18.1 C
Bhubaneswar
Monday, November 25, 2024
Homeଓଡିଶାପେପର୍‌ଲେସ୍ ବ୍ୟବସ୍ଥାର ଶୁଭାରମ୍ଭ,କାଗଜବିହୀନ କୋର୍ଟର ବହୁ ସକାରାତ୍ମକ ପ୍ରଭାବ ରହିଛି: ପ୍ରଧାନ ବିଚାରପତି

ପେପର୍‌ଲେସ୍ ବ୍ୟବସ୍ଥାର ଶୁଭାରମ୍ଭ,କାଗଜବିହୀନ କୋର୍ଟର ବହୁ ସକାରାତ୍ମକ ପ୍ରଭାବ ରହିଛି: ପ୍ରଧାନ ବିଚାରପତି

କଟକ: ତ୍ୱରିତ ମାମଲା ଫଇସଲା କ୍ଷେତ୍ରରେ ବିଚାର ବ୍ୟବସ୍ଥାର ପରିଚାଳନା ପାଇଁ ବୈଷୟିକ ଜ୍ଞାନକୌଶଳ ଅପରିହାର୍ଯ୍ୟ ହୋଇ ପଡ଼ିଛି। ଓଡ଼ିଶା ହାଇକୋର୍ଟର (ଇ-ଇନିସିଏଟିଭ) ଅନ୍‌ଲାଇନ ପ୍ରୟାସ ଭାରତୀୟ ବିଚାର ବ୍ୟବସ୍ଥାକୁ ନୂଆ ଦିଗ ଦେଖାଇଛି ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ମତବ୍ୟକ୍ତ କରିଛନ୍ତି । କଟକ ସ୍ଥିତ ଜୁଡ଼ିସିଆଲ ଏକାଡେମୀ ପରିସରରେ ଆଜି ଜିଲ୍ଲାସ୍ତରୀୟ ଆଇନ୍ ଅଦାଲତ ପାଇଁ ୩୦ ଜିଲାର ୩୪ କାଗଜବିହୀନ କୋର୍ଟକୁ ଉଦ୍‌ଘାଟନ କରି ପ୍ରଧାନ ବିଚାରପତି ଭାରତୀୟ ବିଚାର ବ୍ୟବସ୍ଥାରେ ବୈଷୟିକଜ୍ଞାନର ବୈପ୍ଳବିକତା ସମ୍ପର୍କରେ ଆଲୋକପାତ କରିଥିଲେ । ବୈଷୟିକ ଜ୍ଞାନ ବିକାଶର ପୂର୍ବବର୍ତ୍ତୀ ସମୟରେ ନିଜେ ଜଣେ ଯୁବ ଆଇନଜୀବୀ ଭାବେ କାର୍ଯ୍ୟ କରିବା ବେଳର କଷ୍ଟକର ଅଭିଜ୍ଞତାକୁ ସେ ବର୍ଣ୍ଣନା କରିଥିଲେ ।

ଏବେ ବୈଷୟିକ ଜ୍ଞାନକୌଶଳର ବିକାଶ ଫଳରେ କାଗଜବିହୀନ କୋର୍ଟ ଦ୍ୱାରା କାର୍ଯ୍ୟକ୍ଷେତ୍ରରେ ବହୁ ସକାରାତ୍ମକ ପ୍ରଭାବ ପଡ଼ୁଛି । ଓଡ଼ିଶାର ବିଚାର ବିଭାଗୀୟ ଅଧିକାରୀମାନେ ସ୍ୱେଚ୍ଛାକୃତ ଭାବେ କାଗଜବିହୀନ କୋର୍ଟ ନିମନ୍ତେ ଆଗେଇ ଆସିବା ଖୁସିର କଥା ବୋଲି ଜଷ୍ଟିସ ଲଳିତ କହିଛନ୍ତି । ଏଥିରେ ଯୋଗ ଦେଇ ସୁପ୍ରିମକୋର୍ଟର ବିଚାରପତି ଡି. ୱାଇ.ଚନ୍ଦ୍ରଚୂଡ଼ କହିଲେ ଯେ, ବିଚାର ବ୍ୟବସ୍ଥାରେ ଇ-ପ୍ରୟାସ କରି ଓଡ଼ିଶା ହାଇକୋର୍ଟ ଏକ ଐତିହାସିକ ପଦକ୍ଷେପ ନେଇଛି । ହାଇକୋର୍ଟର ୭୫ ବର୍ଷ ପାଳନ ଅବସରରେ ଏହା ଏକ ଉଲ୍ଲେଖନୀୟ ସ୍ମାରକୀ ବୋଲି ସେ ମତବ୍ୟକ୍ତ କରିଥିଲେ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ୍‌.ମୁରଲୀଧର ସ୍ୱାଗତ ଭାଷଣ ଦେଇ କହିଲେ ଯେ, କାଗଜବିହୀନ କୋର୍ଟ ସମେତ କୋର୍ଟ ଫି ଇ-ଦେୟ, ଭର୍ଚୁଆଲ ଶୁଣାଣି, ଇ- ଟ୍ରାଫିକ ଚାଲାଣ ଆଦି କାର୍ଯ୍ୟକ୍ଷମ କରିବା ଦିଗରେ ସୁପ୍ରିମକୋର୍ଟ ଇ-କମିଟିର ପ୍ରମୁଖ ମାର୍ଗଦର୍ଶନ ରହିଛି ।

