ନୂଆଦିଲ୍ଲୀ: ୨୦୦୮ ମୁମ୍ବାଇ ଆତଙ୍କୀ ଆକ୍ରମଣର ଅଭିଯୁକ୍ତ ପାକିସ୍ତାନୀ ବଂଶୋଦ୍ଭବ କାନାଡ଼ା ବ୍ୟବସାୟୀ ତହଉର ରାଣାକୁ ଭାରତ ପ୍ରତ୍ୟର୍ପଣ କରାଯାଇପାରେ । ୬୨ ବର୍ଷୀୟ ତହଽୁର ଏବେ ଆମେରିକୀୟ ଜେଲ୍ରେ ଅଛି । ଲସ୍ ଏଞ୍ଜେଲ୍ସ ଜିଲ୍ଲା କୋର୍ଟ ମେ’ ୧୬ ଆଦେଶରେ କହିଛନ୍ତି ଯେଉଁ ଅଭିଯୋଗକୁ ଆଧାର କରି ଭାରତ ତହଉରର ପ୍ରତ୍ୟର୍ପଣ ଦାବି କରିଛି, ତାକୁ ଦୃଷ୍ଟିରେ ରଖି ପ୍ରତ୍ୟର୍ପଣକୁ ଅନୁମତି ଦିଆଯାଇପାରେ ।
କୋର୍ଟଙ୍କ ୪୮ ପୃଷ୍ଠାର ଆଦେଶରେ ମୁମ୍ବାଇ ଆତଙ୍କୀ ଆକ୍ରମଣରେ ତହଉର ରାଣାର ଭୂମିକା ସ୍ପଷ୍ଟ ହୋଇଛି । କୋର୍ଟ ଆଦେଶ ଡକ୍ୟୁମେଣ୍ଟ୍ ଅନୁସାରେ ମୁମ୍ବାଇ ଆକ୍ରମଣ ପରେ ରାଣା ବେଫିକର୍ ହୋଇଯାଇଥିଲା । ସେ ଚାହୁଁଥିଲା ଲସ୍କର-ଏ-ତୋଇବା ଆତଙ୍କୀଙ୍କୁ ପାକିସ୍ତାନର ସର୍ବୋଚ୍ଚ ସୈନ୍ୟ ସମ୍ମାନ ଦିଆଯାଉ ।
ମୁମ୍ବାଇ ଆତଙ୍କୀ ଆକ୍ରମଣ ମାମଲାରେ ନାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି (ଏନ୍ଆଇଏ) ତହଉର୍ର ପୂରା ଭୂମିକା ସମ୍ପର୍କରେ ଛାନ୍ଭିନ୍ କରୁଛି । ତହଉର୍ ମୁମ୍ବାଇ ଆକ୍ରମଣରେ ସମ୍ପୃକ୍ତ ଆତଙ୍କୀଙ୍କୁ ସହାୟତା ପ୍ରଦାନ କରିଥିଲା । ଏହି କାରଣରୁ ଭାରତ ତା’ର ପ୍ରତ୍ୟର୍ପଣ ଦାବି କରିଥିଲା । ଭାରତର ଦାବି ପରେ ତାକୁ ୨୦୨୦ରେ ଆମେରିକାରେ ଗିରଫ କରାଯାଇଥିଲା ।