ନୂଆଦିଲ୍ଲୀ: ଭାରତର ପ୍ରଖ୍ୟାତ ଆଇନଜ୍ଞ ତଥା ସୁପ୍ରିମକୋର୍ଟର ପୂର୍ବତନ ଅଭିଜ୍ଞ ବରିଷ୍ଠ ଆଇନଜୀବୀ ଫଲୀ ଏସ୍ ନରିମନ୍ଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା । ବୁଧବାର ଦିଲ୍ଲୀ ସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱସ ତ୍ୟାଗ କରିଛନ୍ତି । ଆଇନଜୀବୀ ଭାବେ ତାଙ୍କର ୭୦ବର୍ଷର ଅଭିଜ୍ଞତା ଥିଲା । ୧୯୨୯, ଜାନୁଆରୀ ୧୦ରେ ମିଆଁମାରରେ ଏକ ପାର୍ସିି ପରିବାରରେ ଜନ୍ମଗ୍ରହଣ କରିଥିବା ନରିମନ୍, ୧୯୫୦ ନଭେମ୍ବରରେ ବମ୍ବେ ହାଇକୋର୍ଟରେ ଓକିଲାତି କରିବା ଆରମ୍ଭ କରିଥିଲେ । ମାତ୍ର ୩୮ବର୍ଷ ବୟସରେ ତାଙ୍କୁ ହାଇକୋର୍ଟ ବିଚାରପତି ହେବା ପାଇଁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା । କିନ୍ତୁ ସେ ଓକିଲାତି ପେଶା ଜାରି ରଖିବାକୁ ମନସ୍ଥ କରି ବିନମ୍ରତାର ସହ ବିଚାରପତି ହେବା ଅଫର୍କୁ ମନାକରିଦେଇଥିଲେ ।
୧୯୭୨ରେ ସେ ସୁପ୍ରିମକୋର୍ଟରେ ଓକିଲାତି କରିବା ଆରମ୍ଭ କରିଥିଲେ । ଏହି ବର୍ଷ ହିଁ ତାଙ୍କୁ ସୁପ୍ରିମକୋର୍ଟ ଭାରତର ଅତିରିକ୍ତ ସଲିସିଟର ଜେନେରାଲ୍ ଭାବେ ନିଯୁକ୍ତି ଦେଇଥିଲେ । କିନ୍ତୁ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ନିଆଯାଇଥିବା କେତେକ ନିଷ୍ପତ୍ତିକୁ ବିରୋଧ କରିବା ପୂର୍ବକ ସେ ଏହି ପଦରୁ ଇସ୍ତଫା ଦେଇଥିଲେ । ଏତଦ୍ବ୍ୟତୀତ ୧୯୯୧ରୁ ୨୦୧୦ ପର୍ଯ୍ୟନ୍ତ ସେ ବାର୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଭାରତ ସରକାର ତାଙ୍କୁ ୧୯୯୧ରେ ପଦ୍ମଭୂଷଣ ଏବଂ ୨୦୦୭ରେ ପଦ୍ମ ବିଭୂଷଣ ଭଳି ସମ୍ମାନରେ ସମ୍ମାନିତ କରିଥିଲେ । ନରିମନ୍ଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଦେଶର ବଡ଼ବଡ ନେତା ତଥା କପିଲ ସିବଲଙ୍କ ଭଳି ବଡ଼ ବଡ଼ ଓକିଲ ଶୋକବ୍ୟକ୍ତ କରିଛନ୍ତି ।