କାଠମାଣ୍ଡୁ: ନେପାଳର ମୁଖ୍ୟ ବିରୋଧୀ ଦଳ ତଥା ଦେଶର ସବୁଠୁ ବଡ଼ କମ୍ୟୁନିଷ୍ଟ ପାର୍ଟି ସିପିଏନ୍-ୟୁଏମ୍ଏଲ୍ (ସୋସିଆଲିଷ୍ଟ)ରେ ବିଭାଜନ ଘଟିଛି । ବୁଧବାର ଅସୁନ୍ତୁଷ୍ଟ ଗୋଷ୍ଠୀ ନେତା ମାଧବ କୁମାର ନେପାଳ ସିପିଏନ୍-ୟୁଏମ୍ଏଲ୍ (ସୋସିଆଲିଷ୍ଟ) ନାମରେ ଏକ ନୂଆ ରାଜନୈତିକ ଦଳର ପଞ୍ଜିକରଣ ପାଇଁ ନିର୍ବାଚନ ଆୟୋଗଙ୍କ ନିକଟରେ ଆବେଦନ କରିଛନ୍ତି । ରାଜନୈତିକ ଦଳର ବିଭାଜନକୁ ସହଜ କରିବା ପାଇଁ ଆସିଥିବା ଏକ ବିବାଦୀୟ ଅର୍ଡିନାନ୍ସ ସରକାରୀ ମଞ୍ଜୁରୀ ପାଇବା ପରେ ମାଧବ କୁମାର ନେପାଳ ମୂଳ ଦଳରେ ଏହି ବିଭାଜନ ଘଟାଇଛନ୍ତି । ବୁଧବାର ମନ୍ତ୍ରିମଣ୍ଡଳର ସୁପାରିସ୍କ୍ରମେ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଏକ ଅର୍ଡିନାନ୍ସ ମାଧ୍ୟମରେ ରାଜନୈତିକ ଦଳ ଆଇନର ଧାରା ୨୦୭୧ରେ ସଂଶୋଧନ କରି ରାଜନୈତିକ ଦଳର ବିଭାଜନ ପଥକୁ ସୁଗମ କରିଦେଇଥିଲେ । ଏହି ଅର୍ଡିନାନ୍ସ ଅନୁସାରେ ସଂସଦୀୟ ଦଳ ଏବଂ ସେଣ୍ଟ୍ରାଲ୍ କମିଟିର ୨୦ ପ୍ରତିଶତ କିମ୍ବା ଏହାଠାରୁ ଅଧିକ ସଦସ୍ୟ ଚାହିଁଲେ ମୂଳ ଦଳରେ ବିଭାଜନ ଘଟାଇପାରିବେ । ପୂର୍ବରୁ ଏହି ସଂଖ୍ୟା ୪୦ ପ୍ରତିଶତ ଥିଲା । ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କ ସରକାର ମଙ୍ଗଳବାର ଏହି ଅର୍ଡିନାନ୍ସ ଆଣିଥିଲେ । ଏହା ଫଳରେ ଅତିକମ୍ରେ ଦେଶର ଦୁଇଟି ରାଜନୈତିକ ଦଳରେ ବିଭାଜନ ଘଟିବାର ସମ୍ଭାବନା ଦେଖାଦେଇଛି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି ।