14.1 C
Bhubaneswar
Monday, January 12, 2026
Homeଦେଶ ବିଦେଶପଶ୍ଚିମବଙ୍ଗ ନିର୍ବାଚନରେ ଫାଇଦା ପାଇଁ ବିତର୍କକୁ ବ୍ୟବହାର କରୁଛନ୍ତି ମୋଦୀ : କଂଗ୍ରେସ

ପଶ୍ଚିମବଙ୍ଗ ନିର୍ବାଚନରେ ଫାଇଦା ପାଇଁ ବିତର୍କକୁ ବ୍ୟବହାର କରୁଛନ୍ତି ମୋଦୀ : କଂଗ୍ରେସ

ବିଜେପି ସରକାରଙ୍କ ଅପାରଗତା କିମ୍ବା ଅନୀତି ଯୋଗୁଁ ଦେଶ ଆଗରେ ଯେତେବେଳେ ବି କୌଣସି ଗମ୍ଭୀର ପରିସ୍ଥିତି ଉପୁଜେ, ମୋଦୀ-ଶାହା ଯୋଡ଼ି ଚତୁରତାର ସହ ସେଥିରୁ ଦେଶବାସୀଙ୍କର ଧ୍ୟାନ ହଟାଇବା ପାଇଁ ‘ଉଗ୍ର ଜାତୀୟତାବାଦ’ର ଖେଳ ଆରମ୍ଭ କରନ୍ତି। ଭାରତୀୟତାର ପବିତ୍ର ମନ୍ତ୍ର ତଥା ଜାତୀୟ ଗୀତ ‘ବନ୍ଦେ ମାତରମ’ର ସାର୍ଦ୍ଧଶତୀ (୧୫୦ ବର୍ଷ ପୂର୍ତ୍ତି) ସମାରୋହକୁ ଏବେ ଏକ ନୂଆ ଅସ୍ତ୍ର ଭାବେ ବ୍ୟବହାର କରିବା ଆରମ୍ଭ କରିଛି ବିଜେପି। ୮ ଡିସେମ୍ବର ସୋମବାର ଲୋକସଭାରେ ୧୦ ଘଣ୍ଟିଆ ‘ବନ୍ଦେ ମାତରମ’ ବିତର୍କ ଆରମ୍ଭ କରି ଦେଶର ଗୌରବମୟ ସ୍ବାଧୀନତା ସଂଗ୍ରାମର ଇତିହାସକୁ ପୁଣିଥରେ କଦର୍ଥ କରିବାକୁ ଚେଷ୍ଟା କରିବା ସହ ଚିରାଚରିତ ଶୈଳୀରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଆଧୁନିକ ଭାରତର ନିର୍ମାତା ଜବାହରଲାଲ ନେହେରୁଙ୍କୁ ପୁଣି ନୀଚା ଦେଖାଇବାରେ ଲାଗିପଡ଼ିଛନ୍ତି।

ମୋଦୀ ଓ ତାଙ୍କ ସହଯୋଗୀମାନଙ୍କ ଅଭିଯୋଗ:-
‘ବନ୍ଦେ ମାତରମ’ ଭାରତୀୟତାର ଆତ୍ମା ଓ ମନ୍ତ୍ର। ଏହାକୁ ଯଥା ଗୁରୁତ୍ବ ଦିଆଯାଇନାହିଁ। ଦେଶବାସୀଙ୍କୁ ଏଥିରେ ଅଭିମନ୍ତ୍ରିତ କରିବାରେ କଂଗ୍ରେସ ବିଫଳ ହୋଇଛି।
କଂଗ୍ରେସର ଉତ୍ତର:-
କଂଗ୍ରେସ ହିଁ ଦେଶର ସ୍ବାଧୀନତା ସଂଗ୍ରାମର ନେତୃତ୍ବ ନେଇଥିଲା ଓ ଉପନିବେଶବାଦରୁ ଦେଶବାସୀଙ୍କୁ ମୁକ୍ତି ଦେଇଥିଲା। ତାଙ୍କ ଦଳ ବିଜେପି ଓ ଏହାର ପୂର୍ବସୂରୀ ଜନସଂଘ ତଥା ମାର୍ଗଦର୍ଶକ ହିନ୍ଦୁ ମହାସଭା ଓ ସଂଘ ପରିବାରର ନା ଦେଶର ଏଇ ଗୌରବମୟ ଇତିହାସ ସହ ଦୂରଦୂରର ସଂପର୍କ ରହିଛି ନା ଏମାନେ କେହି ଅଗଣିତ କଂଗ୍ରେସ ନେତାଙ୍କ ପରି ଦେଶପାଇଁ ପ୍ରାଣବଳି ଦେଇଛନ୍ତି। ଇତିହାସର ପୁନର୍ଲିଖନ ନାମରେ ଏହାକୁ ବିକୃତ କରିବାର ଅପଚେଷ୍ଟାରୁ ନିବୃତ ରହନ୍ତୁ ମୋଦୀ।
