*ଯୁବବର୍ଗଙ୍କ ପ୍ରଥମ ପସନ୍ଦ ମୋଦିଜୀ: ଅଭିଳାଷ ପଣ୍ଡା*
ରାଜ୍ୟର ୨୫୦ଟି ସ୍ଥାନରେ ଅଢେଇ ଲକ୍ଷ ନୂତନ ଭୋଟରଙ୍କ ସମେତ ଦେଶବ୍ୟାପୀ ୫୦୦୦ଟି ସ୍ଥାନରେ ୫୦ ଲକ୍ଷ ନୂତନ ଭୋଟର ହେଲେ ସାମିଲ
‘ବିଶ୍ୱଗୁରୁ ଭାରତ’ ଗଠନରେ ଯୁବକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ
ନୂତନ ମତଦାତା ସମ୍ମିଳନୀ ‘ପ୍ରଥମ ଥର ଭୋଟର’ଙ୍କୁ ପ୍ରେରଣା ଯୋଗାଇବ
ଭୁବନେଶ୍ୱର : ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶାସନକୁ ଆସିବା ପରେ ଭାରତବର୍ଷ ଦେଶ ତଥା ବିଦେଶରେ ଗୋଟିଏ ପରେ ଗୋଟିଏ ଯୁଗାନ୍ତକାରୀ ଉପଲବ୍ଧତା ହାସଲ କରିଚାଲିଛି । ଏଥି ସହ ମହିଳା, ଯୁବ, କୃଷକ ଓ ଗରୀବଙ୍କ କଲ୍ୟାଣ ଏବଂ ବିକାଶକୁ ପ୍ରାଧାନ୍ୟ ଦେଇ ଅନେକ ଯୋଜନାର ସଫଳ ରୂପାୟନ କରିଛନ୍ତି ମୋଦିଜୀ । ମୋଦି ଗ୍ୟାରେଂଟି ଆଜି ଆସ୍ଥାଭାଜନ ହୋଇଛି । ଭାରତବର୍ଷକୁ ବିଶ୍ୱଗୁରୁ ଭାବେ ଗଢି ତୋଳିବା ପାଇଁ ଏକ ଦକ୍ଷ ସରକାର ଆବଶ୍ୟକ, ଏଥି ପାଇଁ ମୋଦି ସରକାର ନିଷ୍ଠାର ସହ କାର୍ଯ୍ୟରତ । ‘ବିଶ୍ୱଗୁରୁ ଭାରତ’ ଗଠନରେ ଯୁବକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ।
୧୪ତମ ରାଷ୍ଟ୍ରୀୟ ଭୋଟର ଦିବସ ଅବସରରେ ଯୁବମୋର୍ଚ୍ଚା ତରଫରୁ ‘ନମୋ ନବ ମତଦାତା ସମ୍ମିଳନୀ’ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ସମ୍ବୋଧିତ କରିଛନ୍ତି । ଗଣତନ୍ତ୍ରରେ ଭୋଟରଙ୍କ ସକ୍ରିୟ ଅଂଶଗ୍ରହଣକୁ ବଂଚାଇବା ପାଇଁ ନୂତନ ଭୋଟରଙ୍କୁ ନିୟୋଜିତ ଏବଂ ପଞ୍ଜିକରଣ କରିବାକୁ ଏହି ସମ୍ମିଳନୀରେ ଲକ୍ଷ୍ୟ ରଖାଯାଇଛି । ନୂତନ ଭୋଟରମାନଙ୍କୁ ଗଣତନ୍ତ୍ର, ସକ୍ରିୟ ନାଗରିକତ୍ୱ ଓ ଦାୟୀତ୍ୱ, ଦେଶ ଗଠନରେ ଯୁବକଙ୍କ ଭାଗିଦାରୀତା ଆଦି ସଂପର୍କରେ ଅବଗତ କରାଯିବ । ଏକ ଉଜ୍ଜ୍ୱଳ ଭାରତ ଗଠନ ସକାଶେ ‘ପ୍ରଥମ ଥର ଭୋଟର’ଙ୍କୁ ପ୍ରେରଣା ଯୋଗାଇବ, ଯାହାକି ଦେଶରେ ଏକ ସୁଦୃଢ ଗଣତନ୍ତ୍ର ପ୍ରତିଷ୍ଠା କରାଇବାରେ ସହାୟକ ହେବ । ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଦେଶବ୍ୟାପୀ ୫୦୦୦ଟି ସ୍ଥାନରେ ୫୦ ଲକ୍ଷ ନୂତନ ଭୋଟର ସାମିଲ ହୋଇଛନ୍ତି । ଓଡିଶାରେ ଯୁବବର୍ଗଙ୍କ ପ୍ରଥମ ପସନ୍ଦ ହେଉଛନ୍ତି ମୋଦିଜୀ ଏବଂ ମୋଦି ଗ୍ୟାରେଂଟି ଉପରେ ଆସ୍ଥା ପ୍ରକଟ କରି ଓଡିଶାରେ ଡବଲ୍ ଇଞ୍ଜିନ ସରକାର ଗଠନ କରାଇବାରେ ଯୁବବର୍ଗ ନିର୍ଣ୍ଣାୟକ ଭୁମିକା ଗ୍ରହଣ କରିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ରାଜ୍ୟର ୨୫୦ଟି ସ୍ଥାନରେ ଅନୁଷ୍ଠିତ ‘ନମୋ ନବ ମତଦାତା ସମ୍ମିଳନୀ’ରେ ପ୍ରାୟ ଅଢେଇ ଲକ୍ଷ ନୂତନ ଭୋଟର ସାମିଲ ହୋଇଥିଲେ । ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡାଙ୍କ ସମେତ ଯୁବମୋର୍ଚ୍ଚାର ସମସ୍ତ ପଦାଧିକାରୀ ଓ କାର୍ଯ୍ୟକର୍ତାଙ୍କ ସମେତ ଦଳୀୟ ସାଂସଦ, ବିଧାୟକ ଏବଂ ନେତୃବୃନ୍ଦ ବିଭିନ୍ନ ସ୍ଥାନରେ ଉପସ୍ଥିତ ଥିଲେ ।