ଯାଜପୁର : ଯାଜପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ଆଇନ ସଂପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କର୍ମଶାଳାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟ ମନ୍ଦାକିନି କର,ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟ ଦିବ୍ୟା ଶାସ୍ୱତୀ ଏବଂ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପରାମର୍ଶ ଦାତା ଘାଷିରାମ ପଣ୍ଡା ପ୍ରମୁଖ ଯୋଗ ଦେଇ ବାଲ୍ୟ ବିବାହ ସମାଜର ଏକ ବ୍ୟାଧି ବୋଲି କହିଥିଲେ । ଏଥିପାଇଁ ସ୍ୱତନ୍ତ୍ର ଆଇନ ମଧ୍ୟ ରହିଛି । ତେଣୁ ଏଭଳି ଆଇନକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ବିଶେଷକରି ଆଦିବାସୀ ଅଂଚଳରେ ଏହି ବାଲ୍ୟ ବିବାହ ହେଉଥିବାରୁ ଏହି ଅଚଂଳରେ ଅଧିକ ମାତ୍ରାରେ ସଚେତନତା କାର୍ଯ୍ୟକ୍ରମ କରାଯିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା । ଏହି କର୍ମଶାଳା ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର,ସିଡିପିଓ ,ଜିଲା ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଏକ ପତ୍ରିକା ଉନ୍ମୋଚିତ ହେବା ସହିତ ବାଲ୍ୟ ବିବାହ କ୍ଷେତ୍ରରେ କାର୍ଯ୍ୟକରୁଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।