26.1 C
Bhubaneswar
Monday, November 25, 2024
Homeଓଡିଶାପୁରାତନ ଶକ୍ତିପିଠ ମା’ ବିରଜା

ପୁରାତନ ଶକ୍ତିପିଠ ମା’ ବିରଜା

ସଂଯୁକ୍ତା ମହାପାତ୍ର

ସମଗ୍ର ଏସିଆ ମହାଦେଶରେ ପ୍ରଥମ ଶାକ୍ତକ୍ଷେତ୍ର ରୂପେ ସର୍ବଜନବିଶ୍ରୁତ, ଆର୍ଯ୍ୟୋତ୍ତର ପରମ୍ପରାରୁ ପୂଜାପାଇ ଆସୁଥିବା ଦ୍ୱିଭୂଜା ଦୂର୍ଗା ଅନ୍ୟ କେଉଁଠାରେ ବି ଦେଖିବାକୁ ମିଳୁନଥିବା ବେଳେ, ଯାଜପୁରରେ ଦ୍ୱିଭୂଜା ଦୂର୍ଗା ‘ବିରଜା’ ନାମରେ ପୂଜା ପାଇ ଆସୁଛନ୍ତିି । ପରବର୍ତ୍ତି କାଳରେ ଦେବୀଙ୍କୁ ଚାରିଭୂଜା, ଛଅଭୂଜା, ଆଠଭୂଜା, ଦଶଭୂଜା, ବାରଭୂଜା ଓ ଅଠରଭୂଜା ଭାବେ ବିଭିନ୍ନ ସମୟରେ ବର୍ଣ୍ଣନା କରାଯାଇଛି।

ଶକ୍ତିପୀଠ ବିରଜା ଓଡିଶାର ସମସ୍ତ ସକ୍ରିୟ ଧାର୍ମିକପୀଠ ମାନଙ୍କ ମଧ୍ୟରୁ ଅନ୍ୟତମ । ଭଗବାନ ବ୍ୟାସଦେବଙ୍କ ରଚିତ ପଂଚମବେଦ ମହାଭାରତରେ ଉତ୍କଳର ଅନ୍ୟ କୈାଣସି ତୀର୍ଥକ୍ଷେତ୍ରର ବର୍ଣ୍ଣନା ନଥିବାବେଳେ, ବନପର୍ବରେ ବୈତରଣୀ ତୀରରେ ଅବସ୍ଥିତ ବିରଜା ତୀର୍ଥ ଏକ ପ୍ରସିଦ୍ଧ ତୀର୍ଥସ୍ଥଳ ବୋଲି ବର୍ଣ୍ଣିନା ଅଛି । ତେଣୁ ବିରଜାଙ୍କ ସ୍ଥିତି ନିଶ୍ଚିତ ମହାଭାରତ ରଚନାର ବହୁ ପୂର୍ବରୁ ବୋଲି ଗବେଷକମାନେ ମତ ରଖନ୍ତି । କାଳକ୍ରମେ ଦେବୀ ବିରଜାଙ୍କ ଖ୍ୟାତି ବ୍ୟାପକ ହେବାରୁ ଏହି ପବିତ୍ରକ୍ଷେତ୍ର ସମ୍ବନ୍ଧୀୟ ସୂଚନାର କୈାଣସି ଇତିହାସ ନଥିଲେ ମଧ୍ୟ ବୈାଦ୍ଧଗ୍ରନ୍ଥ ଦାଠାବଂଶ, ବାୟୁପୁରାଣ, ଅଗ୍ନିପୁରାଣ ଆଦି ପୁରାଣମାନଙ୍କରେ ଗ୍ରଥିତଅଛି । ସଂସ୍କୃତ ମହାଭାରତର ୮୫,୧୧୪ତମ ଅଧ୍ୟାୟରେ ଦେବୀ ବିରଜା ଓ ତାଙ୍କ କ୍ଷେତ୍ରର ପବିତ୍ରତା,ପ୍ରାଚୀନତାର ବିବୃତିର ସର୍ବପ୍ରଥମ ଉଲ୍ଲେଖ ଦେଖାଯାଏ-

“ତତୋ ବୈତରଣୀଂ ଗଛେତ୍ ସର୍ବପାପ ପ୍ରମୋଚନୀଂ
ବିରଜଂ ତୀର୍ଥମାସାଦ୍ୟ ବିରାଜତି ଯଥା ଶଶୀ ।”

ବିରଜାକ୍ଷେତ୍ର ଏକ ମହାକ୍ଷେତ୍ର,ସର୍ବପ୍ରାଚୀନ ତୀର୍ଥ ଓ ସର୍ବପ୍ରଧାନ ସାଂସ୍କୃତିକ କ୍ଷେତ । ଏହାର ପଞ୍ଚକ୍ତୋଶ ଆୟତନରେ ଯେଉଁସବୁ କଳାସ୍ଥାପତ୍ୟର ଧ୍ୱଂସାବଶେଷ ଦେଖିବାକୁ ମିଳେ, ସେ ସବୁ ଯାଜପୁରର ଅନ୍ତର୍ଗତ । ବାୟୁପୁରାଣ ଓ ହରିବଂଶରେ ବିରଜା ଆଜ୍ୟପାନ ନାମକ ପିତୃଗଣଙ୍କ ମାନସୀକନ୍ୟାରୂପେ ବର୍ଣ୍ଣିତ ।ସର୍ବଶେଷରେ ବିରଜାମହାତ୍ମ୍ୟ ନାମରେ ବିରଜାକ୍ଷେତ୍ରର କିମ୍ବଦନ୍ତୀ ବ୍ରହ୍ମାଣ୍ଡପୁରାଣରେ ସ୍ଥାନପାଇଛି ।ସଦ୍‌ଧର୍ମ ପୁଣ୍ଡରୀକ ନାମକ ବୈାଦ୍ଧଗ୍ରନ୍ଥରେ ଗୈାତମ ବୁଦ୍ଧ ସାରୀପୁତ୍ତକୁ କହିଛନ୍ତି, ସେ ପଦ୍ମପ୍ରଭ ନାମରେ ନାମହେବ ବିରଜାକ୍ଷେତ୍ରରେ ଜନ୍ମଗ୍ରହଣ କରିବେ । ହିନ୍ଦୁ ଓ ବୈାଦ୍ଧ ସାହିତ୍ୟ ଛଡା ବହୁ ତାମ୍ରଶାସନରେ ବିରଜା ନାମଟି ଉଲ୍ଲେଖ ରହିଛି । ସୋରରୁ ପ୍ରାପ୍ତ ଖ୍ରୀଷ୍ଟାବ୍ଦ ଷଷ୍ଠ ଶତାବ୍ଦୀର ‘ଡି’ତାମ୍ର ଶାସନରେ ମହାରାଜ ଭାନୁଦତ୍ତ ବିରଞା ନାମକ ଗ୍ରାମ ଦାନ କରିଛନ୍ତି । ଏହି ବିରଞା ବିରଜାଙ୍କର ବିକୃତ ରୂପବୋଲି ଗବେଷକମାନେ ମନେକରନ୍ତି ।

ବହୁ ପ୍ରାଚୀନ କାଳରୁ ଲୋକମାନଙ୍କର ଧର୍ମବିଶ୍ୱାସ, ଆଚାର ବ୍ୟବହାର ଓ ଭୈାଗୋଳିକ ପରିସ୍ଥିତିରୁ ଜଗନ୍ନାଥ ମଣ୍ଡଳ ଓ ବିରଜା ମଣ୍ଡଳ ନାମକ ଦୁଇଟି ମଣ୍ଡଳ ଉଦ୍ଭବ ହୋଇଥିଲା । ଇତିହାସର ବହୁ ଘାତ ପ୍ରତିଘାତ ମଧ୍ୟରେ ଏହି ଦୁଇଟି ମଣ୍ଡଳ ସମ୍ପ୍ରତି ଲୋପପାଇନାହିଁ । ଏଣୁ ଶ୍ରୀକ୍ଷେତ୍ର ଓ ବିରଜା କ୍ଷେତ୍ର ଉତ୍କଳର ଦୁଇଟି ସାଂସ୍କୃତିକ ହୃତପିଣ୍ଡ ରୂପେ ଯୁଗଯୁଗରୁ ବିଦ୍ୟମାନ । ଶ୍ରୀକ୍ଷେତ୍ର ବିଷୟରେ ବହୁ ଆଲୋଚନା ହୋଇଥିଲେ ମଧ୍ୟ ବିରଜାକ୍ଷେତ୍ର ବିଷୟରେ ସେମିତି କିଛି ହୋଇନାହିଁ । ଓଡିଶାର ପ୍ରାଚୀନତମ ନାମ କଳିଙ୍ଗ, ଏବଂ ବିରଜାକ୍ଷେତ୍ର ଏହି କଳିଙ୍ଗ ମଧ୍ୟରେ ଅବସ୍ଥିତ । ଏହାର ପ୍ରମାଣ ମହାଭାରତର ବନପର୍ବରୁ ମିଳେ, ଲୋମଶମୁନି ଯୁଧିଷ୍ଠିରଙ୍କୁ କହିଛନ୍ତି । “ଏତେ କଳିଙ୍ଗା କୈାନ୍ତେୟ ତତ୍ର ବୈତରଣୀ ନଦୀ ।”

