23.1 C
Bhubaneswar
Friday, January 10, 2025
Homeଓଡିଶାମୋଦୀଙ୍କୁ ନବୀନଙ୍କ ଚୂନ !

ମୋଦୀଙ୍କୁ ନବୀନଙ୍କ ଚୂନ !

ଭୁବନେଶ୍ୱର (ବିପିନ ସିଂ): ପୁରୀ ହାୱାଡ଼ା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ୧୮ତାରିଖ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେବା ଅବସରରେ ରଖିଥିବା ତାଙ୍କ ବକ୍ତବ୍ୟକୁ ନେଇ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଯାହା ଉଲ୍ଲେଖ କରିଛନ୍ତି ସେଥିରେ ଗୋଟିଏ ପଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବେଶ୍ ପ୍ରଶଂସା କରିବା ସହ ଆଗାମୀ ନିର୍ବାଚନରେ ସେ ପୁଣି କ୍ଷମତାକୁ ଆସୁଛନ୍ତି ବୋଲି ଜଣାଇବା ସହ ନିଜେ ମଧ୍ୟ ଆସନ୍ତା ନିର୍ବାଚନରେ ଜିତିବେ ବୋଲି ଏକ ପ୍ରକାର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏଥିସହ ମୋଦୀଙ୍କୁ ଚତୁରାତର ସହ ପ୍ରଶଂସା ମାଧ୍ୟମରେ ଚୂନ ଲଗାଇବା ପାଇଁ ପଛାଇ ନଥିବା କଥା ଆଲୋଚନା ହେଉଛି । ମୋଦୀ ଯାହା ପ୍ରତିଶ୍ରୁତି ଦିଅନ୍ତି ତାହା କାର୍ଯ୍ୟକାରୀ କରୁ ନଥିବା କଥା ‘ବୁଲେଟ୍ ଟ୍ରେନ୍‌’ କଥା ଉଠାଇ ପରୋକ୍ଷରେ ସୂଚାଇ ଦେଇଥିବା କୁହାଯାଉଛି ।

ଏବେ ଦେଖାଯାଉଛି ନବୀନ ବେଶ୍ ଚତୁରାତର ସହ ମୋଦୀଙ୍କୁ ରାଜନୈତିକ ବାଣ ମାରିଚାଲିଛନ୍ତି । ସେ ମୋଦୀଙ୍କୁ ସମାଲୋଚନା କରୁଛନ୍ତି ବୋଲି ହଠାତ୍ କେହି ତାଙ୍କ ଭାଷଣକୁ ନେଇ କହିପାରିବେ ନାହିଁ । କିନ୍ତୁ ତାକୁ ତର୍ଯମା କଲେ ତାହା ପଛର ରହସ୍ୟ ଜଣାପଡ଼ିଯାଉଛି । ରାଜନୈତିକ ବିଶେଷଜ୍ଞମାନେ ନବୀନଙ୍କ ଭାଷଣକୁ ତର୍ଜମା କରି ମୋଦୀ ବିରୋଧୀ ମନୋଭାବକୁ ପଦାକୁ ଆଣୁଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ବିପୁଳ ଭୋଟ୍‌ରେ ଜିତିଥିଲା ବେଳେ ସେହି ସମୟରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିକୁ ଶକ୍ତ ଝଟ୍‌କା ଲାଗିଥିଲା । କର୍ଣ୍ଣାଟକରେ ବିଜେପିର ସରକାର ଥିଲା । ଡବଲ ଇଞ୍ଜିନ୍ କଥା ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାରରେ ବାରମ୍ବାର ଦୋହରାଇଥିଲେ । ଏଣୁ ମୁଖ୍ୟମନ୍ତ୍ରା ଝାରସୁଗୁଡ଼ା ନିର୍ବାଚନ ବିଷୟରେ ପ୍ରତିକ୍ରିୟାରେ ବିଜେପିକୁ ଟାର୍ଗେଟ କରିବାକୁ ଯାଇ ଡବଲ ଇଞ୍ଜିନ୍ କଥାକୁ ନେଇ ସମାଲୋଚନା କରିଥିଲେ । ଡବଲ ଇଞ୍ଜିନ୍ କଥା କହିଲେ ହେବନି ଲୋକଙ୍କୁ ସୁଶାସନ ଦରକାର ବୋଲି କହି ବିଜେପିକୁ ବାଣ ମାରିଥିଲେ । ସୁଶାସନ ଦେଇ ନପାରିବାରୁ କର୍ଣ୍ଣାଟକରେ ବିଜେପି ହାରିଲା ବୋଲି ପରୋକ୍ଷରେ ମୋଦୀଙ୍କୁ ଜଣାଇ ଦେଇଥିଲେ ।

ଏବେ ଓଡ଼ିଶାରେ ବନ୍ଦେ ଭାରତ ଟ୍ରେନ୍‌ର ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ ଭିଡିଓ କନ୍‌ଫେରେନ୍ସି ମାଧ୍ୟମରେ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଭିଡିଓ କନ୍‌ଫେରେନ୍ସି ମାଧ୍ୟମରେ ତାଙ୍କର ବକ୍ତବ୍ୟ ଦେଇଥିଲେ । ଓଡ଼ିଶାକୁ କେନ୍ଦ୍ର ସରକାର ବିଭିନ୍ନ ପ୍ରକଳ୍ପ ଦେଇଥିବାରୁ ସେଥି ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ପୁରୀରେ ବିଶ୍ୱ ପ୍ରସିଦ୍ଧ ବିମାନବନ୍ଦର ହେବାକୁ ଯାଉଛି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ସମସ୍ତ ସହଯୋଗ ସେ ଆଶା କରିଥିଲେ । ଏପରିକି କହିଥିଲେ ଆଶନ୍ତା ୩ ରୁ ୪ବର୍ଷ ଭିତରେ ଏହି ପ୍ରକଳ୍ପ ସେ ଶେଷ କରିବେ । ପ୍ରଧାନମନ୍ତ୍ରୀ ଆସି ଏହାକୁ ଉଦ୍‌ଘାଟନ କରିବେ । ଏକଥା କହି ନବୀନ ଜଣାଇଦେଲେ ଯେ ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେଡି କ୍ଷମତାକୁ ଆସିବ ଓ କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିବ ଓ ମୋଦୀ ପ୍ରଧାନମନ୍ତ୍ରୀ ରହିବେ । ଏକଥା ଦର୍ଶାଇ ମୋଦୀଙ୍କର ସେ ଜଣେ ଶୁଭାକାଂକ୍ଷୀ ଭାବେ ବିଜେପି ପୁଣି କ୍ଷମତାକୁ ଆସୁ ବୋଲି ସେ ଚାହୁଁଥିବାର ସୂଚନା ଦେଲେ । ଏକଥା ବି ଜଣାଇ ଦେଲେ ବିଶ୍ୱସ୍ତରୀୟ ବିମାନବନ୍ଦର ପାଇଁ ଯାହା ସବୁ ଆବଶ୍ୟକ କେନ୍ଦ୍ର ସରକାର ସହଯୋଗ କରିବେ । ନଚେତ୍ ସେ ଶେଷରେ କେନ୍ଦ୍ର ସହଯୋଗ କଲାନି ବୋଲି ଦର୍ଶାଇ ପ୍ରଧାମନ୍ତ୍ରୀଙ୍କ ମୁଣ୍ଡରେ ଅଠା ବୋଳି ପାରିବେ ।

ଅନ୍ୟ ପକ୍ଷରେ ବୁଲେଟ୍ ଟ୍ରେନ୍ କଥା ଉଠାଇ ମୋଦୀଙ୍କୁ ନବୀନ ଚୂନ ମାରିଥିବା କଥା ମଧ୍ୟ କୁହାଯାଉଛି । କାରଣ ବୁଲେଟ୍ ଟ୍ରେନ୍ ଚାଲିଲେ ଓଡ଼ିଶାରେ କିଛି ଲାଭ ହେବାର ନାହିଁ । ଏହି ଟ୍ରେନ୍ ଗୁଜୁରାଟ ଓ ବମ୍ବେ ମଧ୍ୟରେ ଯାତାୟତ କରିବ । ଏକଥା ନବୀନ ଉଠାଇବା ପଛରେ କୁହାଯାଉଛି ମୋଦୀଙ୍କୁ ନବୀନ ସୂଚାଇ ଦେଉଛନ୍ତି ଯେ ସେ ଯାହା କୁହନ୍ତି ତାହା କରନ୍ତି ନାହିଁ । ୨୦୧୭ ଅପ୍ରିଲ ୧୪ରେ ବୁଲେଟ୍ ଟ୍ରେନ୍ ନେଇ ପ୍ରଧାନମନ୍ତ୍ରୀ ଶୁଭ ଦେଇଥିଲେ । ୧.୧ ଲକ୍ଷ କୋଟି ଟଙ୍କା ବେୟରେ ଜାପାନ୍ ସହାୟତାରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ୨୦୨୨ରେ ଶେଷ ହେବ ବୋଲି ଆକଳନ କରାଯାଇଥିଲା । ୨୦୨୨ ଅଗଷ୍ଟ ୧୫ରେ ଦେଶ୍ୱ ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଲୋକାର୍ପଣ କରାଯିବାରେ ଲକ୍ଷ ରଖାଯାଇଥିଲା । ଉଦ୍‌ଘାଟନ ସମୟରେ ସେତେବେଳେ ବିଜେପି ପକ୍ଷରୁ ବୋହୁଳ ଭାବେର ପ୍ରଚାର ଓ ପ୍ରସାର କରାଯାଇ ଏକ ବଡ଼ ଧରଣର କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା । ଏହି ଟ୍ରେନ୍ ବର୍ତ୍ତମାନ ସୁଦ୍ଧା ଚାଲୁ ହୋଇନାହିଁ । ଏହା କେବେ ଚାଲୁ ହେବ ତାହା ମଧ୍ୟ ନିର୍ଦ୍ଧିଷ୍ଟ ଭାବରେ ସ୍ଥିର କରାଯାଇ ନାହିଁ । ଏହି ପ୍ରକଳ୍ପକୁ ନେଇ ବିଜେପି ଅଡ଼ୁଆରେ ରହିଛି । ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିବାରୁ ୨୦୨୪ ସାଧାରଣ ନନିର୍ବାଚନ ପୂର୍ବରୁ ଏହି ପ୍ରକଳ୍ପ ଶେଷ ହେବାର କୌଣସି ଆଶା ଦେଖାଯାଉ ନାହିଁ । ଏ କ୍ଷେତ୍ରରେ ପ୍ରସଙ୍ଗ ନଥାଇ ମୁଖ୍ୟମନ୍ତ୍ରୀ ବୁଲେଟ୍ ଟ୍ରେନ୍ କଥା ଉଠାଇ ମୋଦୀଙ୍କୁ ବେଶ୍ ବାଣ ମାରିଥିବା କଥା ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking