ସୋର: ଆଉ ଦୁଇ ମାସ ପରେ ବିବାହକୁ ୨ବର୍ଷ ପୂରିଥାଆନ୍ତା । ବୈବାହିକ ଜୀବନର ସୁଖ ଦୁଃଖ ବୁଝିବା ଆଗରୁ ଯୈାତୁକ ଜୁଇରେ ଜଳିଗଲେ ଜୟନ୍ତୀ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ତେଲିଆଗଞ୍ଜ ଗ୍ରାମରେ । ଏହି ଗ୍ରାମର ଭାଗିରଥୀ ଜେନାଙ୍କ ପୁଅ ଗଙ୍ଗାଧର ସହ ସୋର ଥାନା ଅଧୀନ ବାଇନଣ୍ଡା ମଙ୍ଗରାଜପୁର ଗ୍ରାମର ଗୈାରାଙ୍ଗ ଜେନାଙ୍କ ଝିଅ ଜୟନ୍ତୀଙ୍କର ୨୦୧୯ରେ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଥିଲା ।
ବିବାହର କିଛିଦିନ ଭଲରେ କଟିବା ପରେ ଜୟନ୍ତୀଙ୍କ ଉପରେ ଅଧିକ ଯୈାତୁକ ଦାବିରେ ମାନସିକ ଓ ଶାରୀରିକ ନିର୍ଯାତନା ଆରମ୍ଭ ହୋଇଥିଲା । ଦୁଇ ପକ୍ଷଙ୍କ ଭିତରେ ବୁଝାମଣା ପାଇଁ ଭଦ୍ରଲୋକଙ୍କ ଉଦ୍ୟମ ବିଫଳ ହୋଇଥିଲା । ଆଜି ଜୟନ୍ତୀଙ୍କୁ ଶୋଇବା ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାରକରି ଡାକ୍ତରଖାନା ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ଗୈାରାଙ୍ଗଙ୍କ ଭାଇ ଗୋବିନ୍ଦ ଝିଆରୀ ଜୟନ୍ତୀକୁ ସ୍ୱାମୀ, ଶାଶୁ, ଶ୍ୱଶୁର, ଦେଢ଼ଶୂର ଓ ଯାଆଙ୍କ ବିରୁଦ୍ଧରେ ଯୈାତୁକ ଦାବିରେ ମାରିଦେଇଥିବା ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଥିବା କହିଛନ୍ତି ଭାରପ୍ରାପ୍ତ ଅଧିକାରିଣୀ ସୁଜାତା ଖମାରୀ ।