ମାଲକାନଗିରି: ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି । ନକ୍ସଲ ସରପଞ୍ଚଙ୍କ ସ୍ୱାମୀଙ୍କୁ ଗୁଳି ହତ୍ୟା କରିଥିବା ଜଣାପଡିଛି । ହତ୍ୟାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୋଲିସ ଇନଫର୍ମର ସନ୍ଦେହରେ ନକ୍ସଲ ହତ୍ୟା କରିଥିବା ଜଣାପଡିଛି । ଗତକାଲି ରାତିରେ ସଶସ୍ତ୍ର ନକ୍ସଲ ବିଜାପୁର ଜିଲ୍ଲାର କୁଟୁର ଥାନା ଅନ୍ତର୍ଗତ ଆଟାବାଲି ଗ୍ରାମରେ ପହଞ୍ଚିଥିଲେ । ଏହି ଗ୍ରାମର ମହିଳା ସରପଞ୍ଚଙ୍କ ସ୍ୱାମୀ ଘନଶ୍ୟାମ ମାଣ୍ଡବିଙ୍କୁ ନକ୍ସଲ ଖୋଜିଥିଲେ । କିନ୍ତୁ ପରେ ସେ ତାଡମେର ଗ୍ରାମକୁ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ଖବର ପାଇବା ପରେ ସେଠାରୁ ତାକୁ ଅପହରଣ କରିନେଇ ଜଙ୍ଗଲରେ ନିର୍ଦ୍ଧୁମ ପିଟିଥିଲେ । ପରେ ଗୁଳି କରି ହତ୍ୟା କରିଥିଲେ । ଗତ ତିନି ଦିନ ହେଲା ନକ୍ସଲ ଏଠାରେ ନିଜର ଉପସ୍ଥିତ ଜାହିର କରି ଆସୁଛନ୍ତି । ଗତକାଲି ଏହି ଅଞ୍ଚଳରେ ନକ୍ସଲ ପୋଷ୍ଟର ଏବଂ ବ୍ୟାନର ମାରି ଭୁମକାଲ ଦିବସ ପାଳନ ନେଇ ଆହ୍ୱାନ କରିଥିଲେ । ଏହି ସମୟରେ ନକ୍ସଲ ହିଂସାତ୍ମକ ହୋଇପଡନ୍ତି । ଏହି ଘଟଣା ପରେ ଏହି ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ପୋଲିସ ଘଟଣା ସଂପର୍କରେ ଅବଗତ ହେବା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରୁଛି । ସୂଚନାଯୋଗ୍ୟ, ଗତ ୨୦୨୧ ମସିହାରେ ୫୦ ଜଣ ନକ୍ସଲଙ୍କୁ ପୋଲିସ ମାରିଥିବା ବେଳେ ୫୫୫ ଜଣ ନକ୍ସଲ ପୋଲିସ ନିକଟରେ ଆତ୍ମସମର୍ପଣ କରିସାରିଲେଣି, ଯାହାଫଳରେ ନକ୍ସଲଲ ଏବେ ସଂଗଠିତ ହେବା ପାଇଁ ଲୋକଙ୍କୁ ଭୟଭିତ କରୁଛନ୍ତି । ସଂଗଠନ ଦୁର୍ବଳ ହେଉଥିବାରୁ ସେଭଳି କିଛି ହୋଇନଥିବା ନେଇ ଲୋକଙ୍କୁ ଏଭଳି ହିଂସା ଘଟାଇ ଅବଗତ କରାଉଥିବା ପୋଲିସ କହିଛି ।