ମୁମ୍ବାଇ : ମୁମ୍ବାଇରେ ପୁଣି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି । ୧୬ ବର୍ଷ ନାବାଳକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛି । ଆତ୍ମହତ୍ୟାର କାରଣ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପାଠ କିମ୍ବା ପରୀକ୍ଷାରେ ଫେଲ୍ ହେବା ଯୋଗୁଁ ନୁହେଁ ବରଂ ଖେଳିବାକୁ ମନା କରାଯିବାରୁ ପିଲାଟି ଏପରି ନିଷ୍ପତ୍ତି ନେଇଛି । ମୋବାଇଲରେ ଗେମ୍ ଖେଳିବା ପାଇଁ ମା’ ମନା କରିବାରୁ ପିଲାଟି ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛି । ଘଟଣାରେ ମୁମ୍ବାଇର ଜିଆରପି ମାମଲା ଦାୟର କରି ଯାଞ୍ଚ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ୭ଟାରେ ଓମ ଭରତ ନାମକ ପିଲା ଘରେ ବସି ମୋବାଇଲରେ ଗେମ୍ ଖେଳୁଥିଲା । ସେହିସମୟରେ ମା’ ଆସି ପିଲା ହାତରେ ମୋବାଇଲ ଫୋନ ଛଡାଇ ନେବା ପରେ ପଢ଼ିବାକୁ କହିଥିଲେ । ଏହା ପରେ ରାଗରେ ଆସି ଓମ ଭରତ ସୁଇସାଇଟ୍ ନୋଟ୍ ଲେଖି ଘରୁ କେଉଁଆଡେ ପଳାଇ ଯାଇଥିଲେ । କିଛି ସମୟରେ ଓମଙ୍କ ମା’ ଆସି ଦେଖିବା ବେଳକୁ ଖଟ ଉପରେ ଚିଠି ପଡିଥିବା ଦେଖିବାକୁ ପାଇଥିଲେ ।
ଆଉ ସେଥିରେ ଲେଖାଥିଲା, ମୁଁ ଆତ୍ମହତ୍ୟା କରିବାକୁ ଯାଉଛି, ଆଉ କେବେ ବି ଆସିବିନି । ଚିଠିଟି ପାଇବା ପରେ ମା’ ସଙ୍ଗେ ସଙ୍ଗେ ସ୍ଥାନୀୟ ପୋଲିସ ଷ୍ଟେସନରେ ସୂଚନା ଦେଇଥିଲେ । ତା’ ପରେ ପୋଲିସ ପିଲାଟିକୁ ଖୋଜିବା ଆରମ୍ଭ କରିଥିଲେ । ପିଲାଟି ମଲାଡ ଏବଂ କାନ୍ଦିବଲ୍ଲୀ ଷ୍ଟେସନ ମଧ୍ୟରେ ଆତ୍ମହତ୍ୟା କରିଥିବା ସୂଚନା ପୋଲିସକୁ ମିଳିଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଓମ ଭରତଙ୍କ ଶବ ମିଳିଥିଲା । ସୂଚନାଯୋଗ୍ୟ, ଗତଦୁଇଦିନ ତଳେ ଏମିତି ଘଟଣା ଦେଖିବାକୁ ମିଳିଥିଲା । ପବଜୀ ଖେଳିବାକୁ ମା’ ବାରଣ କରିବାରୁ ଜୀବନରୁ ମାରିଦେଲା ପୁଅ । ଯମୁନାପୁରମ କେଲାନୀରେ ଏଭଳି ଏକ ଭୟଙ୍କର ଘଟଣା ଘଟିଥିଲା । ଘରେ ଭିତରେ ମା’କୁ ମାରି ୩ ଦିନ ପର୍ଯ୍ୟନ୍ତ ରଖିଥିଲା ପୁଅ । ଆଉ ମା’ ଶବରୁ ଗନ୍ଧ ନ ବାହାରୁ ତେଣୁ ରୁମ୍ ଫ୍ରେସନର ପକାଉଥିଲା । ମା’କୁ ମାରିବା ପରେ ଭଉଣୀକୁ ଧମକାଇ ଅଲଗା ଏକ ରୁମରେ ବନ୍ଦ କରିଦେଇଥିଲା । କିନ୍ତୁ ନିଜେ ମା’ ଶବ ସହିତ ଘରେ ଦୁଇଦିନ ଯାଏଁ ବନ୍ଦ ରହିଥିଲା । ଆଉ ଶବରୁ ଦୁର୍ଗନ୍ଧ ନ ବାହାରିବା ପରେ ରୁମ୍ ଫ୍ରେସନର ପକାଇଥିଲା । ଦୁଇଦିନ ପରେ ଘରୁ ଦୁର୍ଗନ୍ଧ ଆସିବାରୁ ପଡୋଶୀ ପୋଲିସରେ ଫୋନ କରି ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଘଟଣା ବିଷୟରେ ଜାଣିବାକୁ ପାଇଥିଲା ।