19.1 C
Bhubaneswar
Monday, November 25, 2024
Homeଓଡିଶାମହାରଥୀଙ୍କ ପରିବାର ଏକାଠି ଭେଟିଲେ ନବୀନଙ୍କୁ

ମହାରଥୀଙ୍କ ପରିବାର ଏକାଠି ଭେଟିଲେ ନବୀନଙ୍କୁ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ ନୂଆ ବିବାଦ ଦେଖାଦେଇଛି । ଯାହାକୁ ନେଇ ଦଳ ପକ୍ଷରୁ ସ୍ପଷ୍ଟୀକରଣ ପରେ ସ୍ପଷ୍ଟୀକରଣ ଦେବାକୁ ପଡୁଛି । ବିରୋଧୀଙ୍କ ଭୁଲ ପ୍ରଚାର ଦଳ ପାଇଁ ଯେପରି କ୍ଷତିକାରକ ନହେବ ସେଥିପାଇଁ ନେତାମାନେ ସଜାଗ ରହିଥିବା କଥା କୁହାଯାଉଛି । କିନ୍ତୁ ବିରୋଧୀଙ୍କ ପ୍ରଚାର ଯେ ବିଜେଡି ପାଇଁ ଚିନ୍ତା ହୋଇଛି, ସେଥିନେଇ ଅନେକ ମତ ଦେଉଛନ୍ତି ।
ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ବିଜେଡିରୁ କିଏ ଟିକେଟ ପାଇବ ତାକୁ ନେଇ ଅନେକ ଆଲୋଚନା ଚାଲିଥିଲା । ବିଶେଷ କରି ମହାରଥୀଙ୍କ ପରିବାରରୁ ଦୁଇ ଜଣ ଦାବିଦାର ଥିବା କଥା ପଦାକୁ ଆସିଥିଲା । ମହାରଥୀଙ୍କ ପତ୍ନୀ ଓ ପୁଅ ଉଭୟ ଦାବିଦାର ବୋଲି କଥା ଉଠିଲା । ଉଭୟଙ୍କ ଭିତରୁ କାହାକୁ ଦଳ ବାଛିବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିଲା । ଯେତେବେଳେ ଏହି ଦୁଇ ଜଣଙ୍କ ନାଁ ଉଠିଲା ମହାରଥୀଙ୍କ ପତ୍ନୀ, ପୁଅ ଟିକେଟ ପାଇଲେ ଭଲ, ତାଙ୍କର ନିର୍ବାଚନ ଲଢିବା ପାଇଁ ଇଚ୍ଛା ନାହିଁ ବୋଲି ମତ ରଖିନଥିଲେ । ପୁଅ ରୁଦ୍ର ପ୍ରତାପ ମହାରଥୀ ମଧ୍ୟ ତାଙ୍କ ସମର୍ଥିତଙ୍କୁ ନେଇ କାର୍ଯ୍ୟକ୍ରମରେ ମାତିଥିଲେ । ସେ ମଧ୍ୟ କହିନଥିଲେ, ତାଙ୍କର ଇଚ୍ଛା ନାହିଁ , ମା ପାଇଲେ ଭଲ । ତେଣୁ ଦ୍ୱନ୍ଦ ସୃଷ୍ଟି ହୋଇଥିଲା । କିନ୍ତୁ ଉଭୟ କହିଥିଲେ, ମୁଖ୍ୟମନ୍ତ୍ରୀ ଯାହାକୁ ବାଛିବେ । ଏପରିକି ପିପିଲିର କିଛି ମହିଳା ସଂଗଠନ ଓ ନେତ୍ରୀ ମହାରଥୀଙ୍କ ପତ୍ନୀ ସପକ୍ଷରେ ମତ ରଖିଥିଲା ବେଳେ ଯୁବଗୋଷ୍ଠୀ ପୁଅ ପାଇଁ ଓକିଲାତି କରୁଥିଲେ । ଏପରିକି ମହାରଥୀଙ୍କ ଭାଇ ପୁତୁରା ରୁଦ୍ରପ୍ରତାପକୁ ପ୍ରାର୍ଥୀ କରିବା ସପକ୍ଷରେ ମତ ରଖିଥିଲେ । ସେତେବେଳେ ପାରିବାରିକ କଳି କଥା ପଦାକୁ ଆସିଥିଲା । ଏହାକୁ ନେଇ ବିରୋଧୀପକ୍ଷ ପ୍ରସଙ୍ଗ କଲେ । ଏବେ ଯେତେବେଳେ ବିଜେଡି ସୁପ୍ରିମୋ ମହାରଥୀଙ୍କ ପୁଅ ନାଁ ଘୋଷଣା କଲେ, ତା ପରେ ପୁରୁଣା କଥା ଉଠିଲା । ମହାରଥୀଙ୍କ ପତ୍ନୀ ଅସନ୍ତୁଷ୍ଟ ବୋଲି ବିରୋଧୀ ପ୍ରଚାର କଲେ । ଏହି ପ୍ରଚାର ଏତେ ଜୋରରେ ପିପିଲିରେ ବ୍ୟାପିଲା ଯେ, ଯାହାକୁ ନେଇ ଦଳ ପାଇଁ ଚିନ୍ତା ବଢିଲା । ମହାରଥୀଙ୍କ ପତ୍ନୀ ଚାକିରୀ କରୁଥିବାରୁ ଖୋଲାଖୋଲି ଭାବେ ଗଣମାଧ୍ୟମକୁ ଆସି କିଛି କହିପାରୁନଥିଲେ । ଫଳରେ ମା ପୁଅଙ୍କ ଭିତରେ ଫାଟ ବୋଲି ସୁଯୋଗ ଦେଖି ବିରୋଧୀ ଫାଇଦା ନେବାକୁ ଉଦ୍ୟମ ଚଲାଇଲେ ।

ସ୍ଥିତି ବିଗିଡିବା ପୂର୍ବରୁ ଶନିବାର ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କ ବାସଭବନକୁ ଉଭୟ ମା ପୁଅଙ୍କୁ ଡାକି ଏକାଠି ବସାଇ ଆଲୋଚନା କରିଥିଲେ । ଏହାର ଏକ ଭିଡିଓ ବିଜେଡି ପକ୍ଷରୁ ଜାରି କରାଗଲା । ଭିଡିଓରେ ମହାରଥୀଙ୍କ ପତ୍ନୀ ପୁଅ ପାଖରେ ବସିଥିବା ପ୍ରଦର୍ଶିତ କରାଗଲା ଏବଂ ସେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛନ୍ତି ବୋଲି କହୁଥିବା ଦେଖାଗଲା । ମା ପୁଅ ଏକାଠି ବୋଲି ଦର୍ଶାଇବା ପାଇଁ ଉଦ୍ୟମ ହେଲା ।
ଏପରିକି ପରିବାରରେ କୌଣସି ବିବାଦ ନାହିଁ, ଏକଥା ମଧ୍ୟ ଦର୍ଶାଇବା ପାଇଁ ଆଜି ମହାରଥୀଙ୍କ ପୁରା ପରିବାର ନବୀନ ନିବାସ ଆସି ସୁପ୍ରିମୋଙ୍କୁ ଭେଟିଥିଲେ । ମହାରଥୀଙ୍କ ପତ୍ନୀ, ଝିଅ, ଜ୍ୱାଇଁ ଓ ପୁଅ ରୁଦ୍ର ସାମିଲ ଥିଲେ । ଦଳର ସୁପ୍ରିମୋଙ୍କୁ ବିଶ୍ୱାସ ଦେଲେ ଯେ, ପରିବାର ଏକ ଅଛି । ଯାହା ପ୍ରଚାର କରାଯାଉଛି ତାହା ଭୁଲ । ଏହି ଆଲୋଚନା ବେଳେ ବିଜେଡିର କିଛି ନେତା ମଧ୍ୟ ଉପସ୍ଥିତ ଥିଲେ । ଆଲୋଚନା ପରେ ସୁପ୍ରିମୋଙ୍କ ଠାରୁ ଦଳୀୟ ଟିକେଟ ଓ ଆଶୀର୍ବାଦ ନେଇ ରୁଦ୍ରପ୍ରତାପ ଯାଇଥିଲେ । ତାଙ୍କ ପରିବାର ଏକ ବୋଲି ଗଣମାଧ୍ୟମକୁ କହିଥିଲେ । ରୁଦ୍ର ଆସନ୍ତା ୩୦ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବେ ।

 

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking