ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନର ଦଶମ ଦିନ ମଧ୍ୟ ଭୀଷଣ ପାଟିତୁଣ୍ଡ୍ ମଧ୍ୟରେ ବରବାଦ ହୋଇଛି । ସାଂସଦମାନଙ୍କ ଭୀଷଣ ହଙ୍ଗାମାକୁ ଦୃଷ୍ଟିରେ ରଖି ଦୁଇ ସଦନକୁ ଅଗଷ୍ଟ ୧ ତାରିଖ ସକାଳ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ଆଜି ଉଭୟ ସଦନରେ ବିଜେପି ସାଂସଦମାନେ ଅଧୀର ରଞ୍ଜନ ଚୌଧୁରୀ ମାମଲା ଏବଂ ବିରୋଧୀ ଦଳ ଦରବୃଦ୍ଧି ପ୍ରସଙ୍ଗକୁ ନେଇ ଆଲୋଚନା ପାଇଁ ଦାବି କରୁଥିବା ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ କଂଗ୍ରେସ ଆଜି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ଆକ୍ରମଣକୁ ଜୋର୍ଦାର କରିଥିଲେ । କଂଗ୍ରେସ ସାଂସଦମାନେ ଅଧୀର ରଞ୍ଜନ ଚୌଧୁରୀଙ୍କ ବୟାନକୁ ନେଇ ସୋନିଆ ଗାନ୍ଧୀ ଏବଂ ବିଜେପି ସାଂସଦଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କ ପ୍ରସଙ୍ଗ ଉଠାଇଥିଲେ । ଏହାକୁ ନେଇ ସେମାନେ ସଂସଦ ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ଆଗରେ ଧାରଣ ଦେବା ସହ ମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ।
କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଆଜି ପୁଣି ନିଜର ମନ୍ତବ୍ୟକୁ ନେଇ ସଫେଇ ଦେଇଥିଲେ । ସେ କହିଥିଲେ, ମୋ ବିରୋଧରେ ହୋଇଥିବା ଅଭିଯୋଗର ଜବାବ ଦେବା ନିମନ୍ତେ ଗତକାଲି ମୋତେ ସୁଯୋଗ ଦିଆଯାଇ ନଥିଲା । ମୁଁ ଆଜି ମଧ୍ୟ ସଂସଦରେ ଜବାବ ଦେବା ପାଇଁ ସମୟ ସୁଯୋଗ ମାଗିଥିଲି । ସେ କହିଥିଲେ ଗତକାଲି ଯେଉଁପରି ସଂସଦରେ ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ୍ କରାଯାଇଥିଲା ସେଥିପାଇଁ ସରକାରଙ୍କୁ କ୍ଷମା ମାଗିବା ଉଚିତ । ସେହିପରି କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ୍ ଗଡ୍ଗେ ଆଜି ଅଧୀର ରଞ୍ଜନ ଚୌଧୁରୀଙ୍କ ପକ୍ଷ ନେଇଥିଲେ । ସେ କହିଥିଲେ, ନିଜ ମନ୍ତବ୍ୟ ପାଇଁ ଅଧୀର ରଞ୍ଜନ କ୍ଷମତା ମାଗି ସାରିଛନ୍ତି । ଏହା ସତ୍ତ୍ୱେ ବିଜେପି ସୋନିଆ ଗାନ୍ଧୀଙ୍କ ବିରୋଧରେ ସ୍ଳୋଗାନ ଦେବା ସହ କ୍ଷମା ମାଗିବାକୁ ଦାବି କରୁଛନ୍ତି । ସେମାନେ ଜାଣିଶୁଣି ଦରବୃଦ୍ଧି ଏବଂ ଦରବୃଦ୍ଧି ପରି ପ୍ରସଙ୍ଗ ଉପରେ ଆଲୋଚନା କରାଇ ନଦେବାକୁ ଏପରି କରୁଛନ୍ତି ।