ମାଦଳା ପାଂଜି ଅନୁସାରେ ବିରଜାଙ୍କର ନାମ ଅନୁସାରେ ଯାଜପୁରର ପ୍ରାଚୀନ ନାମ ବହୁ ଶତାବ୍ଦୀଧରି ବିରଜାପୁର ନାମରେ ନାମିତ ଥିଲା, ମାତ୍ର ଦଶମ ଶତାବ୍ଦୀରେ ସୋମବଂଶୀକେଶରୀ ରାଜବଂଶ ଏହାକୁ ଯଯାତିନଗରରେ ପରିଣତ ହୋଇଥିଲା । ଦ୍ୱିଭୁଜା ମହିଷମଦ୍ଦିନୀ ଦୁର୍ଗାଙ୍କର ପ୍ରତିରୂପ ଭାବେ ବିରଜା, ଭାରତୀୟ ଶାକ୍ତକଳାର ପ୍ରାଚୀନତମ ନିଦର୍ଶନ । ଏହାର ବର୍ଣ୍ଣନା କପିଳ ସଂହିତାରେ ଅଛି । ଓଡିଶାର ପ୍ରସିଦ୍ଧ କ୍ଷେତ୍ର ମଧ୍ୟରେ ପୁରୁଷୋତ୍ତମ (ପୁରୀ)ଅର୍କତୀର୍ଥ (କୋରାର୍କ)ବିରଜା (ଯାଜପୁର) ଏବଂ ଏକାମ୍ର (ଭୁବନେଶ୍ୱର) ଯାଥାକ୍ରମେ କୃଷ୍ଣ (ଜଗନ୍ନାଥ)ଅର୍କ(ସୂର୍ଯ୍ୟ)ଦେବୀ ପାର୍ବତୀ ( ବିରଜା)ଏବଂ ହର (ଲିଙ୍ଗରାଜ)ଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ।

ଶାକ୍ତପୀଠ ହିସାବରେ ଭାରତରେ ଦ୍ୱିଭୂଜା ଦୁର୍ଗା ବିରଜା ନାମରେ ପ୍ରଥମେ କାଠ ପିତୁଳା ରୂପେ ପୂଜାପାଇଥିବାରୁ ଆର୍ଯ୍ୟମାନଙ୍କ ପୂର୍ବରୁ ଦ୍ରାବିଡମାନଙ୍କ ଦ୍ୱାରା ଏହା ଆରମ୍ଭବୋଲି ସର୍ବବିଶ୍ୱାସ । ଐତିହାସିକ ଆର.ଏଲ.ମିତ୍ର ଦ୍ୱିଭୂଜା ଦୁର୍ଗାଙ୍କୁ ସର୍ବପ୍ରାଚୀନ ବୋଲି କହିଛନ୍ତି । ପରବର୍ତ୍ତୀ କାଳରେ ଦେବୀଙ୍କୁ ଚତୁଭୂଜା, ଅଷ୍ଟଭୂଜା, ଦଶଭୂଜା, ଦ୍ୱାଦଶଭୂଜା, ଅଷ୍ଟାଦଶଭୂଜା ଭାବେ ଗ୍ରହଣ କରାଯାଏ । ସମୟର ଅବକ୍ଷୟ ଏହି କ୍ଷେତ୍ରର ଅକ୍ଷୟ ଐଶ୍ୱର୍ଯ୍ୟକୁ ମ୍ଳାନ କରିପାରିନାହିଁ ।ମହାକାଳର ସୀମାହୀନ ସରଣୀରେ ଏହାର ଚମକ, ବୈଚିତ୍ର‌୍ୟ ଏବଂ ବୈଭବ ବନ୍ୟାର ଉତ୍‌ଫୁଲ ପ୍ଳାବନଭଳି ଯୁଗମାନସକୁ ଉଦବେଳିତ କରିରଖିଛି ।

ବିଭିନ୍ନ ସିଦ୍ଧାନ୍ତ ଅନୁସାରେ, ପିତାମହ ବ୍ରହ୍ମା ,ପୃଥିବୀକୁ ନିଷ୍ଟାପ ଓ ପୁନଃନିର୍ମାଣ କରିବା ନିମନ୍ତେ, ଏଠାରେ ଯଜ୍ଞ କରିବା ସମୟରେ ପବିତ୍ର ଅଗ୍ନିରୁ ବିରଜା ଆର୍ବିଭୁତା ହୋଇଥିଲେ । କିମ୍ବଦନ୍ତି ଅନୁସାରେ ମାଘ ମାସରେ ତ୍ରିବେଣୀ ଅମାବାସ୍ୟା ଦିନ ଶ୍ରାବଣ ନକ୍ଷତ୍ର ଯୁକ୍ତ ମକର ଚନ୍ଦ୍ରରେ ବିରଜାଙ୍କ ଜନ୍ମୋତ୍ସବ ପାଳିତ ହୁଏ । ଗାୟତ୍ରୀ ଦ୍ୱାରା ଏହି ପୂଜା ସମ୍ପାଦନା ହୁଏ । ବହୁ ସଂଖ୍ୟକ ଯାତ୍ରୀ ସାବିତ୍ରୀ ବେଶ ଦର୍ଶନ କରିଥାନ୍ତି । ବିରଜାଙ୍କ ପୀଠସ୍ଥଳୀ ଭାବେ ବର୍ତ୍ତମାନ ଯେଉଁ ମନ୍ଦିରର ଅବସ୍ଥିତି ଥିବା ଦେଖାଯାଏ ତାହା ପୁରାତନ ନୁହେଁ । । ପ୍ରକୃତ ଦେବୀଙ୍କ ପୀଠସ୍ଥଳୀ ଭାବେ ଲୋକମାନେ ଯାଜପୁରସ୍ଥ ଅନତିଦୂରରେ ଥିବା କଳସପୁରସ୍ଥିତ ମନ୍ଦିରଟିକୁ ବିରଜା ଦେବୀଙ୍କ ମନ୍ଦିର ଭାବେ ଦେଖାଇ ଦିଅନ୍ତି ।ଏହି ଭଗ୍ନ ମନ୍ଦିରଟି ଖ୍ରୀଷ୍ଟାବ୍ଦ ୫ମ ବା ୬ଷ୍ଠ ଶତାବ୍ଦୀର ମନ୍ଦିର ବୋଲି ଅନୁମାନ କରାଯାଏ । କାରଣ ଏହି ମନ୍ଦିରଟିର ଶିଖର ଗୁପ୍ତଯୁଗୀୟ ମନ୍ଦିର ଶୈଳୀ ସହ ସାମଞସ୍ୟ ଅଛି । ଗୁପ୍ତଯୁଗୀୟ ମନ୍ଦିରର ଶିଖ ଭଳି ଏହି ମନ୍ଦିରର ଶିଖର ଚଟକା ।

ଖ୍ରୀଷ୍ଟବ୍ଦ ୫ମ ଶତାବ୍ଦୀ ଯାହା ଗୁପ୍ତଯୁଗୀୟ ରାଜାମାନଙ୍କ ଶାସନକାଳ ପ୍ରକୃତ ପକ୍ଷେ ମନ୍ଦିର ଗଠନର ପ୍ରାଥମିକ ଓ ପ୍ରାରମ୍ଭିକ ସୋପାନ ଥିଲା । ବର୍ତ୍ତମାନର ମନ୍ଦିରଠାରୁ ସେ ସମୟର ଗଠନ ଶୈଳୀରେ ବହୁ ପ୍ରାର୍ଥକ୍ୟ ଥିଲା । ସେତେବେଳେ ମନ୍ଦିରର ଶିଖର ଦେଶ ଚଟକା ଥିବାର ପ୍ରମାଣ ଦେଇ ସେସମୟର ମନ୍ଦିର ଭାବେ ଝାନ୍‌ସୀସ୍ଥ ଦେବଗଡଠାରେ ଥିବା ଦଶାବତାର ମନ୍ଦିରକୁ ଐତିହାସିକ ଆର.ଡି.ବାନାର୍ଜୀ ଏହାକୁ ୬ଷ୍ଠ ଶତାବ୍ଦୀର ମନ୍ଦିର ଭାବେ ପରିକଳ୍ପନା କରିଛନ୍ତି । ତେଣୁ କଳସପୁରସ୍ଥ ମନ୍ଦିରର ଶୈଳୀ ବିଶେଷତଃ ଶିଖରର ଚଟକା ଆକୃତିକୁ ବିଚାର କଲେ ଏହାକୁ ନିଶ୍ଚିତ ଭାବରେ ଖ୍ରୀଷ୍ଟବ୍ଦ ୫ମ ବା ୬ଷ୍ଠ ଶତାବ୍ଦୀର କୁହାଯାଇପାରେ । ସେଭଳି ଗୁପ୍ତଯୁଗୀୟ ମନ୍ଦିରର ଶୈଳୀ, ଓଡିଶାର କୈାଣସି ସ୍ଥାନରେ ଦେଖିବାକୁ ମିଳେନାହିଁ । ଓଡିଶା ସମେତ ଭାରତର ବିଭିନ୍ନ ଅଞ୍ଚଳରୁ ଏଠାକୁ ଆସୁଥିବା ଯାତ୍ରୀମାନେ ଏହି କ୍ଷେତ୍ରର ଇତିହାସ ଓ ଐତିହ୍ୟର ମୂକସାକ୍ଷୀ ରୁପେ ପରିଗଣିତ ହେଉଥିବା ପ୍ରାଚୀନ କୀର୍ତ୍ତି ସମ୍ପର୍କରେ ଜାଣିବା ପାଇଁ ଚାହିଁଲେ ନିରାଶ ହେବାକୁ ପଡିଥାଏ । ଆହୁରି ମଧ୍ୟ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ କିଛି ଆଖିଦୃଶିଆ ବ୍ୟବସ୍ଥା ହୋଇପାରିନାହିଁ । ଏହି କ୍ଷେତ୍ରରେ ସୋମବଂଶୀ, କେଶରୀମାନେ, ଭୌମକର ବଂଶର ରାଜଧାନୀ ଯାଜପୁରକୁ ଆନୁମାନିକ ଖ୍ରୀ.ଅ ୨୫୦ରେ ଅଧିକାର କରି ଖ୍ରୀ.ଅ ୧୧୧୮ ପର୍ଯ୍ୟନ୍ତ ଶାସନ କରିଥିଲେ ।

