ନୂଆଦିଲ୍ଲୀ: ନାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମଙ୍ଗଳବାର ଦ୍ୱିତୀୟ ଥର ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦୀର୍ଘ ୬ ଘଣ୍ଟା ଜେରା କରାଯାଇଛି । ଜୁଲାଇ ୧୮ରେ ତାଙ୍କୁ ମାତ୍ର ୩ ଘଣ୍ଟା ଜେରା କରାଯାଇଥିବାବେଳେ ସୋନିଆଙ୍କ ଅନୁରୋଧକ୍ରମେ ଜେରା କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା । ଆସନ୍ତାକାଲି ଅର୍ଥାତ ବୁଧବାର ମଧ୍ୟ ସୋନିଆଙ୍କୁ ଜେରା କରାଯିବ ବୋଲି ଇଡି ସୂତ୍ରରୁ ଜଣାପଡିଛି । ମଙ୍ଗଳବାର ପୁତ୍ର ରାହୁଲ ଓ କନ୍ୟା ପ୍ରିୟଙ୍କାଙ୍କ ଗହଣରେ ସୋନିଆ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ । ତେବେ ମାଆଙ୍କୁ ଇଡି କାର୍ଯ୍ୟାଳୟରେ ପହଞ୍ଚାଇବାପରେ ରାହୁଲ କଂଗ୍ରେସ ପକ୍ଷରୁ ଆହୂତ ବିକ୍ଷୋଭରେ ସାମିଲ ହେବାକୁ ବିଜୟ ଚୌକରେ ପହଞ୍ଚିଥିଲେ । ସୋନିଆଙ୍କ ଜନପଥସ୍ଥିତ ବାସଭବନରୁ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ରାହୁଲଙ୍କ ସମେତ ଏକାଧିକ କଂଗ୍ରେସ ନେତାଙ୍କୁ ପୁଲିସ ବାଟରେ ଅଟକାଇଥିବାବେଳେ ରାହୁଲ ଏହାର ପ୍ରତିବାଦ କରିଥିଲେ । ଏପରିକି ପୁଲିସ କାର୍ଯ୍ୟାନୁଷ୍ଠାନରେ କେତେକ କଂଗ୍ରେସ ନେତା ଆହତ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ସୋନିଆଙ୍କୁ ଜେରା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଦେଶଣ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ପୂର୍ବରୁ ଏହି ମାମଲାରେ ରାହୁଲଙ୍କୁ ମାରାଥନ ଜେରା କରାଯାଇସାରିଛି ।