ଜିଲାସ୍ତରରେ କାଗଜବିହୀନ କୋର୍ଟ ଭାରତୀୟ ବିଚାର ବ୍ୟବସ୍ଥାରେ ଏକ ମାଇଲଖୁଣ୍ଟ ହେବ । ଏଥିପାଇଁ ଓଡ଼ିଶାର ସମସ୍ତ ବିଚାର ବିଭାଗୀୟ ଅଧିକାରୀଙ୍କୁ ଖୁବ୍ ଶୀଘ୍ର ସ୍କ୍ରିନ୍ ଟଚ୍ ଲାପଟପ୍ ଦିଆଯିବ ବୋଲି ମୁଖ୍ୟ ବିଚାରପତି ଘୋଷଣା କରିଥିଲେ । ସୁପ୍ରିମକୋର୍ଟ ଇ-କମିଟି ଅଧ୍ୟକ୍ଷ ବିଚାରପତି ଏମ.ଆର. ଶାହା ଓଡ଼ିଶା ହାଇକୋର୍ଟ ଦ୍ୱାରା ନିଆଯାଇଥିବା ଏହି କାଗଜବିହୀନ କୋର୍ଟ ବ୍ୟବସ୍ଥା ଅନ୍ୟ ରାଜ୍ୟରେ ଲାଗୁ ହେବ ବୋଲି ଆଶାପ୍ରକାଶ କରିଥିଲେ । ଓଡ଼ିଶା ହାଇକୋର୍ଟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଣ୍ଡ ଇନ୍‌ଫର୍ମେସନ ଟେକ୍ନୋଲୋଜି କମିଟିର ଅଧ୍ୟକ୍ଷ ବିଚାରପତିଏସ୍‌.ତାଳପତ୍ର ଧନ୍ୟବାଦ ଅର୍ପଣ କରି କାଗଜବିହୀନ କୋର୍ଟ ବ୍ୟବସ୍ଥା ଲାଗୁ ପୂର୍ବରୁ ହାଇକୋର୍ଟର ସମସ୍ତ ବେଞ୍ଚରେ ପ୍ରଥମେ ଏହି ବ୍ୟବସ୍ଥାକୁ ପ୍ରଥମେ କାର୍ଯ୍ୟକାରୀ କରାଯାଇଥିବାରୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

ଏହି ଅବସରରେ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ସ୍ମାରକୀ ସ୍ୱରୂପ ହାଇକୋର୍ଟ ଛବି ଥାଇ ଏକ ସ୍ୱତନ୍ତ୍ର ପୋଷ୍ଟାଲ କଭର ଏବଂ ୬ଟି ପୋଷ୍ଟ କାର୍ଡ ଆଦି ଉନ୍ମୋଚନ କରାଯାଇଥିଲା । ଓଡ଼ିଶା ସର୍କଲର ଚିଫ୍ ପୋଷ୍ଟ ମାଷ୍ଟର ଜେନେରାଲ ଶୁଭେନ୍ଦୁ କୁମାର ସ୍ୱାଇଁ ଏହି ଅବସରରେ ଉପସ୍ଥିତ ଥିଲେ । ଏହି ଉତ୍ସବରେ ଆଡ୍‌ଭୋକେଟ୍‌ଜେନେରାଲ ଅଶୋକ କୁମାର ପରିଜା,ହାଇକୋର୍ଟ ପାଇଁ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ ଅଫ ଇଣ୍ଡିଆ ପ୍ରସନ୍ନ କୁମାର ପାଢ଼ୀ, ହାଇକୋର୍ଟର ବିଚାରପତିଗଣ, ଜିଲା ଜଜ, ବିଚାର ବିଭାଗୀୟ ଅଧିକାରୀଙ୍କ ସମେତ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ହାଇକୋର୍ଟ ବାର ଆସୋସିଏସନର କର୍ମକର୍ତ୍ତା, ବହୁ ବରିଷ୍ଟ ଆଇନଜୀବୀମାନେ ଉପସ୍ଥିତ ଥିଲେ ।

ସେହିପରି କଟକ ସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଗ୍ରାଜୁଏଟ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଉଦୟ ଉମେଶ ଲଳିତ, ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଡି .ୱାଇ.ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଏମ.୍‌ଆର.ଶାହା ମଧ୍ୟ ଏଥିରେ ଯୋଗ ଦେଇଛନ୍ତି । ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଏସ୍ ମୁରଲୀଧରଙ୍କ ସମେତ ଅନ୍ୟାନ୍ୟ ବିଚାରପତି ଉପସ୍ଥିତଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking