ଭୁବନେଶ୍ୱର: ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲାର ବିଭିନ୍ନ ଜଳସେଚନ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ସମସ୍ତ ରାଜସ୍ୱ ଡିଭିଜନର କମିଶନର, ବିଭାଗର ବରିଷ୍ଠ ଅଧିକାରୀ, ରାଜ୍ୟ ରିହାବିଲିଟେସନ ଓ ରିସେଟଲମେ ନିର୍ଦ୍ଦେଶକ, ବିଭିନ୍ନ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ଜମି ଅଧିଗ୍ରହଣ ଅଧିକାରୀ ଓ ଜଳସେଚନ ବିଭାଗର ପ୍ରମୁଖ ଅଧିକାରୀମାନେ ଯୋଗଦାନ କରିଥିଲେ । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ସଚିବ ବିଭିନ୍ନ ଜମି ଅଧିଗ୍ରହଣ ପ୍ରକଳ୍ପ ପାଇଁ ଜମି ତ୍ୱରିତ ଜମି ଅଧିଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଜମି ଅଧିଗ୍ରହଣ ବିଳମ୍ବିତ ହେବାରୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପାଇଁ ରାଜ୍ୟ ସରକାରଙ୍କର ତହବିଲ୍ରୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ । ଏହି ବୈଠକରେ ସୁବର୍ଣ୍ଣରେଖା, ଆନନ୍ଦପୁର ବ୍ୟାରେଜ, କାନପୁର, ଦେଓ, ରେଙ୍ଗାଲୀ ବାମ ଓ ଦକ୍ଷିଣ, ଲୋୟର ସୁକତେଲ, ଛେଳିଗ, ତେଲେଙ୍ଗିରି, ରେତ୍ ଓ ଅନ୍ୟାନ୍ୟ ପ୍ରକଳ୍ପର ସମୀକ୍ଷା ହୋଇଥିଲା ।
ବିଭିନ୍ନ ଜମି ଅଧିଗ୍ରହଣ ଅଧିକାରୀଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପର ବିଭିନ୍ନ ମାଇଲଖୁ ସମ୍ପୂର୍ଣ୍ଣ କରିବାକୁ ତାଗିଦ୍ କରାଯାଇଥିଲା । ଜମି ଅଧିଗ୍ରହଣ ଅଧିକାରୀଙ୍କୁ ଆବଶ୍ୟକ ସମୟରେ ବିଭିନ୍ନ ପ୍ରକାର ସହାୟତା ଯୋଗାଇଦେବାକୁ ଜଳସେଚନ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଭିନ୍ନ ପ୍ରକଳ୍ପର ସମୟସୀମା ମଧ୍ୟରେ ସାମାଜିକ ପ୍ରଭାବ ଅଧ୍ୟୟନ ଓ ପରିବେଶ ପ୍ରଭାବ ଆକଳନ ଅଧ୍ୟୟନ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜମି ଅଧିଗ୍ରହଣର କୌଣସି ପ୍ରକାର ବିଳମ୍ବକୁ ବରଦାସ୍ତ ନକରିବାକୁ ଅତିରିକ୍ତ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଥିଲେ । ଜମି ଅଧିଗ୍ରହଣ ସମ୍ବନ୍ଧୀୟ ଆବଶ୍ୟକୀୟ ଦସ୍ତାବିଜ୍କୁ ଭୂମି ଅଧିଗ୍ରହଣ ପୋର୍ଟାଲ୍ ମାଧ୍ୟମରେ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଜମି ଅଧିଗ୍ରହଣ ଅଧିକାରୀ, ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଓ ଜୋନ୍ ଅଧିକାରୀମାନଙ୍କୁ ନିୟମିତ ତାଲିମ୍ ପ୍ରଦାନ କରିବା ଉପରେ ଅତିରିକ୍ତ ମୁଖ୍ୟ ସଚିବ ଗୁରୁତ୍ୱାରୋପ କରିଥିଲେ । ସମସ୍ତ ରାଜସ୍ୱ ଡିଭିଜନର ଆଯୁକ୍ତମାନଙ୍କୁ ଏହିପରି ସମୀକ୍ଷା ବୈଠକ ଆୟୋଜନ କରି ଜଳସେଚନ ଅଧିକାରୀ ଓ ଜମି ଅଧିଗ୍ରହଣ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସବୁ ପ୍ରକାର ସମସ୍ୟାର ତ୍ୱରିତ ଓ ଆଶୁ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।