ତେଲେଙ୍ଗାନା: ତେଲେଙ୍ଗାନାରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି । ରାଜ୍ୟର ବିକାରାବାଦ ଜିଲ୍ଲାରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି । କିଛି ଅଜଣା ଦୁର୍ବୃତ୍ତ ଯୁବତୀଙ୍କ ଆଖିରେ ପେଚକସ୍ ଫୁଟାଇ ତାଙ୍କ ବେକକୁ ବ୍ଲେଡ୍ରେ କାଟି ଦେଇଛନ୍ତି । ପୋଲିସ ଯୁବତୀଙ୍କ ମୃତଦେହକୁ ଏକ ପୋଖରୀରୁ ଜବତ କରିଛି । ପୋଲିସ ସୂଚନା ମୁତାବକ, ମୃତ ଯୁବତୀଙ୍କ ନାମ ଜୁଟୁ ସିରିଶା । ସେ ଜୁନ୍ ୧୦ ତାରିଖ ରାତି ପ୍ରାୟ ୧୧ଟାରେ ଘରୁ ବାହାରିଥିଲେ । ଏହାର କିଛି ସମୟ ପରେ ସ୍ଥାନୀୟ ଲୋକମାନେ ନିକଟସ୍ଥ ଏକ ପୋଖରୀରେ ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ।
ଏହାପରେ ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପ୍ରାଥମିକ ଯାଞ୍ଚରୁ ପୋଲିସ ଜାଣିବାକୁ ପାଇଛି ଯେ ଆଖିରେ ଗୁରୁତର ଆଘାତ ଲାଗିବା ସହ ଯୁବତୀଙ୍କ ବେକ କଟା ହୋଇଛି । ହାତରେ ମଧ୍ୟ କ୍ଷତ ଚିହ୍ନ ରହିଛି । ୧୯ ବର୍ଷୀୟା ଯୁବତୀ ହସ୍ପିଟାଲରେ କାମ କରୁଥିଲେ ଏବଂ ଜୁନ୍ ୧୦ ରାତିରେ ସେ ଘରୁ କାହାକୁ କିଛି ନ କହି ବାହାରି ଆସିଥିଲେ । ଯେତେବେଳେ ତାଙ୍କ ବାପା ଝିଅକୁ ଖୋଜାଖୋଜି ଆରମ୍ଭ କରିଥିଲେ ତାଙ୍କର କୌଣସି ପତ୍ତା ମିଳି ନ ଥିଲା । ପରେ ସ୍ଥାନୀୟ ଲୋକେ ଯୁବତୀଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଏହି ଘଟଣାରେ ପୋଲିସ ତଦନ୍ତ କରୁଛି । ତଦନ୍ତ ପରେ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିବ ।