32.1 C
Bhubaneswar
Friday, October 18, 2024
Homeଓଡିଶାମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା “ସ୍ଥାନ ଭିତ୍ତିକ ଗବେଷଣା ସଂକଳନ”ର ଉନ୍ମୋଚନ

ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା “ସ୍ଥାନ ଭିତ୍ତିକ ଗବେଷଣା ସଂକଳନ”ର ଉନ୍ମୋଚନ

ଭୁବନେଶ୍ୱର: ଫଳାଫଳ ଭିତ୍ତିକ ଉନ୍ନୟନମୂଳକ ପରିଚାଳନା ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୁପ ରାଜ୍ୟ ସରକାର ସ୍ଥାନ ଭିତ୍ତିକ ଅଧ୍ୟୟନ କାର୍ଯ୍ୟ ଆରମ୍ଭ କରିଛନ୍ତି । ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀର ଉତ୍କର୍ଷ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ପ୍ରଥମ ସ୍ଥାନ ଭିତ୍ତିକ ଗବେଷଣା ସଂକଳନକୁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉନ୍ମୋଚନ କରିଛନ୍ତି । ଏଥି ପାଇଁ ରାଜ୍ୟ ଲୋକସେବା ଭବନ ସଭାଗୃହରେ ଆୟୋଜିତ ବୈଠକରେ ଗୋପବନ୍ଧୁ ଏକାଡ଼େମୀର ମହା ନିର୍ଦ୍ଦେଶକ ରଂଜନା ଚୋପ୍ରା ଏବଂ ୟୁନିସେଫ୍ର ରାଜ୍ୟ ମୁଖ୍ୟ ଡ଼ଃ ମୋନିକା ନିଲେସନ୍ ଯୋଗ ଦେଇଥିଲେ । ଉତ୍କର୍ଷ କେନ୍ଦ୍ରର ଏତାଦୃଶ ସୃଜନାତ୍ମକ ପ୍ରଚେଷ୍ଟା ପାଇଁ ଗବେଷକମାନଙ୍କୁ ସାଧୁବାଦ ଜଣାଇବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏ ପ୍ରକାର ଅଧ୍ୟୟନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ ।

ଏସବୁ ଅଧ୍ୟୟନ ମାଧ୍ୟମରେ ଜନ-ସମୁଦାୟମାନଙ୍କର ଆବଶ୍ୟକତା, ଆକାଂକ୍ଷା ଏବଂ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଥିବା କ୍ଷେତ୍ରସ୍ତରୀୟ ଗୁରୁତ୍ୱପୂର୍ଣ୍ଣ-ଶୂନ୍ୟତା (କ୍ରିଟିକାଲ୍ ଗ୍ୟାପ୍‌) ଆଦି ଜାଣି ହେବ । ଅଧ୍ୟୟନର ଫଳାଫଳ ଅଧିକାରୀମାନଙ୍କ ତାଲିମ ନିମନ୍ତେ ଅତି ଉପାଦେୟ ଦେବା ସହ ଏବଂ ଅନ୍ୟତ୍ର ପ୍ରୟୋଗ ନିମନ୍ତେ ବିଭିନ୍ନ ପ୍ରକଳ୍ପ ନମୁନା ପ୍ରସ୍ତୁତିରେ ସହାୟକ ହେବବୋଲି ଶ୍ରୀ ମହାପାତ୍ର କହିଥିଲେ । ମହା ନିର୍ଦ୍ଦେଶ ଶ୍ରୀମତୀ ଚୋପ୍ରା କହିଥିଲେ ଯେ ରାଜ୍ୟ ସରକାରଙ୍କ ପାଣ୍ଠି ଏବଂ ୟୁନିସେଫ୍‌ଙ୍କ ବୈଷୟିକ ସହଯୋଗିତାରେ ୨୦୨୧ ମସିହାରୁ ଗୋପବନ୍ଧୁ ଏକାଡ଼େମୀର ଉତ୍କର୍ଷ କେନ୍ଦ୍ର ରାଜ୍ୟ ତାଲିମ ନିୟାମକ ଅନୁସାରେ କାର୍ଯ୍ୟ କରୁଛି ।

ଏହାର ପ୍ରଥମ ସଂକଳନ ବର୍ତ୍ତମାନ ପ୍ରକାଶିତ ହେଲା । ଏହି ସଂକଳନ ଉଭୟ ଉନ୍ନୟନମୂଳକ-ପ୍ରଶାସନ ଏବଂ ଅଧିକାରୀ ମାନଙ୍କ ତାଲିମର ଗୁଣାତ୍ମକ ବିକାଶରେ ବ୍ୟବହୃତ ହେବ । ୟୁନିସେଫ୍ ରାଜ୍ୟ ମୁଖ୍ୟ ଡ଼ଃ ମୋନିକା କହିଥିଲେ ଯେ ସ୍ଥାନ ଭିତ୍ତିକ ଗବେଷଣା ପଦ୍ଧତି ନେଇ କାର୍ଯ୍ୟ କରୁଥିବା ଉତ୍କର୍ଷ କେନ୍ଦ୍ର ସାରା ଦେଶରେ ପ୍ରଥମ । ଗୋପବନ୍ଧୁ ଏକାଡ଼େମୀର ଏହି କେନ୍ଦ୍ର ସହ ୟୁନିସେଫ୍ ନିଜର ସହଯୋଗିତା ବଜାୟ ରଖିବ । ଡ଼ଃ ଶଶାଙ୍କ ଗ୍ରହାଚାର୍ଯ୍ୟ, ପଦ୍ମଜା ପତି, ସୌମ୍ୟ ବାନାର୍ଜୀ, ରଶ୍ମିତା ବେହେରା ଏବଂ ଅମର୍ତ୍ୟ କ୍ରିଷ୍ଣା ରାୟ ଆଦି ଗବେଷକମାନଙ୍କୁ ନେଇ ଗଠିତ ଉତ୍କର୍ଷ କେନ୍ଦ୍ରର ଗବେଷଣା ଟିମ୍‌ଙ୍କ ଦ୍ୱାରା ଏହି ଅଧ୍ୟୟନ କରାଯାଇଛି । ସଂକଳନଟିକୁ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ଏବଂ ୟୁନିସେଫ୍‌ଙ୍କ ଦ୍ୱାରା ଯୌଥ ଭାବେ ପ୍ରକାଶନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking