ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୧୨୩ ଜଣ ବ୍ୟକ୍ତିଙ୍କ ମୃତଦେହକୁ ଏମ୍ସରେ ସଂରକ୍ଷିତ ରଖାଯାଇଥିଲା । ସେଥିରୁ ୬୧ଟି ମୃତଦେହ ହସ୍ତାନ୍ତର ହୋଇଥିବାବେଳେ ଆଉ ୬୨ଟି ମୃତଦେହ ରଖାଯାଇଛି । ସେଥିରୁ ୧୬ଟି ମୃତଦେହର ଚିହ୍ନଟ ପ୍ରକ୍ରିୟା ଚାଲିଛି । ଏହା ଶୀଘ୍ର ସରିବ ଓ ପରିଜନଙ୍କୁ ହସ୍ତାନ୍ତର କରାଯିବ । କୌଣସି ମୃତଦେହ ଚିହ୍ନଟ ନେଇ ଦ୍ୱନ୍ଦ୍ୱ ଉପୁଜିଲେ ମୃତଦେହର ଡିଏନ୍ଏ ଟେଷ୍ଟ କରାଯିବ ।
ଏପରି ସମୟରେ ସହଯୋଗ କରିବାକୁ ବାହାର ରାଜ୍ୟରେ ଥିବା ଏମ୍ସର ବିଶେଷଜ୍ଞମାନେ ଏଠାରେ ପହଞ୍ଚିଛନ୍ତି । ତେବେ ଏତେ ପରିମାଣର ମୃତଦେହ ସଂରକ୍ଷିତ ରଖିବାର ବ୍ୟବସ୍ଥା ନ ଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜରୁରୀକାଳୀନ ଭିତ୍ତିରେ ଏହି ପଦକ୍ଷେପ ନିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସହଯୋଗକ୍ରମେ ୧୦୦ରୁ ଅଧିକ ଅଧିକାରୀ ନିୟୋଜିତ ହୋଇ ବାଲେଶ୍ୱରରୁ ଆସିଥିବା ମୃତଦେହକୁ ସଂରକ୍ଷଣ କରିବାର ବ୍ୟବସ୍ଥା କରିଛନ୍ତି । ଯେଉଁ ମୃତଦେହକୁ କେହି ନନେଲେ ତାହାକୁ ସଂସ୍କାର ନିମନ୍ତେ ବ୍ୟବସ୍ଥା କରାଯିବ ବୋଲି ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଶ ବିଶ୍ୱାସ ସୂଚନା ଦେଇଛନ୍ତି ।
ଆୟୋଜିତ ଏକ ସାମ୍ବାଦିକ ସମ୍ମୀଳନୀରେ ଡ. ବିଶ୍ୱାସ କହିଛନ୍ତି ଯେ ମୃତଦେହଗୁଡ଼ିକ କ୍ଷତବିକ୍ଷତ ଓ ଅତିବୀଭତ୍ସ ଅବସ୍ଥାରେ ପହଞ୍ଚିଛି । ଏହାକୁ ସବାଗାର ଏବଂ ଆନାଟୋମି ବିଭାଗରେ ରଖାଯାଇଛି । ଏହାକୁ ସଂରକ୍ଷିତ କରି ରଖିବା ଏମ୍ସ ପାଇଁ ଚ୍ୟାଲେଞ୍ଜିଂ ହୋଇଛି । ତେବେ ଏହି ସବୁ ମୃତଦେହ କଣ୍ଟେନରରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଶବ ସଂରକ୍ଷଣ ପାଇଁ ଏମ୍ସରେ ସମସ୍ତ ପ୍ରକାରର ବୈଜ୍ଞାନିକ ବ୍ୟବସ୍ଥା କରାଯାଇଛି । ୨୪ ଘଣ୍ଟା ଫରେନ୍ସିକ୍ ଲ୍ୟାବ ଖୋଲା ରଖାଯାଇଛି । ବହୁ ଅନୁଷ୍ଠାନର ବିଶେଷଜ୍ଞମାନେ ମୃତଦେହକୁ ସଂରକ୍ଷଣ କାମରେ ନିୟୋଜିତ ଅଛନ୍ତି । ବିଶେଷକରି ମୃତଦେହ ସଂରକ୍ଷଣ ପାଇଁ ଏଠାରେ ଡିପ୍ଫ୍ରିଜ୍ ଅଭାବ ରହିଛି । ତେଣୁ ଶବ ସଂରକ୍ଷଣ ପାଇଁ ପାରାଦୀପରୁ ୫ଟି କଣ୍ଟେନର ଆଣାଯାଇଛି ।
ପ୍ରତି କଣ୍ଟେନରରେ ୪୦ରୁ ୫୦ ମୃତଦେହ ଦୁଇମାସ ପର୍ଯ୍ୟନ୍ତ ସଂରକ୍ଷିତ ରଖାଯାଇପାରିବ । ଯେହେତୁ ଏମ୍ସରେ ଥିବା ଡିପିଫ୍ରିଜ୍ ଓ କୋଲ୍ଡ ଷ୍ଟୋରେଜ୍ରେ ବହୁଦିନ ମୃତଦେହ ରଖିବା ସମ୍ଭବ ନୁହେଁ ତେଣୁ ଏହି ଜରୁରୀ ପଦକ୍ଷେପ ନିଆଯାଇଛି । ସେହିପରି ଦୁର୍ଘଟଣାରେ ଶିକାର ହୋଇ ୨ଜଣ ବ୍ୟକ୍ତି ଏଠାରେ ଚିକିତ୍ସିତ ହେଉଛନ୍ତି । ଯେପରି କୌଣସି ସମସ୍ୟା ନହେବ ଏବଂ ପ୍ରତ୍ୟେକ କାର୍ଯ୍ୟ ସୁଚାର ରୂପେ ସମ୍ପାଦନ ହୋଇପାରିବ ସେଥିଲାଗି ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଡିଏମ୍ଆର୍ ରିଙ୍କେଶ ରାଏ ଏବଂ ଏମ୍ସର ସଭାପତି ଡ.ଏକେ ବିଶୋଇ ଉପସ୍ଥିତ ରହିଥିଲେ ।