କୋଦଳା : ସଂଘବଦ୍ଧ ଭାବେ ୮ ରୁ ୧୦ ଜଣ ବ୍ୟକ୍ତି ଜଣେ ବ୍ୟକ୍ତିଙ୍କୁ ପିଟିପଟି ମାରିଦେଲେ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କାଳିମେଘି ପଞ୍ଚାୟତର ନିତ୍ୟାନନ୍ଦପୁର କଲୋନୀରେ। ମୁମୁର୍ଷୁ ଅବସ୍ଥାରେ ଯୁବକଙ୍କ କୋଦଳା ହସ୍ପିଟାଲରେ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଟୁଟୁ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ସୋମବାର ରାତିରେ ୮ ରୁ ୧୦ ଜଣ ବ୍ୟକ୍ତି ମିଶି ଘରେ ପଶି ଟୁଟୁ ଓ ତାଙ୍କ ସ୍ତ୍ରୀ କୁଂ ମାଡ ମାରି ଚାଲି ଆସିଥିଲେ। ମଂଗଳବାର ସକାଳେ ପୁଣି ବିଚ୍ ରାସ୍ତାରେ ଟୁଟୁଙ୍କୁ ମାଡ ମାରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ ସେହି ବ୍ୟକ୍ତିମାନେ। ମାଡ଼ ଖାଇ ଲହୁଲୁହାଣ ହୋଇ ମୁମୁର୍ଷୁ ଅବସ୍ଥାରେ ପଡିଥିବା ବେଳେ ଟୁଟୁଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଟୁଟୁଙ୍କ ଘର ନିତ୍ୟାନନ୍ଦପୁର କଲୋନୀରେ ଏବଂ ଲଛିପୁର ଗ୍ରାମର ଜିତୁ ନାମକ ଜଣେ ଯୁବକ ଓ ତାର ସହଯୋଗୀ ମାନେ ମିଶି ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ କରିଛନ୍ତି ଟୁଟୁଙ୍କ ସ୍ତ୍ରୀ। ମୃତ ଟୁଟୁ ନାୟକ ର ତିନୋଟି ଝିଅ ଥିବାବେଳେ ଗୋଟିଏ ପୁଅ ରହିଥିବା ଜଣାପଡ଼ିଛି। ତେବେ ଏଭଳି ସଂଘବଦ୍ଧ ହତ୍ଯା ପଛରେ ଅସଲ କାରଣ କଣ ତାହା ଜଣାପଡ଼ିନଥିବା ବେଳେ ଏନେଇ ଟୁଟୁଙ୍କ ସ୍ତ୍ରୀ କୋଦଳା ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ କୋଦଳା ଥାନା ପୋଲିସ ତଦନ୍ତ ଜାରି ରଖିଛି ଏବଂ ତଦନ୍ତ ପରେ ହିଁ ହତ୍ଯାକାଣ୍ଡ ଉପରୁ ପରଦା ହଟିବ ବୋଲି କହିଛନ୍ତି କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ।