ଧୂଷୁରୀ : ଘରୋଇ କଳିକୁ କେନ୍ଦ୍ରକରି ଜଣେ ମହିଳାଙ୍କୁ ବାନ୍ଧି ନିସ୍ତୁକ ପିଟିବା ଗୋଟିଏ ପରିବାରକୁ ମହଙ୍ଗା ପଡ଼ିଛି । ଏହି ଘଟଣାରେ ମା’,ପୁଅ ଏବଂ ବୋହୂକୁ ଧୂଷୁରୀ ପୁଲିସ ଗିରଫ କରିଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ଅର୍ଜୁନପୁର ଅଞ୍ଚଳର ରତିକାନ୍ତ ରାଉତରାୟ(୬୦) ସେହି ଅଞ୍ଚଳର ସସ୍ମିତା(୩୬) ନାମ୍ନୀ ଜଣେ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ରତିକାନ୍ତଙ୍କର ପ୍ରଥମ ପତ୍ନୀ ଓ ଘରପରିବାର ଥିବାରୁ ଏହାକୁ ପରିବାର ଲୋକ ସହଜରେ ଗ୍ରହଣ କରିନଥିଲେ । କିଛିଦିନ ତଳେ ରତିକାନ୍ତଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ପୁଲିସ ମାମଲା ହେବା ପରେ ଏହା ଅଦାଲତରେ ସମାଧାନ ହୋଇଥିଲା । ତେବେ ଘର ଭାଗ ହେବାକୁ ନେଇ ପରସ୍ପର ଅସନ୍ତୋଷ ସୃଷ୍ଟି ହୋଇଥିଲା । ପୂର୍ବ ବିବାଦକୁ ନେଇ ଗତକାଲି ରତିକାନ୍ତଙ୍କ ଦ୍ୱିତୀୟ ସ୍ତ୍ରୀ ସସ୍ମିତା ପ୍ରଥମ ସ୍ତ୍ରୀ ଏବଂ ତାଙ୍କ ପରିବାରକୁ ଗାଳିଗୁଲଜ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରତିକାନ୍ତଙ୍କ ପ୍ରଥମ ସଂସାରର ସ୍ତ୍ରୀ, ପୁଅ ଓ ବୋହୂ ମିଶି ସସ୍ମିତାଙ୍କୁ ଘର ଆଗରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ଗାଁ’ ଦାଣ୍ଡରେ ଜଣେ ମହିଳାଙ୍କୁ ଉଲଗ୍ନ କରି ଅମାନୁଷିକ ଭାବେ ମାଡ଼ ମରାଯିବା ବିଷୟରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଧୂଷୁରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଗୋଡ଼ରେ ପଥର ପକାଇ ବିଦ୍ୟୁତ୍ ଖୁଣ୍ଟରେ ବନ୍ଧା ହୋଇଥିବା ସସ୍ମିତାଙ୍କୁ ପୁଲିସ ଉଦ୍ଧାର କରିବା ସହ ଏକ ମାମଲା ରୁଜୁକରି ଆକ୍ରମଣକାରୀ ଅଭିଯୁକ୍ତ ରତିକାନ୍ତଙ୍କ ପ୍ରଥମ ସ୍ତ୍ରୀ ମନୋରମା ରାଉତରାୟ(୫୧), ପୁଅ ପ୍ରିୟବ୍ରତ ରାଉତରାୟ(୩୩) ଏବଂ ବୋହୂ ନନ୍ଦିନୀ ରାଉତରାୟ(୩୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।