ମୋରେନା: ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତୀୟ ବାୟୁସେନାର ମିରାଜ୍-୨୦୦୦ ବିମାନର ବ୍ଲାକ୍ବକ୍ସକୁ ଠାବ କରାଯାଇଛି । ଏଥିସହିତ ଦୁର୍ଘଟଣାରେ ସାମିଲ ସୁଖୋଇ ଏମକେଆଇ-୩୦ ବିମାନର ଏଫଡିଆର (ଫ୍ଲାଇଟ୍ ଡାଟା ରେକର୍ଡର)ର କିଛି ଅଂଶ ମଧ୍ୟ ଉଦ୍ଧାର କରାଯାଇଛି । ରୁଟିନ୍ ଅଭ୍ୟାସ ଚଳାଇଥିବାବେଳେ ଶନିବାର ମଝି ଆକାଶରେ ଏହି ଦୁଇଟି ବିମାନ ପରସ୍ପର ମଧ୍ୟରେ ଧକ୍କା ଖାଇଥିଲା । ଦୁଇଟି ବିମାନର ଭଗ୍ନାବଶେଷ ମୋରେନା ଏବଂ ରାଜସ୍ଥାନର ଭରତପୁରରେ ପଡିଥିଲା । ମୋରେନାରୁ ମିରାଜ୍-୨୦୦୦ ବିମାନର ବ୍ଲାକବକ୍ସ ମିଳିଥିବାବେଳେ ସୁଖୋଇ ଏଫ୍ଡିଆର୍ର କିଛି ଅଂଶ ମଧ୍ୟ ମିଳିଛି । ତେବେ ସୁଖୋଇର ଅନ୍ୟ ଭଗ୍ନାବଶେଷ ଭରତପୁରରେ ପଡିଥିବା ଅନୁମାନ କରାଯାଉଛି । ଦୁର୍ଘଟଣାରେ ମିରାଜ୍ ଉଡାଉଥିବା ୱିଙ୍ଗ୍ କମାଣ୍ଡର ହନୁମନ୍ତ ରାଓ ସାରଥିଙ୍କର ମୃତ୍ୟୁ ଘଟିଥିବାବେଳେ ସୁଖୋଇର ଦୁଇଜଣ ପାଇଲଟ୍ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଭାରତୀୟ ବାୟୁସେନା ଇତିହାସରେ ପ୍ରଥମ ଥର କୌଣସି ମିରାଜ୍ ଏବଂ ସୁଖୋଇ ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।