ମୋଦୀଙ୍କ ଅଭିଯୋଗ:-
ପବିତ୍ର ‘ବନ୍ଦେ ମାତରମ’କୁ ମହମ୍ମଦ ଅଲ୍ଲୀ ଜିନ୍ନା ଓ ତାଙ୍କ ମୁସଲିମ ଲିଗ୍‌ ବିରୋଧ କରୁଥିବା ବେଳେ ନେହେରୁ କୁଆଡ଼େ ତାଙ୍କ ଚାପରେ ପଡ଼ି ଏହାକୁ ଖଣ୍ଡବିଖଣ୍ଡିତ କରିବାକୁ ଚେଷ୍ଟା କରିଥିଲେ।
କଂଗ୍ରେସର ଉତ୍ତର:-
ତଥ୍ୟକୁ ବିକୃତ କରି ଉପସ୍ଥାପନ କରିବାରେ ମୋଦୀଙ୍କର ବିକଳ୍ପ ନାହିଁ। ୧୯୩୭ରେ ତତ୍କାଳୀନ କଂଗ୍ରେସ ସଭାପତି ନେହେରୁ ଏ ନେଇ ନେତାଜୀ ସୁଭାସ ବୋଷଙ୍କୁ ଲେଖିଥିବା ଚିଠିକୁ ମୋଦୀ ଉଦ୍ଧାର/ଉଲ୍ଲେଖ କଲେନାହିଁ କାହିଁକି? ଉକ୍ତ ଚିଠିରେ ନେହେରୁ କ’ଣ ଲେଖିଥିଲେ, ମୋଦୀ ଜାଣିନାହାନ୍ତି ନା ଜାଣିଶୁଣି ଏହାକୁ ଉହ୍ୟ ରଖିଛନ୍ତି? ‘ବନ୍ଦେ ମାତରମ’ର ସାଂପ୍ରଦାୟୀକରଣକୁ ନେଇ ମୌଳବାଦୀମାନେ କରୁଥିବା ଉଦ୍ୟମ ବିଷୟରେ ନେତାଜୀଙ୍କୁ ଲେଖିଥିବା ଚିଠିରେ ନେହେରୁ ଉଦ୍‌ବେଗ ପ୍ରକାଶ କରିଥିବା କ’ଣ ସତ ନୁହେଁ? ଦେଶକୁ ଖଣ୍ଡଖଣ୍ଡ କରିବା ପାଇଁ ମୌଳବାଦୀ(ଉଭୟ ହିନ୍ଦୁ ମହାସଭା ଓ ଜିନ୍ନାଙ୍କ ମୁସଲିମ ଲିଗ୍) ସେତେବେଳେ ଚେଷ୍ଟା କରୁଥିବା ନେଇ ଯିଏ ନିଜେ ଅଭିଯୋଗ କରିଥିଲେ, ତାଙ୍କ ବିରୋଧରେ ପାଖାପାଖି ନବେ ବର୍ଷ ପରେ ଆରୋପକୁ ଓଲଟାଇଦେବା କାହା ସ୍ବାର୍ଥରେ? (୮ ଡିସେମ୍ବର ଲୋକସଭାରେ ପ୍ରିୟଙ୍କା ଗାନ୍ଧିଙ୍କ ବକ୍ତବ୍ୟ ଦ୍ରଷ୍ଟବ୍ୟ)
କଂଗ୍ରେସର ପାଲଟା ପ୍ରଶ୍ନ:-
(୧)
‘ବନ୍ଦେ ମାତରମ’ ଯେ ଭାରତୀୟ ଜାତୀୟତାର ମହାମନ୍ତ୍ର, ଏଥିରେ ସନ୍ଦେହ ନାହିଁ। ଏହାର ୧୫୦ତମ ବାର୍ଷିକୀ ପାଳନ କରିବା ସ୍ବାଗତଯୋଗ୍ୟ। କିନ୍ତୁ ଦେଶର ସ୍ବାଧୀନତାର ୭୯ ବର୍ଷ ପରେ ଏହାକୁ ନେଇ ବିଜେପି ବିତର୍କ କରୁଛି କାହିଁକି? ବିଜେପିର ପୂର୍ବସୂରୀ ଜନସଂଘ ମଧ୍ୟ କେବେ ପୂର୍ବରୁ ଉପରୋକ୍ତ ମର୍ମରେ ‘ବନ୍ଦେ ମାତରମ’ର ତଥାକଥିତ ବିବାଦୀୟ ବିଷୟ ଉତ୍‌ଥାପନ କରିଥିଲା କି? ଯଦି ନୁହେଁ, ଏବେ କାହିଁକି?
(୨)
‘ବନ୍ଦେ ମାତରମ’ ବିତର୍କ ଅଭିଭାଷଣରେ ମୋଦୀ ‘ବଙ୍ଗ ବିଭାଜନ ଉଦ୍ୟମ ଓ କଂଗ୍ରେସ’ ପରି ଅନାବଶ୍ୟକ ତଥା ମିଥ୍ୟା ତଥ୍ୟ ସହ ତାକୁ ଯୋଡ଼ିବାକୁ ଚେଷ୍ଟା କରୁଛନ୍ତି କାହିଁକି? ଆସନ୍ତା ବର୍ଷ ପ୍ରାରମ୍ଭରେ ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ। ଏହାକୁ ଆଖିରେ ରଖି ଯେ ଏହା କରାଯାଉଛି, ତାହା ଜଳଜଳ ହୋଇ ଦେଖାଯାଉଛି। ମୋଦୀ ଉକ୍ତ ଅଭିଭାଷଣ ପାଇଁ ଗୃହକୁ ପ୍ରବେଶ କଲାବେଳେ ବିଜେପି ସାଂସଦମାନେ ‘ବିହାର କି ଜିତ୍ ହମାରି ହୈ, ଅବ୍ ବେଙ୍ଗଲ କି ବାରି ହୈ’ ସ୍ଲୋଗାନ ଦେବା କଥାରୁ ଏପରି ହୀନ ଅଭିପ୍ରାୟ ସ୍ପଷ୍ଟ ହେଉନାହିଁ କି?
(୩)
ଦେଶର ସ୍ବାଧୀନତା ସଂଗ୍ରାମରେ, ବିଜେପିର ପୂର୍ବସୂରୀ ଓ ଏହାର ମତାଦର୍ଶର ଅଧିକାରୀ କୌଣସି ସଂଗଠନର ସାମାନ୍ୟତମ ଅବଦାନ/ଯୋଗଦାନ ନ ଥିଲା। ଅଥଚ ଆମ ଜାତୀୟତାର ପ୍ରତ୍ୟେକଟି ଗୌରବମୟ ଅଧ୍ୟାୟର ଶ୍ରେୟ ନେବାପାଇଁ ନିର୍ଲଜଙ୍କ ପରି ଏହି ଦଳ ଓ ଏହାର ନେତାମାନେ ଏତେ ବିକଳ କାହିଁକି?
(୪)
ଅତୀତକୁ ନେଇ ବିଜେପି ଓ ଏହାର ନେତା ମୋଦୀ ଏତେ ଚିନ୍ତିତ କାହିଁକି? ବର୍ତ୍ତମାନର ଉପଲବ୍‌ଧି(?) ଓ ଓ ଭବିଷ୍ୟତର ଯୋଜନା ବିଷୟରେ ନିରବ କାହିଁକି? ‘ବନ୍ଦେ ମାତରମ’ ବିତର୍କରେ ନେହେରୁ, ଇନ୍ଦିରାଙ୍କୁ ଗାଳି କ’ଣପାଇଁ?
(୫)
ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବ୍ୟାପକ ଅବମୂଲ୍ୟାୟନ, ଭୋଟର ତାଲିକାର ବିଶେଷ ସଘନ ସଂଶୋଧନରେ ବ୍ୟାପକ ଜାଲିଆତି ଓ ସଂପ୍ରତି ଇଣ୍ଡିଗୋ ବିମାନର ଅଚଳାବସ୍ଥାରୁ ସୃଷ୍ଟ ଅଭାବନୀୟ ପରିସ୍ଥିତି ବିଷୟରେ ଆଲୋଚନା ନ କରି ମୋଦୀ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ‘ବନ୍ଦେ ମାତରମ’ ପରି ଆମ ଜାତୀୟତାର ଆତ୍ମା ଓ ମହାମନ୍ତ୍ରକୁ ଏପରି ଅନାବଶ୍ୟକ ଭାବେ ବିତର୍କିତ କରିବା ଅତ୍ୟନ୍ତ ନିନ୍ଦନୀୟ ନୁହେଁ କି?

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking