27.1 C
Bhubaneswar
Friday, November 22, 2024
Homeଦେଶ ବିଦେଶପାସ୍‌ପୋର୍ଟ ପାଇଁ କାବୁଲ୍‌ରେ ଲମ୍ବା ଧାଡ଼ି

ପାସ୍‌ପୋର୍ଟ ପାଇଁ କାବୁଲ୍‌ରେ ଲମ୍ବା ଧାଡ଼ି

କାବୁଲ: ଯାତ୍ରା ଡକ୍ୟୁମେଣ୍ଟ ଜାରି ପୁଣି ଆରମ୍ଭ କରିବ ବୋଲି ତାଲିବାନ ସରକାର ଘୋଷଣା କରିବାର ଦିନକ ପରେ ରବିବାର ସକାଳୁ ଶୂନ୍ୟ ଡିଗ୍ରୀର ତାମମାତା ସତ୍ତ୍ୱେ ରାଜଧାନୀ କାବୁଲ୍‌ର ପାସ୍‌ପୋର୍ଟ ଅଫିସ୍ ଆଗରେ ଲୋକଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳିଛି । ଚିକିତ୍ସା ପାଇଁ ଅନ୍ୟ ଦେଶକୁ ଯିବାକୁ ବ୍ୟାକୁଳ ଥିବା କେତେକ ନାଗରିକ ଗତରାତିରୁ ସେଠାରେ ଅପେକ୍ଷା କରିଥିବା ବେଳେ ଅନ୍ୟ କେତେକ ଇସ୍‌ଲାମିକ୍ ଶାସନରୁ ବର୍ତ୍ତିବା ଉଦ୍ଦେଶ୍ୟରେ ପାସ୍‌ପୋର୍ଟ ହାସଲ କରିବାକୁ ଧୈର୍ଯ୍ୟର ସହ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା । ତାଲିବାନ ସଂଗଠନ ଗତ ଅଗଷ୍ଟ ମାସରେ ଦେଶର ଶାସନ କ୍ଷମତା ଦଖଲ କରିବା ପରେ ପାସ୍‌ପୋର୍ଟ ଅଫିସ୍ ବନ୍ଦ କରି ଦେଇଥିଲା । ତେବେ ଅକ୍ଟୋବର ମାସରେ କର୍ତ୍ତୃପକ୍ଷ ପୁଣିଥରେ ପାସ୍‌ପୋର୍ସ ଅଫିସ୍ ଖୋଲିଥିଲେ । ମାତ୍ର ପାସ୍‌ପୋର୍ଟ ପାଇଁ ଏତେ ଆବେଦନ ଆସିଥିଲା ଯେ ଅଫିସ୍‌ର ବାୟୋମେଟ୍ରିକ୍ ଯନ୍ତ୍ରାଂଶରେ ସମସ୍ୟା ଦେଖା ଦେଇଥିଲା । ଫଳରେ କର୍ତ୍ତୃପକ୍ଷ ପାସ୍‌ପୋର୍ଟ ଜାରି କିଛି ସମୟ ପାଇଁ ସ୍ଥଗିତ ରଖିଥିଲେ । ଶନିବାର ଅଫିସ୍ ପକ୍ଷରୁ କୁହାଯାଇଥିଲା, ସମସ୍ୟାର ସମାଧାନ ହୋଇଯାଇଛି ଏବଂ ଯେଉଁମାନେ ଆବେଦନ କରିଥିଲେ ସେମାନଙ୍କୁ ଡକ୍ୟୁମେଣ୍ଟ ପ୍ରଦାନ ପାଇଁ ପ୍ରକ୍ରିୟା ଚାଲିଛି । ଏହି ଖବର ମିଳିବା ପରେ ହାଡ଼ଥରା ଶୀତରେ ମାଧ୍ୟ ହଜାର ହଜାର ଲୋକ କାବୁଲ୍ ପାସ୍‌ପୋର୍ଟ ଅଫିସ୍ ଆଗରେ ଧାଡ଼ି ଲଗାଇଛନ୍ତି । ହାର୍ଟ ସର୍ଜରୀ ପାଇଁ ବିଦେଶ ଯାତ୍ରା ପାଇଁ ତୁରନ୍ତ ପାସ୍‌ପୋସ୍ ହାସଲ ଉଦ୍ଦେଶ୍ୟରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ମଧ୍ୟ ଏହି ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା । ସେହିପରି ୨୬ ବର୍ଷୀୟା ମୁର୍‌ସାଲ୍ ରସୁଲି ତାଙ୍କ ଦୁଇବର୍ଷର ଶିଶୁକନ୍ୟାକୁ କୋଳରେ ଧରି ଅପେକ୍ଷା ରତ ଥିଲେ । ପାସ୍‌ପୋର୍ଟ ଅଫିସ୍ ଖେଳିବା ଖବର ଶୁଣି ସେ ବହୁତ ଖୁସି ବୋଲି କହିଥିଲେ । ଏଏଫ୍‌ପିକୁ ସେ କହିଥିଲେ, ଏଠାକାର ପରିସ୍ଥିତି ଶାନିପୂର୍ଣ୍ଣ ନାହିଁ । ଯଦି ପରିସ୍ଥିତି ଆଗକୁ ଆହୁରି ଖରାପ ହୁଏ, ତେବେ ଆମ ପାଖରେ ଥିବା ପାସ୍‌ପୋର୍ଟ ସହାୟତାରେ ଅନ୍ୟ ଦେଶକୁ ଯାଇ ପାରିବୁ ।

ପାସ୍‌ପୋର୍ଟ ପାଇଁ କାବୁଲ୍‌ରେ ଲୋକଙ୍କ ଏପରି ବିପଜ୍ଜନକ ଭିଡ଼କୁ ଦେଖି ସୁରକ୍ଷା ଦାୟିତ୍ୱରେ ଥିବା ତାଲିବାନ ଅଧିକାରୀ ଚିନ୍ତା ବଢ଼ିଯାଇଛି । ପୁଣିଥରେ ଆତ୍ମଘାତୀ ଆକ୍ରମଣ କିମ୍ବା ବିସ୍ଫୋରଣ ଘଟିପାରେ ବୋଲି ଆଶଙ୍କା ସେମାନେ ବ୍ୟକ୍ତ କରିଛନ୍ତି । ସୁରକ୍ଷା ଦାୟିତ୍ୱରେ ଥିବା ଅଜମଲ୍ ତୁଫାନ୍ କହିଛନ୍ତି, ଏଠାରେ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ଆମର ଦାୟିତ୍ୱ । ତେବେ ଲୋକମାନେ ଆମ ସହ ସହଯୋଗ କରୁ ନାହାନ୍ତି । ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ତାଲିବାନର ମୁଖ୍ୟ ଶତ୍ରୁ ଇସ୍‌ଲାମିକ୍ ଷ୍ଟୋଟ୍ ପକ୍ଷରୁ କାବୁଲ୍ ବିମାନ ବନ୍ଦରରେ ଭିଡ଼ ଉପରେ ହୋଇଥିବା ଆକ୍ରମଣରେ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking