ନୂଆଦିଲ୍ଲୀ: ଭାରତ ଯେତେବେଳେ ସ୍ବାଧୀନ ହୋଇଥିଲା, ସେତେବେଳେ ଦେଶର ହାରାହାରି ବୟସ ସୀମା ମାତ୍ର ୩୨ ବର୍ଷ ଥିଲା। କିନ୍ତୁ ଏବେ ଏହି ଆୟୁଷ ବଢି ୬୯ ବର୍ଷ ପାର କରିଯାଇଛି। ଅର୍ଥାତ ସ୍ବାଧୀନତାରୁ ନେଇ ଏପର୍ଯ୍ୟନ୍ତ ଭାରତୀୟଙ୍କ ଆୟୁଷ ଦୁଇଗୁଣରୁ ଅଧିକ ବଢିଛି। ଏହି ସୂଚନା ସାମ୍ପଲ ରେଜିଷ୍ଟ୍ରେସନ୍ ସିଷ୍ଟମ(ଏସଆରଏସ୍)ର ନୂଆ ରିପୋର୍ଟରୁ ଜଣାପଡିଛି। ତେବେ ଗ୍ଲୋବାଲ ଆଭରେଜ୍ ରୁ ଏହା ଏବେ ବି କମ୍ ରହିଛି। ବିଶ୍ବରେ ଆୟୁଷ ୭୨ ବର୍ଷ ୬ ମାସ ରହିଛି।ଏହି ରିପୋର୍ଟ ଅନୁସାରେ, ଦିଲ୍ଲୀର ଲୋକଙ୍କର ଆୟୁଷ ସବୁଠାରୁ ଅଧିକ। ସେଠାର ଲୋକଙ୍କର ହାରାହାରି ଆୟୁଷ ୭୫ ବର୍ଷ ୯ ମାସ ରହିଛି। ସେଭଳି ସବୁଠାରୁ କମ୍ ଆୟୁଷ ଛତିଶଗଡର ଲୋକଙ୍କର ରହିଛି। ତାଙ୍କର ହାରାହାରି ଆୟୁଷ ୬୫ ବର୍ଷ ୩ ମାସ ରହିଛି। ଦିଲ୍ଲୀ ପରେ କେରଳ ଦ୍ବିତୀୟ ସ୍ଥାନରେ ରହିଛି, ସେଠାରେ ଲୋକଙ୍କର ହାରାହାରି ଆୟୁଷ୍କ ସବୁଠାରୁ ଅଧିକ। କେରଳର ଲୋକଙ୍କ ଆୟୁଷ ୭୫ ବର୍ଷ ୨ ମାସ ରହିଛି। ଲିଷ୍ଟରେ ଓଡିଶାର ସ୍ଥାନ ୧୩ ନମ୍ବରର ରହିଛି। ଓଡିଶାର ପୁରୁଷଙ୍କ ଆୟୁଷ ୬୮.୫ ବର୍ଷ ରହିଥିବା ବେଳେ ମହିଳାଙ୍କର ହାରାହାରି ଆୟୁ: ୭୧.୧ ବର୍ଷ ରହିଛି। ଏସଆରଏସ୍ ର ଏବ୍ରିଜ ଲାଇଫ ଟେବୁଲ ୨୦୧୫-୧୯ ର ରିପୋର୍ଟ ନିକଟରେ ଜାରି କରାଯାଇଛି। ଏଥିରୁ ଜଣାପଡିଛି ଯେ, ଭାରତୀୟଙ୍କ ବଞ୍ଚିବାର ବୟସ୍ ୬୯.୭ ବର୍ଷ ହୋଇଯାଇଛି। ଅର୍ଥାତ ଏବେ ପ୍ରତି ଭାରତୀୟଙ୍କ ହାରହାରି ବୟସ ୬୯ ବର୍ଷ ୭ ମାସ ହୋଇଛି। ଏହି ରିପୋର୍ଟରେ ଜଣାପଡିଛି ଯେ, ପୁରୁଷଙ୍କ ତୁଳନାରେ ମହିଳା ମାନେ ଅଢେଇ ବର୍ଷ ଅଧିକ ବଞ୍ଚିଥାନ୍ତି। ଦେଶରେ ପୁରୁଷଙ୍କ ହାରାହାରି ଆୟୁଷ ୬୮ ବର୍ଷ ୪ ମାସ ରହିଥିବା ବେଳେ ମହିଳାଙ୍କ ହାରାହାରି ବୟସ ୭୧ ବର୍ଷ ୧ ମାସ ରହିଛି। ଗ୍ରାମୀଣଙ୍କ ତୁଳନାରେ ସହରର ଲୋକଙ୍କର ଆୟୁଷ ଅଧିକ ରହିଛି। ସହରରେ ରହୁଥିବା ଲୋକଙ୍କର ହାରାହାରି ଆୟୁଷ ୭୩ ବର୍ଷ ରହିଛି, ସେଭଳି ଗାଁରେ ରହୁଥିବା ଲୋକଙ୍କର ଆୟୁଷ ୬୮ ବର୍ଷ ୩ ମାସ ରହିଛି।