ନୂଆଦିଲ୍ଲୀ: ତିନିଜଣ ପଶୁଡାକ୍ତରଙ୍କୁ ଫୋନ୍ରେ ଗାଳି ଫଜିତ୍ କରିବା ଓ ଧମକ ଦେଇଥିବା ଅଭିଯୋଗରେ ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ ବିବାଦୀୟ ହୋଇପଡିଛନ୍ତି । ମାନେକାଙ୍କ ଏତାଦୃଶ ବ୍ୟବହାର ପ୍ରତିବାଦରେ ଭାରତୀୟ ଭେଟେନାରୀ ଆସୋସିଏସନ ପକ୍ଷରୁ ବୁଧବାର ଦେଶବ୍ୟାପୀ ‘କଳାଦିବସ’ ପାଳନ କରାଯାଇଛି । ଆସୋସିଏସନ ପକ୍ଷରୁ ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟକୁ ସ୍ମାରକପତ୍ର ପଠାଯାଇଥିବାବେଳେ ସେମାନେ ମାନେକାଙ୍କଠାରୁ ନିଃସର୍ତ୍ତ କ୍ଷମାପ୍ରାର୍ଥନା ଦାବି କରିଛନ୍ତି । ମାନେକାଙ୍କ ଏହି ଫୋନ୍ ବାର୍ତ୍ତାଳାପ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମାନେକାଙ୍କ ଆକ୍ରୋଶର ଶରବ୍ୟ ହୋଇଥିବା ତିନି ପଶୁଡାକ୍ତର ହେଲେ ଡଃ ବିକାଶ ଶର୍ମା (ଗୋରଖପୁର, ଉତ୍ତରପ୍ରଦେଶ), ଡଃ ମହେନ୍ଦ୍ର ଗାନ୍ଧୀ ଓ ଡଃ ଏଲ.ଏନ୍.ଗୁପ୍ତା (ଆଗ୍ରା) ।
ଗୋଟିଏ କୁକୁରର ଗୋଡରେ କରାଯାଇଥିବା ଅସ୍ତ୍ରୋପଚାରକୁ ନେଇ ମାନେକା ଡଃ ଶର୍ମାଙ୍କ ଉପରେ ବର୍ଷିଥିଲେ । ଅସୁସ୍ଥ କୁକୁରକୁ ବଞ୍ଚାଇବାକୁ ଯାଇ ଡଃ ଶର୍ମା ଏହାର ଗୋଡ କାଟିଦେଇଥିଲେ । ଏଥିରେ ମାନେକା ଉତ୍କ୍ଷିପ୍ତ ହେବାସହ ଶର୍ମାଙ୍କ ଚଉଦ ପୁରୁଷ ଉଦ୍ଧାର କରି ଫୋନ୍ରେ ଗାଳିଫଜିତ୍ କରିଥିଲେ । ଅନ୍ୟ ଏକ ଘଟଣାକୁ ନେଇ ମାନେକା ଡଃ ଗୁପ୍ତାଙ୍କୁ ଧମକ ଦେଇ କହିଥିଲେ ‘ସଂପୃକ୍ତ କୁକୁରର ମାଲିକଙ୍କୁ କ୍ଷତିପୂରଣ ବାବଦରେ ୭୦ ହଜାର ଟଙ୍କା ଦିଅ, ନଚେତ୍ ତୁମର ଲାଇସେନ୍ସ ବାତିଲ କରାଯିବ’ । ଚିକିତ୍ସାଧୀନ ଅବସ୍ଥାରେ ଗୋଟିଏ କୁକୁର ପ୍ରାଣ ହରାଇବାରୁ ଡଃ ଗାନ୍ଧୀ ମଧ୍ୟ ମାନେକାଙ୍କ କ୍ରୋଧର ଶିକାର ହୋଇଛନ୍ତି । ପଶୁଡାକ୍ତରମାନଙ୍କୁ ଅଶିକ୍ଷିତ ଆଖ୍ୟା ଦେବାସହିତ ଏହ ପେସାକୁ ଧିକ୍କାର କରିଥିବାରୁ ମାନେକା କ୍ଷମା ମାଗନ୍ତୁ ବୋଲି ଆସୋସିଏସନ ଦାବି କରିଛି ।