୍କୁ ଆକ୍ରମଣ କରିବା ସକାଶେ ଦଳ ପାଖରେ ଯୁବ ଓ ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ଆପଣାଇପାରୁଥିବା ଖେଳାଳିଙ୍କୁ ଚିହ୍ନଟ କରିବା ସକାଶେ ଯଥେଷ୍ଟ ସମୟ ରହିଛି । ୨୦୧୩ ପରେ ପ୍ରଥମ ଆଇସିସି ଟ୍ରଫି ହାସଲ କରିବା ସକାଶେ ଦଳ ୨୦୨୨ ସଂସ୍କରଣର ଚାମ୍ପିଅନ୍ ଇଂଲଣ୍ଡର ପଦାଙ୍କ ଅନୁସରଣ କରିବାର ଆବଶ୍ୟକତା ରହିଛି । ଗତ ବିଶ୍ୱକପ୍‌ରେ ଦଳ ଫେଲ୍ ମାରିବା ପରେ ଟି-୨୦ ଅଧିନାୟକ ଦାୟିତ୍ୱ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦିଆଯିବା ସକାଶେ ଦାବି ଜୋର୍‌ଦାର ହେଉଛି । ତେଣୁ ଦୁଇ ବର୍ଷ ପରେ ବିଶ୍ୱକପ୍‌ରେ ହାର୍ଦ୍ଦିକ ଟିମ୍ ଇଣ୍ଡିଆର ନେତୃତ୍ୱ ନେବାର ଯଥେଷ୍ଟ ସମ୍ଭାବନା ରହିଛି ।

ବଡ଼ ଟୁର୍ଣ୍ଣାମେଣ୍ଟ୍ ପୂର୍ବରୁ ଦ୍ୱିପାକ୍ଷିକ ସିରିଜ୍ ମାଧ୍ୟମରେ ବିସିସିଆଇ ହାର୍ଦ୍ଦିକଙ୍କ ଅଧିନାୟକ ଦାୟିତ୍ୱ ତୁଲାଇବାର ଦକ୍ଷତା ପରଖିବା ପାଇଁ ଉଦ୍ୟମ ଜାରି ରଖିଛି । ଏହି ଅଲ୍‌ରାଉଣ୍ଡର୍‌ଙ୍କୁ ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ସେହିପରି ଅତ୍ୟାଧୁନିକ ଟି-୨୦ ଫର୍ମାଟ୍‌କୁ ସୁହାଇବା ପରି ଖେଳାଳିଙ୍କୁ ସିରିଜ୍‌ରେ ସୁଯୋଗ ଦିଆଯିବ ବୋଲି କାମଚଳା ମୁଖ୍ୟ କୋଚ୍ ଭିଭିଏସ୍ ଲକ୍ଷ୍ମଣ ମଧ୍ୟ ସଙ୍କେତ ଦେଇଛନ୍ତି । ଗତ ବିଶ୍ୱକପ୍‌ରେ ବିରାଟ କୋହଲି ଭଲ ଫର୍ମରେ ଥିଲେ ମଧ୍ୟ ଓପନର ତଥା ଅଧିନାୟକ ରୋହିତ ଶର୍ମା ଓ ଉପଅଧିନାୟକ ଲୋକେଶ ରାହୁଲ୍‌ଙ୍କ ପ୍ରଦର୍ଶନ ସମାଲୋଚନାର କାରଣ ହୋଇଥିଲା । ଏହି ୩ ଖେଳାଳି ଆଉ ଟି-୨୦ରେ ନ ଖେଳିବାର ସମ୍ଭାବନା ରହିଛି । କାରଣ ଟି-୨୦ ଫର୍ମାଟ୍‌ରେ ଭାରତ ଯୁବ ଖେଳାଳିମାନଙ୍କୁ ଏବେଠାରୁ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ।

ସିରିଜ୍‌ରେ ଭାରତର ରଣନୀତି ସମ୍ପର୍କରେ ଆଲୋଚନା କଲେ, ଇଶାନ୍ କିଶନ୍ ଓ ଶୁବମାନ ଗିଲ୍ ଇନିଂସ ଆରମ୍ଭ କରିପାରନ୍ତି । ନଚେତ୍ ଟିମ୍ ମ୍ୟାନେଜ୍‌ମେଣ୍ଟ୍ ଋଷଭ ପନ୍ତ୍‌ଙ୍କୁ ଆଉ ଏକ ସୁଯୋଗ ମଧ୍ୟ ଦେଇପାରେ । ଶୀର୍ଷ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିôବାରୁ ଆଲୋଚ୍ୟ ସିରିଜ୍ ପାଇଁ ବିସିସିଆଇ ଏକ ଦ୍ୱିତୀୟ ଶ୍ରେଣୀ ଦଳ ଚୟନ କରିଛି । କିନ୍ତୁ ଏହା ସତ୍ତ୍ୱେ ବି ଦଳରେ ଅନେକ ଅଭିଜ୍ଞ ଖେଳାଳି ଅଛନ୍ତି । ୪ ବର୍ଷ ତଳେ ନ୍ୟୁଜିଲାଣ୍ଡ୍‌ରେ ଅଣ୍ଡର୍‌-୧୯ ବିଶ୍ୱକପ୍‌ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଗିଲ୍ ଏଠାରେ ଡେବ୍ୟୁ କରିପାରନ୍ତି । କିଶନ୍‌ଙ୍କୁ ଗତ ବର୍ଷକ ମଧ୍ୟରେ ଏକାଧିକ ବାର ପରୀକ୍ଷା କରାଯାଇଥିବା ବେଳେ ବ୍ୟାଟିଂ କ୍ରମରେ ଶୀର୍ଷ ଭାଗରେ ନିଜର ସ୍ଥାନ ପକ୍କା କରିବା ସକାଶେ ତାଙ୍କ ପାଖରେ ଭରପୂର ସୁଯୋଗ ରହିଛି । ସେହିପରି ସଞ୍ଜୁ ସାମ୍‌ସନ୍‌ଙ୍କୁ ପୁଣିଥରେ ସୁଯୋଗ ମିଳିଛି ଓ ସେ ନିଶ୍ଚିତ ଭାବେ ଏହି ସୁଯୋଗର ଭରପୂର ଫାଇଦା ନେବାକୁ ଚାହିଁବେ ।

ବୋଲିଂ ବିଭାଗରେ ମଧ୍ୟଭାଗରେ ଦୁଇ ରିଷ୍ଟ୍ ସ୍ପିନର୍ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ୍ ପୁଣିଥରେ ଏକାଠି ହେବେ । ଗତ ବିଶ୍ୱକପ୍‌ରେ ଇନିଂସର ମଧ୍ୟଭାଗରେ ୱିକେଟ୍ ହାସଲ ନ କରିପାରିବା ଭାରତ ପାଇଁ ସବୁଠାରୁ ବଡ଼ ମୁଣ୍ଡବ୍ୟଥାର କାରଣ ହୋଇଥିବା ବେଳେ କୁଲଦୀପ-ଚହଲ୍ ଆଗାମୀ ସିରିଜ୍‌ରେ ଏହି ସମସ୍ୟା ଦୂର କରିବାର ଆଶା ରହିଛି । ପେସର୍‌ଙ୍କ ମଧ୍ୟରେ ସ୍ପିଡ୍‌ଷ୍ଟର୍ ଉମରାନ୍ ମଲିକଙ୍କ ପାଖରେ ନିଜକୁ ପ୍ରମାଣିତ କରିବାର ସୁଯୋଗ ରହିଛି । ଭୁବନେଶ୍ୱର କୁମାର ଓ ଅର୍ଶଦୀପ ସିଂହ ବୋଲିଂ ଆକ୍ରମଣର ଶୁଭାରମ୍ଭ କରିବା ପରେ ହର୍ଷଲ୍ ପଟେଲ୍ ଓ ମହମ୍ମଦ ସିରାଜ୍‌ଙ୍କୁ ସିରିଜ୍‌ରେ ସୁଯୋଗ ମିଳିପାରେ ।

ଅନ୍ୟପକ୍ଷରେ ଭାରତ ପରି ନ୍ୟୁଜିଲାଣ୍ଡ୍ ମଧ୍ୟ ବିଶ୍ୱକପ୍ ସେମିଫାଇନାଲ୍‌ରେ ପରାସ୍ତ ହୋଇଥିବାରୁ ଆଗାମୀ ସିରିଜ୍ ମାଧ୍ୟମରେ ପ୍ରତ୍ୟାବର୍ତ୍ତନ ପାଇଁ ଲକ୍ଷ୍ୟ ରଖିଛି । ଯୁବ ଖେଳାଳିଙ୍କୁ ଅଧିକ ସୁଯୋଗ ଦେବା ସକାଶେ ଦଳ ଅଭିଜ୍ଞ ପେସର୍ ଟ୍ରେଣ୍ଟ୍ ବୋଲ୍ଟ ଓ ଓପନର ମାର୍ଟିନ୍ ଗପ୍ଟିଲ୍‌ଙ୍କୁ ବିଶ୍ରାମ ଦେଇଛି । ଗପ୍ଟିଲଙ୍କ ଅନୁପସ୍ଥିତିରେ ଡେଭନ୍ କୋନ୍‌ୱେଙ୍କ ସହ ଯୁବ ବ୍ୟାଟ୍ସମ୍ୟାନ୍ ଫିନ୍ ଆଲେନ୍ ଇନିଂସ ଆରମ୍ଭ କରିବେ । ଗତ ବିଶ୍ୱକପ୍‌ରେ ଅଧିନାୟକ କେନ୍ ୱିଲିୟମ୍‌ସନ୍ ଷ୍ଟ୍ରାଇକ୍ ରେଟ୍ ପାଇଁ ସମାଲୋଚିତ ହୋଇଥିବା ବେଳେ ଆଗାମୀ ସିରିଜ୍‌ରେ ସେ ପୁରୁଣା ଫର୍ମକୁ ଫେରିବାକୁ ଉଦ୍ୟମ କରିବେ ।

ସମ୍ଭାବ୍ୟ ଭାରତୀୟ ଏକାଦଶ: ଈଶାନ୍ କିଶନ୍‌, ଶୁବମାନ ଗିଲ୍‌, ଶ୍ରେୟସ୍ ଆୟର୍‌/ସଞ୍ଜୁ ସାମ୍‌ସନ୍‌/ଦୀପକ ହୁଡ୍ଡା, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ୍ (ୱିକେଟ୍‌କିପର୍‌), ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ୱାଶିଂଟନ୍ ସୁନ୍ଦର, ହର୍ଷଲ୍ ପଟେଲ୍‌/ଉମରାନ୍ ମଲିକ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ ଓ ୟୁଜବେନ୍ଦ୍ର ଚହଲ୍ ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ୍ ଏକାଦଶ: ଫିନ୍ ଆଲେନ୍‌, ଡେଭନ୍ କୋନ୍‌ୱେ (ୱିକେଟ୍‌କିପର୍‌), କେନ୍ ୱିଲିୟମ୍‌ସନ୍ (ଅଧିନାୟକ), ଗ୍ଲେନ୍ ଫିଲିପ୍‌ସ, ଡାରିଲ୍ ମିଚେଲ୍‌, ଜେମ୍ସ ନିଶାମ୍‌, ମିଚେଲ୍ ସାଣ୍ଟନର୍‌, ଟିମ୍ ସାଉଦି, ଈଶ୍ ସୋଢ଼ୀ, ଆଡାମ୍ ମିଲ୍‌ନେ ଓ ଲକି ଫର୍ଗୁସନ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking