ଭୁବନେଶ୍ୱର: ଗ୍ରାମାଞ୍ଚଳ ସହ ସହରାଞ୍ଚଳରେ ମୋବାଇଲ ସଂଯୋଗ ପ୍ରଦାନ କାର୍ଯ୍ୟରେ ଭାରତ ସରକାରଙ୍କ ତରଫରୁ ବିଏସ୍ଏନ୍ଏଲ୍ ଏବଂ ବିଭିନ୍ନ ଘରୋଇ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା କାର୍ଯ୍ୟ କରୁଛନ୍ତି । ହେଲେ ଏବେ ବି ଓଡ଼ିଶାର ବହୁ ଅଞ୍ଚଳରେ ମୋବାଇଲ ଯୋଗାଯୋଗ ସୁବିଧା ପହଞ୍ଚିପାରିନାହିଁ । ବିଶେଷ କରି ଜନଜାତି ବସବାସ କରୁଥିବା ଦୁର୍ଗମ ଅଞ୍ଚଳ ଏବଂ ମାଓ ପ୍ରଭାବିତ କିଛି ଅଞ୍ଚଳରେ ଏହି ସମସ୍ୟାଟି ଏବେ ବି ଲାଗି ରହିଛି । ଚଳିତ ଅକ୍ଟୋବର ୨୧ ତାରିଖରେ ଟେଲିକମ୍ ରେଗୁଲେଟୋରୀ ଅଥୋରିଟି ଅଫ୍ ଇଣ୍ଡିଆ(ଟ୍ରେ) ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ମୁତାବକ ସାରା ଦେଶରେ ୮୮.୦୭% ଅଞ୍ଚଳରେ ମୋବାଇଲ ସେବା ସଂଯୋଗ ଉପଲବ୍ଧ ଥିବାବେଳେ ଓଡ଼ିଶାରେ ଏବେ ସୁଦ୍ଧା ୭୯.୪୯% ଅଞ୍ଚଳରେ ଏହି ସେବା ପହଞ୍ଚିଛି ।
ଅର୍ଥାତ୍ ରାଜ୍ୟର ୨୦%ରୁ ଉର୍ଦ୍ଧ୍ୱ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଟେଲି ସଂଯୋଗ ବ୍ୟବସ୍ଥା ପହଞ୍ଚିପାରିନି । ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଓଡ଼ିଶାର ୯ଟି ଜିଲ୍ଲାରେ ୪୮୩ଟି ମୋବାଇଲ ଟାୱାର ବସିବାକୁ ଯାଉଛି । ବିଜେଡି ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକଙ୍କ ଏକ ପ୍ରଶ୍ନ ଉପରେ ଲିଖିତ ଉତ୍ତର ରଖି କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେବୁ ସିଂ ଚୌହାନ ଏହି ବିଷୟରେ ଜଣାଇଛନ୍ତି। ରାଜ୍ୟର ୯ଟି ମାଓ ପ୍ରଭାବିତ ଜିଲ୍ଲାରେ ଏହି ମୋବାଇଲ ଟାୱାରଗୁଡ଼ିକ ବସିବ । ଏହି ଜିଲ୍ଲାଗୁଡ଼ିକ ହେଉଛି ବରଗଡ଼(୨), ବୌଦ୍ଧ(୨), କଳାହାଣ୍ଡି(୬୬), କନ୍ଧମାଳ(୯୬), କୋରାପୁଟ(୮୫), ମାଲକାନଗିରି(୧୨୮), ନବରଙ୍ଗପୁର(୨୨), ନୂଆପଡ଼ା(୪୯) ଏବଂ ରାୟଗଡ଼ା(୩୩) । ୟୁନିଭର୍ସାଲ ସର୍ଭିସ୍ ଓବ୍ଲିଗେସନ୍ ଫଣ୍ଡ(ୟୁଏସ୍ଓଏଫ୍)ର ଫେଜ୍-୨(ବାମପନ୍ଥୀ ଉଗ୍ରବାଦୀ) ଯୋଜନାରେ ଏହି ସବୁ ଟାୱାର ନିର୍ମାଣ ହେବ ।
ଏଥିସହ ଆକାଂକ୍ଷୀ ଜିଲ୍ଲା ଯୋଜନାରେ ମଧ୍ୟ ଓଡ଼ିଶାର ୧୦ଟି ଜିଲ୍ଲାର ମୋଟ ୩ ହଜାର ୯୩୩ଟି ଗ୍ରାମରେ ୪ଜି ମୋବାଇଲ୍ ସେବା ପହଞ୍ଚାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଜଣାଇଛନ୍ତି । ଏହି ଜିଲ୍ଲାଗୁଡ଼ିକ ହେଉଛନ୍ତି ବାଲଙ୍ଗିର(୧୧), ଢେଙ୍କାନାଳ(୧୧), ଗଜପତି(୪୬୭), କଳାହାଣ୍ଡି(୫୧୬), କନ୍ଧମାଳ(୧୦୯୪), କୋରାପୁଟ(୫୨୦), ମାଲକାନଗିରି(୩୦୬), ନବରଙ୍ଗପୁର(୧୭), ନୂଆପଡ଼ା(୨୯) ଏବଂ ରାୟଗଡ଼ା(୯୬୨) । ଏହାବ୍ୟତୀତ ରାଜ୍ୟରେ ମୋବାଇଲ ସେବା ସଂଯୋଗ କ୍ଷେତ୍ର ବୃଦ୍ଧି ଲାଗି କେନ୍ଦ୍ର ସରକାର ରାଜ୍ୟରେ ବେସ୍ ଟ୍ରାନ୍ସିଭର୍ ଷ୍ଟେସନ(ବିଟିଏସ୍) ସଂଖ୍ୟାକୁ ବଢ଼ାଇଛନ୍ତି । ମାର୍ଚ୍ଚ ୨୦୧୪ ସୁଦ୍ଧା ଓଡ଼ିଶାରେ ୧୬ ହଜାର ୪୧୬ଟି ବିଟିଏସ୍ ରହିଥିବା ବେଳେ ନଭେମ୍ବର ୨୦୨୧ ସୁଦ୍ଧା ଏହାକୁ ୬୯ ହଜାର ୪୭୨କୁ ବୃଦ୍ଧି କରାଯାଇଛି । ଖୁବଶୀଘ୍ର ଓଡ଼ିଶାର ପ୍ରାୟତଃ ସବୁ ଅଞ୍ଚଳରେ ମୋବାଇଲ ସେବା ପହଞ୍ଚିବ ବୋଲି କେନ୍ଦ୍ରମନ୍ତ୍ରୀ ଜଣାଇଛନ୍ତି ।