ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଗୁଜରାଟର ଅହମ୍ମଦାବାଦରେ ଏକ ମେଗା ରୋଡ୍ ଶୋ’ କରିଛନ୍ତି । ଏହି ରୋଡ୍ ଶୋ’ ଭାରତୀୟ ରାଜନୀତିରେ କୌଣସି ନେତାଙ୍କ ଦ୍ୱାରା ଗୁଜରାଟରେ କରାଯାଇଥିବା ସବୁଠୁ ଲମ୍ବା ରୋଡ୍ ଶୋ’ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଶୋ’ ଅବସରରେ ଯେଉଁ ଅଞ୍ଚଳରେ ଦେଇ ଯାତ୍ରା କରିଥିଲେ ସେଠାରେ ମତଦାନ ପାଇଁ କେବଳ ଚାରିଦିନ ବାକି ଅଛି । ଗୁଜରାଟ ବିଧାନସଭା ନିର୍ବାଚନ ବିଜେପି ପାଇଁ ପ୍ରତିଷ୍ଠାର ଲଢ଼େଇ ଭାବେ ଦେଖାଯାଉଛି । କାରଣ ପାର୍ଟିର ଦୁଇ ପ୍ରମୁଖ ନେତା ଏହି ରାଜ୍ୟର । ପାର୍ଟି ରାଜ୍ୟରେ ସପ୍ତମ ଥର ପାଇଁ କ୍ଷମତାସୀନ ହେବା ଉଦ୍ଦେଶ୍ୟରେ ନିର୍ବାଚନ ପ୍ରଚାର ଚଳାଇଛି ଏବଂ ବିରୋଧୀଙ୍କୁ ପଛରେ ପକାଇବା ନିମନ୍ତେ ସମସ୍ତ ପ୍ରକାର ଉପାୟ ଅବଲମ୍ବନ କରୁଛି । ରାଜ୍ୟରେ ବିଜେପି ୧୯୯୫ରୁ ସରକାରରେ ରହିଆସିଛି । ଗୋଧ୍ରାରେ ସାବରମତୀ ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ ପରେ ୨୦୦୨ରେ ଘଟିଥିବା ଦଙ୍ଗାର ଅନ୍ୟତମ କେନ୍ଦ୍ର ଥିବା ନରୋଦା ଗ୍ରାମରୁ ଆଜି ମୋଦୀଙ୍କ ଏହି ୫୦ କିମି ରୋଡ୍ ଶୋ’ ଆରମ୍ଭ ହୋଇଥିଲା । ଏଠାରୁ ରୋଡ୍ ଶୋ’ ଆରମ୍ଭ କରିବାକୁ ଅତୀତକୁ ଭୁଲାଇବା ଉଦ୍ୟମ ଭାବେ ଦେଖାଯାଉଛି । ରୋଡ୍ ଶୋ’ ଡକ୍କରବପାନଗର, ବାପୁନଗର, ନିକୋଲ, ଅମରାଈବାଡ଼ି, ମଣିନଗର, ଦାନିଲିମ୍ବାଡ଼ା, ଜମାଲପୁର ଖଡ଼ିଆ, ଏଲିସ୍ବ୍ରିଜ୍, ବେଜଲପୁର, ଘାଟଲୋଡ଼ିୟା, ନାରନପୁର ଏବଂ ସାବରମତୀ ସହିତ ୧୬ ବିଧାନସଭା ଆସନ ହୋଇ ଗାନ୍ଧୀନଗର ଦକ୍ଷିଣରେ ଶେଷ ହୋଇଛି । ଏହି ମାର୍ଗକୁ ଅତିକ୍ରମ କରିବାକୁ ମୋଦୀଙ୍କ ରୋଡ୍ ଶୋ’କୁ ପ୍ରାୟ ୪ ଘଣ୍ଟା ଲାଗିଥିଲା । ମୋଦୀଙ୍କ ଏହି ରୋଡ୍ ଶୋ’ ଚଳିତ ନିର୍ବାଚନରେ ବିଜେପିର ସବୁଠୁ ବଡ଼ କାର୍ଯ୍ୟକ୍ରମ ହୋଇଥିବା ବେଳେ ରାସ୍ତା କଡ଼ରେ ହଜାର ହଜାର ଲୋକ ପାର୍ଟି ପତାକା ଧରି ବାଜା ବଜାଇ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କରିଥିଲେ । ମୋଦୀ ଏକ ଖୋଲା ଏସ୍ୟୁଭିରୁ ଲୋକମାନଙ୍କୁ ଅଭିବାଦନ କରୁଥିବା ଦେଖିବାକୁ ମିଳିଥିଲା ।