ଓଡିଶାର ସିଂହାସନ ଉପରେ ସେମାନଙ୍କର ନୈତିକ ଅଧିକାର ନଥିବାରୁ ଉତ୍କଳର ଜନମତକୁ ଶାନ୍ତ କରିବା ନିମନ୍ତେ ଉପକୂଳବର୍ତ୍ତି ଅଂଚଳରେ ଅନେକ ଭବ୍ୟ ମନ୍ଦର ନିର୍ମାଣ କରିଥିଲେ । ଦ୍ୱିତୀୟ ଯଯାତି କେଶରୀ ଦୁର୍ଗା ଓ ଶିବଙ୍କର ପରମ ଭକ୍ତ ଥିବାରୁ , ଉତ୍କଳ ଭୁମିକୁ ଗ୍ରାସ କରିଥିବା ତନ୍ତ୍ର ପରମ୍ପରାର ବିଲୋପ କରିବା ନିମନ୍ତେ ବୈତରଣୀ ନଦୀ କୂଳରେ ଦଶାଶ୍ୱମେଧ ଯଜ୍ଞର ଅନୁଷ୍ଠାନ କରିଥିଲେ ।ବିରଜା ମନ୍ଦିରର ସମ୍ପୂର୍ଣ୍ଣ ରୂପେ ପବିତ୍ରୀକୃତ ହୋଇ ଯଜ୍ଞ ମାଧ୍ୟମରେ ଦେବୀଙ୍କ ପାଷାଣ ପ୍ରତିମାକୁ ସଂସ୍କାରିତ କରିଥିଲେ । ଏଥିପାଇଁ ଉତ୍ତରପ୍ରଦେଶର ଗଙ୍ଗାନଦୀ କୂଳସ୍ଥ କାନ୍ୟକୁବଜରୁ ଦଶହଜାର ଶ୍ରୋତିୟ ବ୍ରାହ୍ମଣ ଆଣି ଯଜ୍ଞସଂସ୍କାର ମାଧ୍ୟମରେ ବିରଜା ଦେବୀଙ୍କର ପୁନଃ ପ୍ରତିଷ୍ଠା ପୂର୍ବରୁ ନିର୍ମିତ ମନ୍ଦିରର କତିପୟ ପରିବର୍ତ୍ତନ ଯଥା- ମରାମତି , ପୁନଃ ନିର୍ମାଣ ଆଦି କାର୍ଯ୍ୟ କରାଇଥିବା ସମ୍ଭବ । ଖ୍ରୀ.ଅ ୧୨୩୧ରେ ଅନନ୍ତବର୍ମା ଚୋଡଗଙ୍ଗଦେବ ଓଡିଶାକୁ ପୂର୍ଣ୍ଣରୂପେ ଅଧିକାର କରିଥିଲେ । ମାଦଳା ପାଂଜି ଅନୁସାରେ ଚୋଡଗଙ୍ଗଦେବ ବିରଜାଙ୍କୁ ମାନୁଥିଲେ । ବିରଜା ମନ୍ଦିର କାନ୍ଥରେ ଖ୍ରୀ.ଅ ୧୯୫୨ ମସିହାରେ ଆବିଷ୍କୃତ ଏକ ତିଥି ବିହୀନ ଶିଳାଲେଖ ଅନୁସାରେ ସେ ଦେବୀ ବିରଜାଙ୍କ ଉଦ୍ଦେଶ୍ୟରେ ଏକ ଅଖଣ୍ଡଦୀପ ପ୍ରଦାନ କରିଥିଲେ ।

ଏଥିରୁ ଜଣାଯାଏ ଚୋଡଗଙ୍ଗଦେବ ବିରଜାଙ୍କର ଭକ୍ତଥିଲେ । ମାତ୍ର ଖ୍ରୀ.ଅ ୧୨୦୫ରୁ ୧୮୬୮ ମସିହା ପର୍ଯ୍ୟନ୍ତ ଅର୍ଦ୍ଧ ତ୍ରିଶତାଧିକ ବର୍ଷଧରି ଓଡିଶା କ୍ରମାଗତ ମୁସଲମାନ ଆକ୍ରମଣର ଶିକାର ହୋଇ ଯାଜପୁର ଓ ତା’ର ଆଖପାଖ ଅଂଚଳରେ ଧ୍ୱଂସଲିଳା ସଂଗଠିତ ହୋଇଥିଲା । ଏହି ସମୟରେ ବିରଜାଙ୍କ ଦେବାୟତକୁ ଭଙ୍ଗାଯାଇ ଦେବୀଙ୍କର ପ୍ରସ୍ତର ପ୍ରତିମାକୁ ଦୁଇଖଣ୍ଡକରି ମନ୍ଦିର ବେଢାରେ ଥିବା କୂପ ମଧ୍ୟକୁ ନିକ୍ଷେପ କରାଯାଇଥିଲା । କ଼ିନ୍ତୁ ଖୁବ୍ ସମ୍ଭବତଃ ମରହଟ୍ଟା ଶାସନ କାଳରେ ଯାଜପୁର ନିକଟବର୍ତ୍ତୀ ନରହରିପୁର ବ୍ରାହ୍ମଣ ଶାସନର ଖୁବ ପ୍ରସିଦ୍ଧ ତାନ୍ତ୍ରିକ ପଣ୍ଡିତ ତ୍ୟମୂଳ ଅଗ୍ନିହୋତ୍ରୀଙ୍କ ପୈାରହିତ୍ୟରେ ବିରଜାଙ୍କ ଭଗ୍ନମୂର୍ତ୍ତିକୁ କୂପ ମଧ୍ୟରୁ ଉଦ୍ଧାର କରାଯାଇ କଳସପୁରସ୍ଥ ମୂଳପୀଠରେ ପୁନଃ ପ୍ରତିଷ୍ଠା କରାଯାଇଥିଲା । ଯାଯପୁରର ପ୍ରସିଦ୍ଧ ଜମିଦାର ନରସିଂହ ଚୈାଧୁରୀଙ୍କ ପୂର୍ବ ବଂଶଦର ସୂଦର୍ଶନ ମହାପାତ୍ରଙ୍କ ଉଦ୍ୟମରେ ଭଗ୍ନ ମନ୍ଦିରଟି ମରାମତି, ନବୀକରଣ ତଥା ପୁନଃନିର୍ମାଣ କାର୍ଯ୍ୟ ସଂପନ୍ନ ହୋଇଥିଲା ।

ଏହି ଦେଉଳର ଉଚ୍ଚତା ୪୭ ହାତ ବା ୭୦ ଫୁଟ ୬ ଇଂଚ । ସିଂହଦ୍ୱାରରେ ସଂଯୁକ୍ତ ହୋଇଥିବା ଦ୍ୱାରବନ୍ଧ ୧୦-୧୧ ଫୁଟ ମୋଟେଇ କଳା ମୁଗୁନି ପଥରରେ ନିର୍ମିତ ହୋଇଛି । ଏଥିରେ ବହୁ ସୂକ୍ଷ୍ମ କାରୁକାର୍ଯ୍ୟ ଖୋଦେଇ ହୋଇଛି । ତେଣୁ ଏହା ପ୍ରାଚୀନ ଉତ୍କଳର ମନ୍ଦିର କଳାର ଏକ ଚମତ୍କାର ନମୁନା ହେବା ସହିତ ଉତ୍କଳୀୟ କଳା ପରମ୍ପରାକୁ ଜୀବନ୍ତଭାବେ ପ୍ରର୍ଦଶନ କରିବାରେ ସକ୍ଷମ ହୋଇଛି । ମନ୍ଦିର ନିର୍ମାଣ କାଳରେ କୈାଣସି ପ୍ରାଚୀର ନଥିବାରୁ ସ୍ଥାନୀୟ କିମ୍ବଦନ୍ତି ଅନୁସାରେ ଭିକାରି ଦାସ ନାମକ ଜୈନିକ ସାଧୁ ମୂଷ୍ଠିଭିକ୍ଷା ବଳରେ ଅର୍ଥ ସଂଗ୍ରହ କରି ଉନସିଂଶ ଶତାବ୍ଦୀର ଶେଷଭାଗ ବେଳକୁ ମନ୍ଦିରର ପ୍ରାଚୀରଟି ନିର୍ମାଣ କରିଥିଲେ । ଏକଥାର ସତ୍ୟତା ମୁଖ୍ୟ ଦ୍ୱାରବନ୍ଧ ଉପରେ ଖଂଜା ଯାଇଥିବା ଶିଳା ଫଳକରେ ଖୋଦିତ ଆଧୁନିକ ଓଡିଆ ଲିପିରୁ ପ୍ରମାଣିତ ହୋଇଥାଏ । ଉପରୋକ୍ତ ବର୍ଣ୍ଣନାରୁ ଜଣାଯାଏ ମୌର୍ଯ୍ୟ ଯୁଗ ଓ ତତ୍‌ପରବର୍ତ୍ତୀ ଯୁଗମାନଙ୍କରେ ମଧ୍ୟ ଏଠାରେ କଳାସ୍ଥାପତ୍ୟ ସୃ୍‌ଷ୍ଟି ହୋଇଥିବା ଖୁବ୍ ସମ୍ଭବ, କିନ୍ତୁ ଅତି ପ୍ରାଚୀନ କାଳର ଧ୍ୱଂସାବଶେଷ ଅଦ୍ୟାପି ଏଠାରେ ମିଳିନାହିଁ ,କିମ୍ବା ଏ କ୍ଷେତ୍ରଟିକୁ ଭଲଭାବରେ ସର୍ଭେ କରାଯାଇନାହିଁ , କିମ୍ବା ଏହାର କୌଣସି ଅଂଶ ଏପର୍ଯ୍ୟନ୍ତ ଖୋଦନ କରାଯାଇ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking