27.1 C
Bhubaneswar
Monday, November 18, 2024
Homeଅପରାଧକ୍ଲେମ୍ କମିସନରେ ବଡ଼ଧରଣର ଠକେଇ: ସଚିବ ଜାଣିନାହାନ୍ତି, ୧.୧୬କୋଟି ପାସ୍‌

କ୍ଲେମ୍ କମିସନରେ ବଡ଼ଧରଣର ଠକେଇ: ସଚିବ ଜାଣିନାହାନ୍ତି, ୧.୧୬କୋଟି ପାସ୍‌

ଭୁବନେଶ୍ୱର:  କ୍ଲେମ୍ କମିସନ୍‌ର ସଚିବ ତଥା ଅବସରପ୍ରାପ୍ତ ଆଇଏଏସ୍ ଅଫିସର ବେଣୁଧର ଦାଶଙ୍କ ଜାଲ ଦସ୍ତଖତ କରି ୧କୋଟି ୧୬ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିଲା । ଏହି ମାମଲାର ତଦନ୍ତ କରି ଖାରବେଳନଗର ଥାନା ପୁଲିସ ତିନିଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ କର୍ଲିକଚ୍ଚର ଗ୍ରାମର ତ୍ରିଲୋଚନ ଦଣ୍ଡସେନା(୩୩), ଦୁଷ୍ମନ୍ତ ପଟେଲ(୪୩) ଏବଂ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଜଳେଶ୍ୱରପୁରର ସ୍ୱାଗତ ପ୍ରକାଶ ବରାଳ(୩୫) । ଏମାନଙ୍କ ଠାରୁ ଜାଲ କାଗଜପତ୍ର ଜବତ କରାଯିବା ସହ ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଦିଆଯାଇଛି ।

ଏନେଇ ପୁଲିସ  ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ମାମଲାରେ କ୍ଲେମ କମିସନ ଓ ଏମ୍‌ସିଏଲ୍‌ର ୧୦ରୁ ଊର୍ଦ୍ଧ୍ୱ କର୍ମଚାରୀ ସାମିଲ ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ପୁଲିସ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବ ବୋଲି ଜଣାପଡ଼ିଛି । ଗିରଫ ଅଭିଯୁକ୍ତଙ୍କ ନାଁରେ ଡ଼ିସେମ୍ବର ୩୧ ତାରିଖରେ କେସ୍ ନଂ ୪୨୩/୨୧ରେ ଆଉ ଏକ ମାମଲା ରୁଜୁ ହୋଇଥିଲା । ଏମାନେ ଅବିକଳ ଏହି ଢ଼ଙ୍ଗରେ ଆଉ ୨କୋଟି ଟଙ୍କା ଠକେଇ କରିଛନ୍ତି ।

ସୂଚନା ଅନୁଯାୟୀ, ଏମ୍‌ସିଏଲ୍ ପକ୍ଷରୁ ସୁନ୍ଦରଗଡ଼ର ୧୪ଟି ଗାଁର ଲୋକଙ୍କ ଠାରୁ ଜମି ନିଆଯାଇଛି । ଏହି କ୍ଷତିଗ୍ରସ୍ତଙ୍କ ପାଇଁ ଭାରତ ସରକାରଙ୍କ ପକ୍ଷରୁ ହାଉସିଂବୋର୍ଡ ବିଭାଗରେ ଏକ କ୍ଲେମ୍ କମିସନ ଗଠନ ହୋଇଛି । ଏଥିରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଅଧ୍ୟକ୍ଷ ଅଛନ୍ତି । ଏଥିସହ ସଚିବ ତଥା ନୋଡ଼ାଲ ଅଫିସର ଭାବେ ଅବସରପ୍ରାପ୍ତ ଆଇଏଏସ୍ ବେଣୁଧର ଦାଶ ଦାୟିତ୍ୱ ତୁଲାଉଛନ୍ତି । ଏମ୍‌ସିଏଲ୍ ଦ୍ୱାରା ଜମି ନିଆଯାଇଥିବା ଲୋକଙ୍କର କ୍ଷତିପୂରଣ ସମ୍ପର୍କିତ ବିଚାର ପାଇଁ ଏହି କମିସନ କାର୍ଯ୍ୟ କରୁଛି । ସୁପ୍ରିମକୋର୍ଟଙ୍କ ଦ୍ୱାରା ଏହା ପରିଚାଳିତ ହେଉଛି ।

ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ(ଏମ୍‌ସିଏଲ୍‌) ସୁନ୍ଦରଗଡ  ହେମଗିରି ଥାନା ଅନ୍ତର୍ଗତ ଗର୍ଜନବହଳ ଗ୍ରାମର ମଙ୍ଗସିରା ଧ୍ରୁଆ ନାମକ ଜଣେ ବ୍ୟକ୍ତିଙ୍କ ଜମି ନେଇଛି । ଏହି ଜମି ବାବଦକୁ ମଙ୍ଗସିରା କ୍ଷତିପୂରଣ ରାଶି ପାଇବାକୁ ୨୦୧୭ ମସିହାରେ କ୍ଲେମ୍ କମିସନରେ କେସ୍ ଫାଇଲ୍ କରିଥିଲେ । ହେଲେ ବିଭାଗୀୟ ବିଳମ୍ବ ଯୋଗୁ ତାଙ୍କର ମାମଲା ଶୁଣାଣି ହୋଇପାରୁନଥିଲା । ଏହି ସମୟରେ ଅଭିଯୁକ୍ତ ତ୍ରିଲୋଚନ ତାଙ୍କୁ ଭେଟିଥିଲେ । କ୍ଷତିପୂରଣ ରାଶି କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅଭିଯୁକ୍ତ ଦୁଷ୍ମନ୍ତ ଏମ୍‌ସିଏଲ୍‌ର ବୈଷୟିକ ଇନ୍ସିପେକ୍ଟର ଭାବେ କ୍ଲେମ୍ କମିସନରେ କାର୍ଯ୍ୟ କରନ୍ତି । ସେହିପରି ଅଭିଯୁକ୍ତ ସ୍ୱାଗତ ଅସ୍ଥାୟୀ କିରାଣୀ ଭାବେ ମଧ୍ୟ ସେଠାରେ କାମ କରୁଥିଲେ । ଏମାନଙ୍କ ସହ ତ୍ରିଲୋଚନଙ୍କ ପୂର୍ବରୁ ସମ୍ପର୍କ ରହିଥିଲା ।

ତେଣୁ ତ୍ରିଲୋଚନ ମଙ୍ଗସିରାଙ୍କୁ ସାଙ୍ଗରେ ଭୁବନେଶ୍ୱର ଆଣି କ୍ଲେମ୍ କମିସନରେ ସ୍ୱାଗତ ଓ ଦୁଷ୍ମନ୍ତଙ୍କୁ ସାକ୍ଷାତ କରାଇଥିଲେ । ଏହି ୩ ଅଭିଯୁକ୍ତ ମଙ୍ଗସିରାଙ୍କ କ୍ଷତିପୂରଣ ରାଶି କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏ ବାବଦକୁ ୩୦ଲକ୍ଷରୁ ଅଧିକ ଟଙ୍କା ଲାଞ୍ଚ ଦେବାକୁ ପଡ଼ିବ ବୋଲି କହିଥିଲେ । ଟଙ୍କା ପାଇବା ଆଶାରେ ମଙ୍ଗସିରା ଏଥିରେ ରାଜି ହୋଇଯାଇଥିଲେ । କ୍ଲେମ୍ କମିସନ୍‌ରେ ମଙ୍ଗସିରାଙ୍କ ଜମି କ୍ଷତିପୂରଣ କେସ୍ ନଂ ୩୦୬/୨୦ର ମାମଲା ପଡ଼ି ରହିଥିଲା । ତାଙ୍କର କ୍ଷତିପୂରଣ ମିଳିବାର ସମୟ ହୋଇନଥିଲା । କୌଣସି କାରଣରୁ ମଙ୍ଗସିରାଙ୍କ କେସ୍‌ର ଟ୍ରାଏଲ୍ ହୋଇନଥିଲା । ତେଣୁ ତାଙ୍କୁ ଟଙ୍କା ମିଳିପାରୁନଥିଲା ।

ଅଭିଯୁକ୍ତମାନେ ସଚିବ ବେଣୁଧର ଦାଶଙ୍କ ଅଜାଣତରେ ତାଙ୍କର ଜାଲି ଦସ୍ତଖତ, ପ୍ୟାଡ, ଷ୍ଟାମ୍ପ ବ୍ୟବହାର କରିଥିଲେ । ଏକ ଚିଠିରେ ମଙ୍ଗସିରାଙ୍କୁ କ୍ଷତିପୂରଣ ବାବଦକୁ ୧କୋଟି ୧୬ଲକ୍ଷ ୪୩ହଜାର ୩ଟଙ୍କା ଦିଆଯାଉ ବୋଲି ଉଲ୍ଲେଖ କରିଥିଲେ । ସେହି ଚିଠିରେ ଆଇଏଏସ୍ ବେଣୁଧରଙ୍କ ଜାଲି ଦସ୍ତଖତ ସହ ଷ୍ଟାମ୍ପ ମଧ୍ୟ ବ୍ୟବହାର ହୋଇଥିଲା । ପରେ ସେହି ଚିଠିକୁ ଅଭିଯୁକ୍ତମାନେ ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରା ଏମ୍‌ସିଏସ୍ ଏଡ଼ିଏମ୍‌ଙ୍କୁ ପଠାଇଥିଲେ । ଏହି ଚିଠି ପାଇବା ପାରେ ଏଡ଼ିଏମ୍ ମଙ୍ଗସିରାଙ୍କୁ ଆକାଉଣ୍ଟକୁ ସମସ୍ତ ଟଙ୍କା ଟ୍ରାନ୍ସଫର କରିଦେଇଥିଲେ । ଏହିପରେ ସେହି ଟଙ୍କାରୁ ୨୦ଲକ୍ଷ ଟଙ୍କା ତ୍ରିଲୋଚନଙ୍କ ଆକାଉଣ୍ଟକୁ ମଙ୍ଗସିରା ଟ୍ରାନ୍ସଫର କରିଥିଲେ । ଏହାସହ ୧୦ଲକ୍ଷ ଟଙ୍କା ସ୍ୱାଗତ ବରାଳଙ୍କୁ ଦେଇଥିଲେ । ପରେ ତ୍ରିଲୋଚନ ତାଙ୍କ ଟଙ୍କାରୁ ୫ଲକ୍ଷ ଟଙ୍କା ଦୁଷ୍ମନ୍ତ ଓ ୩ଲକ୍ଷ ଟଙ୍କା ସ୍ୱାଗତଙ୍କୁ ଦେଇଥିବାବେଳେ ଆଉ ୫ଲକ୍ଷ ଟଙ୍କା କ୍ଲେମ୍ କମିଶନର ଅନ୍ୟ କର୍ମଚାରୀଙ୍କ ପାଇଁ ଖର୍ଚ୍ଚ କରିଥିଲେ ।

ତେବେ ମଙ୍ଗସିରାଙ୍କ ମାମଲାର ଶୁଣାଣି ସମୟ ଆସିବାରୁ ତାଙ୍କର ଫାଇଲ ଖୋଲାଯାଇଥିଲା । ଏହି ସମୟରେ ତାଙ୍କର କ୍ଷତିପୂରଣ ଟଙ୍କା ମଞ୍ଜୁରି ହୋଇଥିବା ଜଣାପଡ଼ିଥିଲା । କମିସନ୍‌ରେ ବିନା ଟ୍ରାଏଲ୍ ଓ ତାଙ୍କର ଜାଲ୍ ଦସ୍ତଖତରେ କେମିତି କ୍ଷତିପୂରଣ ଟଙ୍କା ମଞ୍ଜୁରି ହେଲା ବୋଲି ସଚିବ ବେଣୁଧର ଦାଶ ଚିନ୍ତା କରିଥିଲେ । ଏଥିରେ ବିଭାଗର କେହି ଜାଲିଆତି କରିଛନ୍ତି ସେ ସନ୍ଦେହ କରିଥିଲେ । ଏନେଇ ସେ ୨୦୨୧ ଡ଼ିସେମ୍ବର ୩୧ତାରିଖରେ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା । ପରେ ପୁଲିସ ତଦନ୍ତ କରି ୩ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking