28.1 C
Bhubaneswar
Sunday, October 6, 2024
Homeଓଡିଶାଆଜିଠାରୁ ଜାତୀୟ ଜୁନିୟର୍ ଆକ୍ୱାଟିକ୍‌: ଭାଗନେବେ ୮୫୩ ପ୍ରତିଯୋଗୀ

ଆଜିଠାରୁ ଜାତୀୟ ଜୁନିୟର୍ ଆକ୍ୱାଟିକ୍‌: ଭାଗନେବେ ୮୫୩ ପ୍ରତିଯୋଗୀ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଥିବା ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍ କମ୍ପେ୍ଲକ୍ସଠାରେ ଶନିବାରଠାରୁ ୪୮ତମ ଜାତୀୟ ଜୁନିୟର୍ ଆକ୍ୱାଟିକ୍ ଚାମ୍ପିଅନ୍‌ଶିପ୍ ଆରମ୍ଭ ହେବ । ଏହି ୫ଦିନିଆ ଇଭେଣ୍ଟ୍‌ରେ ଓଡ଼ିଶା ସମେତ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୮୫୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଏଥିରେ ଓଡ଼ିଶାର ୨୮ ଜଣ ପ୍ରତିଯୋଗୀ ମଧ୍ୟ ସାମିଲ୍ ଅଛନ୍ତି । ପୂର୍ବାହ୍ଣରୁ ପ୍ରତିଯୋଗିତା ଆରମ୍ଭ ହେବାକୁ ଥିବା ବେଳେ ଅପରାହ୍ଣରେ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉପସ୍ଥିତିରେ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହେବ । ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସକାଶେ ଚାମ୍ପିଅନ୍‌ଶିପ୍‌ରେ କଳାହାଣ୍ଡିରୁ ଆସିଥିବା କଳାକାରମାନେ ଘୁମୁରା ନୃତ୍ୟ ପରିବେଷଣ କରିବେ ।

ସେହିପରି ପ୍ରତିଯୋଗିତାରେ ଭାଗନେବା ସକାଶେ ପ୍ରତିଯୋଗୀ ଓ ଅଫିସିଆଲ୍‌ମାନେ ବିମାନ ଓ ରେଳ ଯୋଗେ ଆସି ରାଜଧାନୀରେ ପହଞ୍ଚିସାରିଛନ୍ତି । ବିଭିନ୍ନ ହୋଟେଲ୍‌, କିଟ୍ ବିଶ୍ୱବିଦ୍ୟାଳୟ ଅତିଥି ଭବନ ଓ ହଷ୍ଟେଲ୍‌ରେ ସେମାନଙ୍କ ରହିବା ବନ୍ଦୋବସ୍ତ କରାଯାଇଛି ।
ପ୍ରତିଯୋଗିତାରେ ସୁଇମିଂ ଓ ୱାଟରପୋଲୋରେ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଥିବା ବେଳେ ଏହା ମାଧ୍ୟମରେ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଭାଗନେବା ସକାଶେ ପ୍ରତିଯୋଗୀମାନେ ଯୋଗ୍ୟତା ହାସଲ କରିପାରିବେ । ଏହାଛଡ଼ା ଆଗାମୀ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ସକାଶେ ମଧ୍ୟ ପ୍ରତିଭାଶାଳୀ ସୁଇମରମାନଙ୍କୁ ଚୟନ କରାଯିବ ବୋଲି ସୁଇମିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏସ୍‌ଏଫ୍‌ଆଇ) ପକ୍ଷରୁ ସୂଚନା ଦିଆଯାଇଛି । ଜୁନିୟର୍ ବର୍ଗରେ କର୍ଣ୍ଣାଟକର ଋଦ୍ଧିମା ବୀରେନ୍ଦ୍ରକୁମାର, ନୀନା ଭେଙ୍କଟେଶ, ସାନଭୀ ରାଓ, ଶୋନ୍ ଗାଙ୍ଗୁଲି, ଉତ୍କର୍ଷ ଏସ. ପାଟିଲ୍‌, ବିଦୀତ୍ ଶଙ୍କର, ସମ୍ଭବ ଆର୍‌’ଙ୍କ ପ୍ରତି ପ୍ରତିଯୋଗୀଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ସେହିପରି ମହାରାଷ୍ଟ୍ରର ବେଦାନ୍ତ ମାଧବନ୍‌, ଅନନ୍ୟ ଯୋଶୀ, ଆର୍ଯ୍ୟନ୍ ଭର୍ନେକର୍‌, ଅପେକ୍ଷା ଫର୍ଣ୍ଣାଣ୍ଡେଜ୍‌, କିଆରା ବାଙ୍ଗେରା, ଉତ୍କର୍ଷ ଗୋର୍‌, ପଲକ୍ ଦାମିନୀ, ତାମିଲନାଡ଼ୁର ବିଶେଶ ପରମେଶ୍ୱର ଓ ଦିଲ୍ଲୀ ଭବ୍ୟା ସଚ୍‌ଦେବା ନିଜ ନିଜ ଇଭେଣ୍ଟ୍‌ରେ ଅନ୍ୟକୁ ମାତ୍ ଦେବା ସକାଶେ ଭରପୂର ଉଦ୍ୟମ କରିବେ । ଆୟୋଜନରେ ସହଯୋଗ କରୁଥିବାରୁ ଏସ୍‌ଏଫ୍‌ଆଇ ମହାସଚିବ ମୋନଲ୍ ଚୋକ୍‌ସୀ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗକୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଯେ କଳିଙ୍ଗ ଷ୍ଟାଡିୟମ୍‌ରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ରହିଛି । କୋଭିଡ୍ ସଂକ୍ରମଣ ପରିପ୍ରେକ୍ଷୀରେ ଉପୁଜିଥିବା ଆହ୍ୱାନମୂଳକ ପରିସ୍ଥିତି ସତ୍ତ୍ୱେ ଏହି ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଥିବାରୁ ଏହା ନିଶ୍ଚିତ ଭାବେ ଏକ ଖୁସିର ଖବର ।

ଏହି ପ୍ରତିଯୋଗିତାରେ ୱାଟରପୋଲୋ ଇଭେଣ୍ଟ୍‌ରେ ୮ଟି ପୁରୁଷ ଓ ୭ଟି ମହିଳା ଦଳ ମଧ୍ୟରେ ଶୀର୍ଷ ୩ ସ୍ଥାନ ସକାଶେ ଲଢ଼େଇ ହେବ । ଏହି ପ୍ରତିଯୋଗିତା ମାଧ୍ୟମରେ ଆଗାମୀ ଏସିଆନ୍ ଗେମ୍ସ ପାଇଁ ମଧ୍ୟ ପ୍ରତିଭା ଚୟନ କରାଯିବ ବୋଲି ଶ୍ରୀ ଚୋକ୍‌ସୀ କହିଛନ୍ତି । ସେହିପରି ଏହି ପ୍ରତିଯୋଗିତା ମାଧ୍ୟମରେ ରାଜ୍ୟରେ ସୁଇମିଂର ବିକାଶ ପାଇଁ ଲକ୍ଷ୍ୟ ରହିଛି । ଏପରି ଜାତୀୟ ସ୍ତରର ପ୍ରତିଯୋଗିତା ରାଜ୍ୟରେ ଆୟୋଜିତ ହେବା ପରେ କୁନି କୁନି ପିଲାମାନଙ୍କ ମଧ୍ୟରେ ସୁଇମିଂ ପ୍ରତି ଆଗ୍ରହ ବଢ଼ିବ ବୋଲି କ୍ରୀଡ଼ା ବିଭାଗ ନିର୍ଦ୍ଦେଶକ ଆର. ଭିନୀଲ୍ କ୍ରିଷ୍ଣା ଆଶା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking