ଗଞ୍ଜାମ : ସେ ଠିକ୍ ଥିଲେ, ବହୁତ ଭଲ ଥିଲେ । କେବଳ ଲକ୍ଡାଉନ୍ ଏବଂ ସଟ୍ଡାଉନ୍ରେ ତାଙ୍କ ବ୍ୟବସାୟ ମାନ୍ଦା ହେଲା ଏବଂ ସେ ଏବେ ପାଗଳ ଭଳି ହେଉଛନ୍ତି । ଆଦୌ ଖାଉନାହାନ୍ତି । ବାହାର ଲୋକଙ୍କୁ ଦେଖିଲେ ପାଟି କରୁଛନ୍ତି ଏବଂ ବାଡେଇବାକୁ ବାହାରୁଛନ୍ତି । ବାଧ୍ୟ ହୋଇ ତାଙ୍କୁ ଏକ ଚେନ୍ ପକାଇ ରଖାଯାଇଛି । ନଚେତ୍ ସେ କାହାକୁ କ’ଣ କରିବେ ପୁଣି ଗୋଟିଏ କଥାକୁ ଦୁଇଟା ହେବ । ଏହି ଲକ୍ଡାଉନ୍ ଏବଂ ସଟ୍ଡାଉନ୍୍ ତାଙ୍କୁ ପାଗଳ କରିଛି । ଯଦି କେହି ଡାକ୍ତର ଠିକ୍ ଭାବେ ଦେଖିବେ ତେବେ ସେ ପୁରା ସୁସ୍ଥ ହୋଇଯିବେ । ତାଙ୍କୁ ମେଡିକାଲ ନେଇଥିଲେ, କିନ୍ତୁ କରୋନା ପାଇଁ କୌଣସି ଡାକ୍ତର ତାଙ୍କୁ ଦେଖି ନଥିଲେ । ତେଣୁ ତାଙ୍କ ପାଗଳାମି ବଢିଯାଇଛି । ଯଦି କେହି ଡାକ୍ତର ମୋ ସ୍ୱାମୀଙ୍କୁ ଭଲ ଭାବେ ଦେଖି ଠିକ୍ଠାକ୍ ଔଷଧ ଦେଇଥା’ନ୍ତେ ତେବେ ସେ ସୁସ୍ଥ ହୋଇଯାଇଥା’ନ୍ତେ । ମୋତେ ଆର୍ଥିକ ସାହାଯ୍ୟ ପଛେ ନ ମିଳୁ ମୋ ସ୍ୱାମୀଙ୍କ ଚିକିତ୍ସା ଆଗ ହେବା ଦରକାର ବୋଲି ବାଲିପଡା ଅଞ୍ଚଳର ଜଣେ ମହିଳା ତଥା ଶିବରାମ ଜେନାଙ୍କ ପତ୍ନୀ ଗୀତାଞ୍ଜଳି ଏହା କହିଛନ୍ତି ।
କରୋନା ଅନେକ ଲୋକଙ୍କ ଘରେ ପଶି ମୁଣ୍ଡ ନେଇଥିବା ବେଳେ କରୋନାରେ ହେଉଥିବା ଲକ୍ଡାଉନ୍ ଏବଂ ସଟ୍ଡାଉନ୍ ମୋ ପରିବାରର ଜୀବିକା ନଷ୍ଟ କରିଛି । ଯେଉଁ ହାତରେ ଲୋକଙ୍କ ଶହ ଶହ ମୋବାଇଲ୍ ମୋ ସ୍ୱାମୀ ତିଆରି କରିପାରୁଥିଲେ ଏବଂ ଡିଜେ ବଜାଇ ଲୋକଙ୍କୁ ବିଭିନ୍ନ ବିବାହ ବ୍ରତରେ ଉତ୍ସାହିିତ କରୁଥିଲେ ଆଜି ସେହି ହାତକୁ ମୁଁ ନିଜେ ଶିକୁଳି ପକାଇ ରଖିବାକୁ ବାଧ୍ୟ ହୋଇଛି ବୋଲି ଗୀତାଞ୍ଜଳି କହିଛନ୍ତି । ଏ ହେଉଛି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକର ବାଲିପଡା ଗ୍ରାମର ଲକ୍ଡାଉନ୍ ସମୟର ଏକ ଦୁଃଖଦ କାହାଣି ।
ଶିବରାମ ଜେନା ଘର ବ୍ରହ୍ମପୁର ସହରଠାରୁ ମାତ୍ର ୧୫ କିଲୋମିଟର ଦୂର କୁକୁଡାଖଣ୍ଡି ବ୍ଲକର ବାଲିପଡା ଅଂଚଳରେ । ବୟସ ମାତ୍ର ୪୦ । ପରିବାରମାନେ ଶିବରାମ ଏବଂ ତାଙ୍କ ପତ୍ନୀ ସହ ଦୁଇ ଛୋଟ ଛୁଆ । ମୋବାଇଲ୍ ରିପେରିଂ ଦୋକାନ ଏବଂ ଭୋଜି ଭାତରେ ଡିଜେ ବଜାଇ ବେଶ୍ ଖୁସିରେ ପରିବାର ଚାଲିଥିଲା । ହେଲେ ମାର୍ଚ୍ଚ ମାସରେ କରୋନା ଗଞ୍ଜାମ ଜିଲ୍ଲାରେ ପ୍ରବେଶ କଲା । କରୋନା ଆମ ଖୁସି ପରିବାରକୁ ଦୋହଲାଇଦେଲା । ପରିବାରର କାହାରିକୁ କରୋନା ପ୍ରବେଶ କରିପାରିଲାନି କିନ୍ତୁ ପ୍ରଶାସନର ଲକ୍ଡାଉନ୍ ଏବଂ ସଟ୍ଡାଉନ୍ ଆମ ପରିବାରକୁ ସର୍ବଶାନ୍ତ କରିଦେଲା । ୪ ମାସ ଦୋକାନ ବନ୍ଦ ସହ ବିବାହ ଏବଂ ବ୍ରତ ପ୍ରଶାସନ ବନ୍ଦ କରିଦେଇଥିବା ବେଳେ ଲୋକେ ନିରାଡାମ୍ବରରେ ଭୋଜି ଭାତ କରୁଥିବା ଯୋଗୁଁ ଡିଜେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଗଲା । ସଂଚିତ ପୁଞ୍ଜିରେ ପରିବାର ଚାଲିଛି, କିନ୍ତୁ ଆଉ ଦମ୍ଭ ନାହିଁ । ଦିନକୁ ଦିନ କରୋନାର ପ୍ରକୋପ ଅଧିକ ହେଉଥିବା ଦେଖି ନୂଆ ନୂଆ ନିୟମ ଆସୁଥିବା ଯୋଗୁଁ ଦୋକାନ ଏବଂ ଡିଜେ ଆଦୌ ଚାଲିବ ନାହିଁ । କିପରି ପରିବାର ଚାଲିବ ତାହା ଭାବି ଭାବି ଶିବରାମ ଜେନା ଏବେ ଏକ ପ୍ରକାର ପାଗଳ ହୋଇଯାଇଛନ୍ତି । ସମସ୍ତଙ୍କୁ ଚିହ୍ନି ପାରୁଛନ୍ତି ହେଲେ କିଛି ଖାଦ୍ୟ ଗ୍ରହଣ କରୁନାହାଁନ୍ତି । ବାହାର ଲୋକଙ୍କୁ ଦେଖିବା ମାତ୍ରେ ବାଡେଇବା ପାଇଁ ଦୌଡୁଛନ୍ତି । ତେଣୁ ବାଧ୍ୟ ହୋଇ ତାଙ୍କୁ ଶିଙ୍କୁଳି ବାନ୍ଧି ରଖାଯାଇଛି । ଡାକ୍ତରମାନେ ଯଦି ତାଙ୍କୁ ସଠିକ୍ ଚିକିତ୍ସା କରିଥାନ୍ତେ ତେବେ ମୋ ସ୍ୱାମୀଙ୍କ ଅବସ୍ଥା ଏପରି ହୋଇନଥାନ୍ତା ବୋଲି ଗୀତାଞ୍ଜଳି ଅଭିଯୋଗ କରିଛନ୍ତି ।