14.1 C
Bhubaneswar
Saturday, January 11, 2025
Homeଅପରାଧମାନସ ହତ୍ୟା ମାମଲା: ନ୍ୟୁଜ୍‌ପୋର୍ଟାଲ ‘ସଂପୂର୍ଣ୍ଣ’ ଅଫିସ୍ ସିଲ୍ କଲା ପୋଲିସ

ମାନସ ହତ୍ୟା ମାମଲା: ନ୍ୟୁଜ୍‌ପୋର୍ଟାଲ ‘ସଂପୂର୍ଣ୍ଣ’ ଅଫିସ୍ ସିଲ୍ କଲା ପୋଲିସ

ଭୁବନେଶ୍ୱର: ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ମାନସ ସ୍ୱାଇଁ ହତ୍ୟା ମାମଲା ଏବେ ଦିନକୁଦିନ କୁହୁଳିବାରେ ଲାଗିଛି । ପ୍ରତ୍ୟେକ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଥିବାବେଳେ ମୁଖ୍ୟଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଅବସ୍ଥିତିକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି । ଏହାରି ଭିତରେ ମାମଲାର ଗୁରୁତ୍ୱକୁ ଦେଖି ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି । ମାନସ ହତ୍ୟା ମାମଲାର ତଦନ୍ତ କରିବାକୁ ପୁଲିସ ଡିଜି ସୁନୀଲ ବଂଶଲ କ୍ରାଇମବ୍ରାଞ୍ଚକୁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ମିଳିବା ପରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡା ତଦନ୍ତ ପାଇଁ ତୁରନ୍ତ ଦୁଇଟି ଟିମ୍ ଗଠନ କରିଛନ୍ତି । ଗୋଟିଏ ଟିମ୍ ଓଡ଼ିଶାରେ ରହି ହତ୍ୟାକାଣ୍ଡର ତଦନ୍ତ କରିବାକୁ ଥିବାବେଳେ ଅନ୍ୟ ଟିମ୍‌ଟି ରାଜ୍ୟ ବାହାରକୁ ଯାଇ ଶର୍ମିଷ୍ଠା ଓ ଝୁନା ଭୋଇଙ୍କୁ ଧରିବାକୁ ଜାଲ ବିଛାଇବ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଏହି ଦୁଇଟି ଟିମ୍‌କୁ କ୍ରାଇମବ୍ରାଞ୍ଚ ଡିଏସ୍‌ପି କଳ୍ପନା ସାହୁ ପରିଚାଳନା କରିବେ ।

ତେବେ ଗୁରୁବାର କ୍ରାଇମବ୍ରାଞ୍ଚ ଟିମ୍ ଭଦ୍ରକ ଚାନ୍ଦବାଲି ଯାଇ ଘଟଣାର ଛାନଭିନ୍ ଆରମ୍ଭ କରିବ ବୋଲି ଜଣାପଡ଼ିଛି । ସେପଟେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସ୍କାଏ ଟାୱାର ଆପାର୍ଟମେଣ୍ଟରେ ଥିବା ଶର୍ମିଷ୍ଠାଙ୍କ କାର୍‌କୁ ପୁଲିସ ଜବତ କରିଛି । କୌଣସି ବୋଲେରୋ ଗାଡ଼ି ନୁହେଁ ବରଂ ଶର୍ମିଷ୍ଠା ରାଉତ ନିଜ କାର୍‌ରେ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ଅପହରଣ କରିଥିଲେ । ସେହି କାର୍‌ଟି ଚାନ୍ଦବାଲି ଯିବା ସହ ହତ୍ୟା ପରେ ମୃତଦେହକୁ ମଧ୍ୟ ଉକ୍ତ କାର୍‌ରେ ନେଇ ନୟାଗଡ଼ରେ ପୋତି ଦିଆଯାଇଥିବା ଭଦ୍ରକ ଜିଲ୍ଲା ମତୋ ଫାଣ୍ଡି ଅଧିକାରୀ କହିଛନ୍ତି । ପୁଲିସକୁ ଏକଥା ଗିରଫ ଅଭିଯୁକ୍ତ ଭାଗ୍ୟଧର ନାୟକ ଜେରା ବେଳେ କହିଥିଲା ବୋଲି ସେ କହିଛନ୍ତି । ଏମିତିକି ଅପହରଣ ବେଳେ ଶର୍ମିଷ୍ଠାଙ୍କ ସହ ଆଉ ଜଣେ ଗାଡି଼ ଚଳାଉଥିଲେ । ପୁଲିସ କାର୍‌କୁ ଜବତ କରିବା ପରେ ଚାନ୍ଦବାଲି ନେଇଯାଇଛି । ସେହି କାର୍‌କୁ ସାଇଣ୍ଟିଫିକ୍ ଟିମ୍ ଯାଞ୍ଚ କରିବ । ଏଥିସହ ସେଥିରୁ କିଛି ତଥ୍ୟପ୍ରମାଣ ମିଳିବ ବୋଲି ପୁଲିସ ଆଶା ରଖିଛି । ଅନ୍ୟପକ୍ଷେ ଶର୍ମିଷ୍ଠାଙ୍କ ନ୍ୟୁଜ୍ ପୋର୍ଟାଲ ‘ସଂପୂର୍ଣ୍ଣ’ ଅଫିସକୁ ଚାନ୍ଦବାଲି ପୁଲିସ ସିଲ୍ କରିଦେଇଛି ।

ଏଥିସହ ସେଠାରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଦୁଇଟି ହାର୍ଡଡିସ୍କ, କମ୍ପ୍ୟୁଟର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ସେହିପରି ଗତ ମଙ୍ଗଳବାର ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ଧରାପଡ଼ିଥିବା ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱର ରାଉତଙ୍କୁ ଚାନ୍ଦବାଲି ଥାନା ପୁଲିସ ଗିରଫ କରିଛି । ଗିରଫ ପରେ ବୁଧବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ଖାରଜ ହେବାରୁ ଭଦ୍ରକ ସ୍ୱତନ୍ତ୍ର ଉପକାରାଗାରକୁ ପରମେଶ୍ୱରଙ୍କୁ ପଠାଇ ଦିଆଯାଇଛି । ତେବେ ଶର୍ମିଷ୍ଠାଙ୍କୁ ଫେରାର୍ କରାଇବାରେ ପରମେଶ୍ୱର ସହଯୋଗ କରିଥିବା ପୁଲିସ କହିଛି । ଖାଲି ଏତିକି ନୁହେଁ, ହତ୍ୟାକାଣ୍ଡ ପରେ ପରମେଶ୍ୱରଙ୍କ ଆକାଉଣ୍ଟରୁ ଶର୍ମିଷ୍ଠାଙ୍କ ଆକାଉଣ୍ଟକୁ ଦଶ ହଜାର ଟଙ୍କା ପଠାଇଯାଇଥିବାର ପ୍ରମାଣ ପୁଲିସ ହାତରେ ଲାଗିଛି । କାର ଜବତ ହେବା ପରେ ସେହି ଆପାର୍ଟମେଣ୍ଟର ସୁରକ୍ଷାକର୍ମୀ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି, ଅବସରପ୍ରାପ୍ତ ଓଆଇଏସ୍ ଅଧିକାରୀ ନିରଞ୍ଜନ ସେଠୀ ଶର୍ମିଷ୍ଠାଙ୍କ ନିକଟକୁ ବାରମ୍ବାର ଆସୁଥିଲେ । ହେଲେ ସେ ରେଜିଷ୍ଟର ଖାତାରେ ଦସ୍ତଖତ କରୁନଥିଲେ । ‘ସଂପୂର୍ଣ୍ଣ’ ଅଫିସର ସେ ଚେୟାରମ୍ୟାନ । ତେଣୁ ତାଙ୍କର ଦସ୍ତଖତ ଦରକାର ନାହିଁ ବୋଲି ଶର୍ମିଷ୍ଠା ତାଗିଦ କରିଥିବା ସୁରକ୍ଷାକର୍ମୀ ଜଣକ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking