ବାରିପଦା : ସ୍ଵଧାରଗୃହରୁ ନାବାଳିକା ନିଖୋଜ। ଏବେ ଅସୁରକ୍ଷିତ ସ୍ଵଧାରଗୃହ। ସ୍ଵଧାରଗୃହର ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ପରିଚାଳନା କତ୍ତୃପକ୍ଷଙ୍କ ସତର୍କତାକୁ ନେଇ ଉଠିଛି ପ୍ରଶ୍ନବାଚୀ। ସନ୍ଦେହ ଘେରରେ ପରିଚାଳନା କତ୍ତୃପକ୍ଷ।ଯାହା ଏବେ ମୟୂରଭଞ୍ଜ ପାଇଁ ପୁଣି ଲଜ୍ଜାର କାରଣ ପାଲଟିଛି। ସ୍ବଧାରଗୃହରୁ ନିଖୋଜ ହୋଇଗଲା ନାବାଳିକା। ନ୍ୟାୟ ପାଇଁ ମୟୁରଭଞ୍ଜ ଏସ୍.ପି. ଙ୍କ ଦ୍ୱାରସ୍ଥ ହେଲେ ନିଖୋଜ ନାବାଳିକାର ପରିବାର । ଜିଲ୍ଲାପୋଲିସ ଏବଂ ପ୍ରଶାସନ ଉପରେ ବିଶ୍ୱାସ ଓ ଭରସା ନେଇ ସାକ୍ଷାତ କରି ଅଭିଯୋଗ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ପାଇ ଆସ୍ଥା ହରାଉଛନ୍ତି ସାଧାରଣ ଜନତା।
ସୂଚନା ଅନୁଯାୟୀ ବାରିପଦା ଟାଉନଥାନା ଅନ୍ତର୍ଗତ ଶୂନଗଡ଼ିଆ ଅଞ୍ଚଳର ବିଷ୍ଣୁଚରଣ ତାଙ୍କ ନାବାଳିକା ଝିଅକୁ ଗତ ମାସ ୧୦ ତାରିଖରେ କୌଣସି କାରଣରୁ ବାରିପଦା ସ୍ବଧାର ଗୃହରେ ଛାଡିଥିଲେ। ତେବେ ସ୍ୱଧାରଗୃହରେ ବେଶ ଠିକଠାକ ରହିଥିଲା ବେଳେ ଅଚାନକ ୩୦ତାରିଖ ରାତି ପ୍ରାୟ ୩ଟାରେ ଗୋଟେ ଅଜଣା ନମ୍ବରରୁ ଫୋନ ଆସିଲା ତୁମ ଝିଅକୁ ଚାଲାଣ କରିଦେଇଛୁ ,ତୁମେ ଆମର କିଛି କରି ପାରିବ ନାହିଁ। ଏଭଳି ଫୋନ କଲକୁ ନେଇ ବ୍ୟସ୍ତ ହୋଇପଡିଥିଲେ ବାପା ମାଆ। ୧ ତାରିଖଦିନ ସ୍ଵଧାରଗୃହରେ ପହଞ୍ଚି ଝିଅ ସମ୍ପର୍କରେ ଖବର ନେବାକୁ ଭିତରକୁ ଯିବାକୁ ଚାହିଁବାରୁ ପରିଚାଳନା କତ୍ତୃପକ୍ଷ ଭିତରକୁ ଛାଡିନଥିଲେ | ଆଉ ଓଲଟା ଦୁର୍ବ୍ୟବହାର କରିଥିଲେ ବୋଲି ଅଭିଯୋଗ କରିଛନ୍ତି ନିଖୋଜ ନାବାଳିକାର ବାପା। ତେବେ ପୋଲିସ ଆମକୁ ନ୍ୟାୟ ନ ଦେଲେ ଆତ୍ମହତ୍ୟା କରିବେ ବୋଲି ବାଷ୍ପରୁଦ୍ଧ କଣ୍ଠରେ କହିଛନ୍ତି ନିଖୋଜ ନାବାଳିକାର ବାପା ଓ ମାଆ।
ସ୍ୱଧାର ଗୃହରୁ ନାବାଳିକା ଝିଅ ନିଖୋଜ ଘଟଣା ପରିବାର ଲୋକେ ବାରିପଦା ଟାଉନଥାନା ଆଇଆଇସିଙ୍କୁ ଭେଟି ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳ ମିଳିନଥିଲା କେବଳ ଆଶ୍ୱାସନା ଦେଇଆସୁଛି ଟାଉନ ଥାନା ପୋଲିସ। ଫଳରେ ବାଧ୍ୟ ହୋଇ ନିଖୋଜ ନାବାଳିକାର ବାପା-ମାଆ ଜିଲ୍ଲା ଏସପିଙ୍କୁ ଭେଟି ଜଣାଇଛନ୍ତି । ମାତ୍ର ସନ୍ତୋଷଜନକ ଉତ୍ତର ମିଳିନଥିବା ଅଭିଯୋଗ କରିଛନ୍ତି ନାବାଳିକାର ପରିବାର ଲୋକେ । ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଜିଲ୍ଲା ପୋଲିସ ଅଣଦେଖା କରି ହାଲକା ଭାବେ ନେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେବେ ପୋଲିସର ଏଭଳି ଖାମଖିଆଲି ମନୋଭାବ ପୁଣି ରାଇରଙ୍ଗପୁର ଅଧ୍ୟାପିକା ଅତ୍ମହତ୍ୟା ଘଟଣାର ପୁରାବୃତି ଘଟାଇବାନି ତ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ଏ ଘଟଣାକୁ ନେଇ ପୋଲିସ ଏବଂ ସ୍ୱଧାରଗୃହ ପରିଚାଳନା କତ୍ତୃପକ୍ଷ ନୀରବତା ଅବଲମ୍ବନ କରିବା ଯେତିକି ଆଶ୍ଚର୍ଯ୍ୟଜନକ ତାଠାରୁ ଅଧିକ ସନ୍ଦେହଜନକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି | ନୀରିହ ଅସହାୟ ଲୋକମାନେ ପୋଲିସ ଉପରେ ବହୁ ଆଶା ଆଉ ବିଶ୍ୱାସ ରଖି ଜଣାଉଥିବା ବେଳେ ପୋଲିସ ମୁହଁ ମୋଡ଼ିଲେ କହିବେ କାହାକୁ ଶୁଣିବ
କିଏ ବୋଲି କୁହାଯାଉଛି |