ନୂଆଦିଲ୍ଲୀ : ୭୯ତମ “ମନ କି ବାତ୍” ରେଡିଓ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିରେ ଓଡ଼ିଶା ପୁଅ ଇସାକ୍ ମୁଣ୍ଡାଙ୍କୁ ପ୍ରଶଂସା କରିଛନ୍ତି । ସମ୍ବଲପୂରର ୟୁଟ୍ୟୁବର୍ ହେଉଛନ୍ତି ଇସାକ୍ ମୁଣ୍ଡା । ସେ ୟୁଟ୍ୟୁବରେ ନିଜର ଏକ ଚ୍ୟାନେଲ୍ କରି ଭିଡିଓ କରି ଅନେକ ଟଙ୍କା ରୋଜଗାର କରୁଛନ୍ତି ଇସାକ୍ । ମୋଦୀ ତାଙ୍କ କାର୍ଯ୍ୟକ୍ରମରେ ତାଙ୍କୁ ଆମ ପାଇଁ ପ୍ରେରଣା ବୋଲି କହିଥିଲେ । ସେ ଜଣେ ଦିନ ମଜୁରିଆରୁ କିପରି ଇଣ୍ଟରନେଟ୍ ସେନସେସନ୍ ହୋଇଯାଇଛନ୍ତି ସେ ନେଇ ମୋଦୀ ତାଙ୍କର ପ୍ରଶଂସା କରିଛନ୍ତି । ଇସାକ୍ ନିଜ ୟୁଟ୍ୟୁବ ଚ୍ୟାନେଲ୍ ରେ ସ୍ଥାନୀୟ ବ୍ୟଞ୍ଜନ ଓ ପାରମ୍ପରିକ ଖାଦ୍ୟକୁ ଭିଡିଓ ମାଧ୍ୟମରେ ପରିବେଷଣ କରି ପ୍ରଚରେ ପ୍ରସାର କରନ୍ତି ।
ସମ୍ବଲପୁର ଜିଲ୍ଲା ଜୁଜୁମରା ବ୍ଲକ୍ ରେ ରୁହନ୍ତି ଇସାକ୍ ମୁଣ୍ଡା । ଦିନ ମଜୁରିଆରୁ ସେ ଏବେ ଲକ୍ଷପତି ୟୁଟ୍ୟୁବର ହୋଇଯାଇଛନ୍ତି । ନିଜର କଳାକୁ ପ୍ରଦର୍ଶନ କରି ସେ ଏବେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ପ୍ରଥମେ ଚାଳ ଘରେ ରହୁଥିବା ବେଳେ ପରିଶ୍ରମ ବଳରେ ନିଜର ଏକ ଛାତ ଘର କରିଛନ୍ତି ଇସାକ୍ । ଆଉ ଏବେ ତାଙ୍କ ଚର୍ଚ୍ଚା ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ଶୁଣିବାକୁ ମିଳିଛି । କରୋନା କାଳରେ ରୋଜଗାର ଠପ୍ ହୋଇଯିବା ପରେ ସେ ୟୁଟ୍ୟୁବ୍ ରେ ଭିଡିଓ କରି ରୋଜଗାରର ମାଧ୍ୟମ ଖୋଜିଥିଲେ ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ କି, ଏବର୍ଷ ଅଗଷ୍ଟ ୧୫ ମଧ୍ୟ ଦେଶ ପାଇଁ ତାତ୍ପର୍ଯ୍ୟପୂର୍ଣ୍ଣ। ଏବର୍ଷ ସ୍ବାଧୀନତାକୁ ୭୫ ବର୍ଷ ପ୍ରବେଶ କରିବ। ‘ଅମୃତ ମହୋତ୍ସବ’ ସରକାରଙ୍କର କଥା ନୁହେଁ, ୧୩୦ କୋଟି ଭାରତୀୟଙ୍କର ଆବେଗର କଥା। ମାର୍ଚ ୧୨ ତାରିଖରୁ ବାପୁଙ୍କ ସାବରମତୀ ଆଶ୍ରମରୁ ‘ଅମୃତ ମହୋତ୍ସବ’ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଗଣମାଧ୍ୟମ ଜରିଆରେ ‘ଭିକ୍ଟ୍ରି ପଞ୍ଚ୍’ ଅଭିଯାନ ଚଳାଇ ଅଲିମ୍ପିକ୍ସ୍ରେ ଯୋଗ ଦେଇଥିବା ଭାରତୀୟ ଖେଳାଳିଙ୍କୁ ଉତ୍ସାହ ଦେବା ଲାଗି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି।