କଟକ: ଏକ ହତ୍ୟା ମାମଲାରେ ନିମ୍ନ ଅଦାଲତଙ୍କ ଆଜୀବନ ଦଣ୍ଡାଦେଶ ହାଇକୋର୍ଟରେ କାଏମ୍ ରହିଛି । ହାଇକୋର୍ଟ ଏହି ମାମଲାରେ ନିମ୍ନ ଅଦାଲତଙ୍କ ଆଜୀବନ ଦଣ୍ଡାଦେଶକୁ କାଏମ୍ ରଖିଛନ୍ତି । ଏଥିସହିତ ଆସାମୀ ତଥା ମାମଲାର ଆବେଦନକାରୀ ସାରଥୀ ମହାନନ୍ଦଙ୍କ ଅପିଲ୍କୁ ଖାରଜ କରିଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍ ମୁରଲୀଧର୍ ଓ ବିଚାରପତି ବିଶ୍ୱଜିତ୍ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ଆଦେଶ ଦେଇଛନ୍ତି । ହରବତୀ ବେସ୍ରା ହତ୍ୟା ମାମଲାରେ ଆଇପିସିର ୩୦୨ ଦଫା ଆଧାରରେ ଟିଟିଲାଗଡ଼ ଅତିରିକ୍ତ ସେସନ୍ ଜଜ୍ ଗତ ୨୦୧୩ ମସିହା ନଭେମ୍ବର ୧୨ତାରିଖରେ ଅଭିଯୁକ୍ତକୁ ଆଜୀବନ ସଶ୍ରମ କାରାଦଣ୍ଡ ଆଦେଶ ପ୍ରଦାନ କରିଥିଲେ । ଏଥିସହିତ ଅଦାଲତ ତାକୁ ୨୫ ହଜାର ଟଙ୍କାର ଜୋରିମାନା ଦାଖଲ କରିବାକୁ ଆଦେଶ ଦେଇଥିଲେ ।
ଜୋରିମାନା ଅନାଦେୟ ହେଲେ ଆଉ ଅଧିକ ଏକ ବର୍ଷ ସଶ୍ରମ କାରଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଟିଟିଲାଗଡ଼ ଅତିରିକ୍ତ ସେସନ୍ ଜଜ୍ ଏପରି ଆଦେଶ ଦେଇଥିଲେ । ଏହି ମାମଲାରେ ଆସାମୀ ପରିବାରର ଅନ୍ୟ ସଦସ୍ୟଙ୍କ ବିରୋଧରେ ଦଫା ୪୯୮ଏରେ ମାମଲାର ଶୁଣାଣି ଚାଲୁଥିବାବେଳେ ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ସେହିପରି ଆସାମୀ ଆଇପିସିର ୪୯୮ଏ/୩୦୪ବି/୩୪ ଦଫାରେ ଦୋଷମୁକ୍ତ ହୋଇଥିବାବେଳେ ଅଦାଲତ ଆଇପିସିର ୩୦୨ଦଫାରେ ତାକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଥିଲେ । ସୂଚନା ମୁତାବକ ଆସାମୀ ସାରଥୀ ମହାନନ୍ଦ ଗତ ୨୦୦୫ ମସିହାରେ ମୃତକ ହରବତୀ ବେସ୍ରାକୁ ବିବାହ କରିଥିଲା । ପରବର୍ତ୍ତୀ ସମୟରେ ଆସାମୀ ତଥା ତା’ର ପରିବାରର ଅନ୍ୟ ସଦସ୍ୟମାନେ ମିଶି ହରବତୀକୁ ନିର୍ଯାତନା ଦେଇଥିଲେ ।
ତେବେ ଗତ ୨୦୧୦ ଜୁଲାଇ ୨୨ ତାରିଖରେ ଆସାମୀ ହରବତୀକୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ମୃତକଙ୍କ ପିତା ଲାଖପତି ବେସ୍ରା ଏହି ହତ୍ୟାକାଣ୍ଡ ସମ୍ପର୍କରେ ସିଦ୍ଧେକେଲା ଥାନାରେ ଏତଲା ରୁଜୁ କରିଥିଲେ । ଏହି ମାମଲାରେ ପୁଲିସ୍ ତିନିଜଣଙ୍କ ବିରୋଧରେ କୋର୍ଟରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା । ଟିଟିଲାଗଡ଼ ଅତିରିକ୍ତ ସେସନ୍ ଜଜ୍ ଏହି ମାମଲାରେ ସାରଥି ମହାନନ୍ଦକୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ । ତେବେ ନିମ୍ନ ଅଦାଲତଙ୍କ ଏପରି ଦଣ୍ଡାଦେଶ ବିରୋଧରେ ଆସାମୀ ହାଇକୋର୍ଟରେ ଆବେଦନ କରିଥିଲା । ହାଇକୋର୍ଟ ନିମ୍ନ ଅଦାଲତଙ୍କ ଦଣ୍ଡାଦେଶକୁ କାଏମ ରଖିଛନ୍ତି ।