ନୂଆଦିଲ୍ଲୀ: ଭାରତକୁ କିଭଳି ଅର୍ଥନୈତିକ ମହାଶକ୍ତିରେ ପରିଣତ କରିହେବ ସେନେଇ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ମୁଖ୍ୟ ଆନନ୍ଦ ମହିନ୍ଦ୍ରା ‘ତ୍ରିଶୂଳ’ ମଡେଲ୍ ଗ୍ରହଣ କରିବାକୁ ଆହ୍ବାନ ଦେଇଛନ୍ତି। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଏଥିପାଇଁ ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାଠାରୁ ପ୍ରେରଣା ନେବାକୁ ହେବ। ଏହି ଦେଶ ତିନିଟି ଉପାୟରେ ନିଜକୁ ଦୀର୍ଘବର୍ଷ ଧରି ସବୁଠୁ ଶକ୍ତିଶାଳୀ କରି ରଖିପାରିଛି। ଆମେରିକା ପାଖରେ ବିଶ୍ବର ସବୁଠୁ ଶକ୍ତିଶାଳୀ ସାମରିକ ଶକ୍ତି ରହିଛି। ଏହା ବ୍ୟତୀତ ଏକ ଅତୁଳନୀୟ ଲଘୁ ଶକ୍ତି ଏବଂ ଦୁନିଆର ସବୁ କ୍ଷେତ୍ର ବିଶେଷ କରି ବିଶ୍ବ ଅର୍ଥନୀତିରେ ଏହାର ପ୍ରଭାବ ରହିଛି। ସେହି ତିନି ନୀତିକୁ ଗ୍ରହଣ କରି ଭାରତ ମଧ୍ୟ ବିଶ୍ବର ସବୁଠୁ ବଡ଼ ଶକ୍ତି ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ମହତ୍ବ ବୁଝିପାରିଛନ୍ତି ଏବଂ ଏହି ଲକ୍ଷ୍ୟ ହାସଲ କରିବା ଲାଗି ସେ ସବୁଆଡ଼ୁ କାମ କରିବା ଆରମ୍ଭ କରିଛନ୍ତି ବୋଲି ମହିନ୍ଦ୍ରା କହିଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ଶିଳ୍ପ ଓ ସାମରିକ ସହଯୋଗିତାର ବ୍ୟାପକ ସୁଯୋଗ ରହିଛି। ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ଓ ମହିନ୍ଦ୍ରା ଡିଫେନ୍ସ ଏକ୍ଷେତ୍ରରେ ଆଗକୁ ବଢ଼ିଛନ୍ତି। ଲଘୁ ଶକ୍ତି ସମ୍ପର୍କରେ ଉଦାହରଣ ଦେଇ ସେ ଦକ୍ଷିଣ ଆଫ୍ରିକାର କେ-ପପ୍ ସମ୍ପର୍କରେ ଆଲୋଚନା କରିଛନ୍ତି। ଭାରତ ମଧ୍ୟ ସେଭଳି ନିଜର ଏକ ପରିଚୟ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଆମ ସୁପରହିରୋ ଓ ଗ୍ରନ୍ଥଗୁଡ଼ିକ ମାର୍ଭେଲ୍ଠାରୁ ବହୁ ଆଗରେ ରହିଛନ୍ତି। ଆମ ପାଖରେ ଆଇଆଇଟି, ଆଇଆଇଏମ୍ ଓ ଏମ୍ସ ଭଳି ବିଶ୍ବସ୍ତରୀୟ ଅନୁଷ୍ଠାନ ରହିଛନ୍ତି। କିନ୍ତୁ ନବସୃଜନ ଆଗକୁ ବଢ଼ାଇବା ଲାଗି ଆମକୁ ଘରୋଇ ସଂସ୍ଥା ସହ ହାତ ମିଳାଇବାକୁ ପଡ଼ିବ।