27.1 C
Bhubaneswar
Friday, June 28, 2024
Homeଦେଶ ବିଦେଶକ୍ଷେପଣାସ୍ତ୍ର ଆକ୍ରମଣରୁ ବର୍ତ୍ତିବାକୁ ଇସ୍ରାଏଲରେ ଲେଜର ୱାଲ୍‌

କ୍ଷେପଣାସ୍ତ୍ର ଆକ୍ରମଣରୁ ବର୍ତ୍ତିବାକୁ ଇସ୍ରାଏଲରେ ଲେଜର ୱାଲ୍‌

ଜେରୁଜେଲମ: ପଡୋଶୀ ପାଲେଷ୍ଟାଇନରେ ସକ୍ରିୟ ଥିବା ହାମାସ୍ ଆତଙ୍କବାଦୀ ସଂଗଠନର କ୍ଷେପଣାସ୍ତ୍ର ଓ ରକେଟ୍ ଆକ୍ରମଣରୁ ବର୍ତ୍ତିବାକୁ ଇସ୍ରାଏଲ ବର୍ତ୍ତମାନ ‘ଲେଜର ୱାଲ୍‌’ ନିର୍ମାଣ କରୁଛି ବୋଲି ପ୍ରଧାନମନ୍ତ୍ରୀ ନାଫ୍‌ତାଲି ବେନେଟ୍ ସୂଚନା ଦେଇଛନ୍ତି । ମଙ୍ଗଳବାର ଏଠାରେ ଦେଶର ନିରାପତ୍ତାଜନିତ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଭାଷଣ ଦେଇ ସେ କହିଛନ୍ତି ଯେ ଶତ୍ରୁପକ୍ଷର ରକେଟ୍ ଓ କ୍ଷେପଣାସ୍ତ୍ର ଆକ୍ରମଣରୁ ରକ୍ଷା ପାଇବାକୁ ଇସ୍ରାଏଲ ବର୍ତ୍ତମାନ ଲେଜର ଟେକ୍ନୋଲୋଜି ଉପରେ ନିର୍ଭର କରୁଛି । ସୂଚନା ଅନୁଯାୟୀ ଜଳ, ସ୍ଥଳ ଓ ଆକାଶରେ ଏହି ଲେଜର ୱାଲ୍ ଖଞ୍ଜାଯାଇପାରିବ । ଏହାଦ୍ୱାରା କିଛି ସେକେଣ୍ଡ ମଧ୍ୟରେ ଶତ୍ରୁପକ୍ଷର ରକେଟ୍ କିମ୍ବା କ୍ଷେପଣାସ୍ତ୍ରକୁ ଧ୍ୱଂସ କରାଯାଇପାରିବ । ଇସ୍ରାଏଲ ଇତିପୂର୍ବରୁ ‘ଆଇରନ୍ ଡୋମ୍‌’ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିସାରିଛି ।

ଇସ୍ରାଏଲର ପ୍ରତିରକ୍ଷା ବିଶେଷଜ୍ଞମାନେ ଗତବର୍ଷ ଜୁନ୍‌ରୁ ଲେଜର ୱାଲ୍‌ର ପରୀକ୍ଷଣ ଆରମ୍ଭ କରିଛନ୍ତି । ଯୁଦ୍ଧବିମାନରେ ଏହାକୁ ଖଞ୍ଜାଯାଉଥିବାବେଳେ ୧ କିମି ବ୍ୟାସାର୍ଦ୍ଧରେ ରହିଥିବା ରକେଟ୍ କିମ୍ବା କ୍ଷେପଣାସ୍ତ୍ରକୁ ଏହା ଧ୍ୱଂସ କରିପାରୁଛି । ଏହି ପରୀକ୍ଷଣ ଶହେ ପ୍ରତିଶତ ସଫଳ ହୋଇସାରିଛି । ଇସ୍ରାଏଲ ସରକାର ବର୍ତ୍ତମାନ ଏହି ଲେଜର ୱାଲ୍‌ର କ୍ଷମତା ୧୦୦ କିଲୋୱାଟ୍ ଏବଂ ରେଞ୍ଜ୍ ୨୦ କିମିକୁ ବୃଦ୍ଧି କରିବାକୁ ଉଦ୍ୟମ ଚାଇଛନ୍ତି । ଆଜକୁ ୧୦ ବର୍ଷ ପୂର୍ବେ ଇସ୍ରାଏଲ ‘ଆଇରନ୍ ଡୋମ୍‌’ ସୁରକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଥିଲା । ଏହାକୁ ମୋବାଇଲ ମିସାଇଲ ଇଣ୍ଟରସେପ୍ଟର ସିଷ୍ଟମ ବୋଲି କୁହାଯାଇଥାଏ ।

ଏଥିରେ ଖଞ୍ଜାଯାଇଥିବା ଶକ୍ତିଶାଳୀ ରାଡାର ଶତ୍ରୁପକ୍ଷର ରକେଟ କିମ୍ବା କ୍ଷେପଣାସ୍ତ୍ରକୁ ଚିହ୍ନଟ କରିବା ସହ ସେଗୁଡିକୁ ଧ୍ୱଂସ କରିଥାଏ । ପ୍ରତ୍ୟେକ ପାଣିପାଗରେ କାର୍ଯ୍ୟ କରୁଥିବା ଏହି ଡୋମ୍ ତିନିଭାଗରେ ବିଭକ୍ତ । ଗୋଟିଏ ରାଡାର ହୋଇଥିବାବେଳେ ଅନ୍ୟ ଦୁଇଟି ହେଉଛି କଣ୍ଟ୍ରୋଲ ସିଷ୍ଟମ ଓ ଲଞ୍ଚର । ଶତ୍ରୁପକ୍ଷର କ୍ଷେପଣାସ୍ତ୍ର ଇସ୍ରାଏଲକୁ ଆସିବାମାତ୍ରେ ଏହା ତୁରନ୍ତ ଚିହ୍ନଟ କରିଥାଏ । କେଉଁ ସ୍ଥାନକୁ ଶତ୍ରୁପକ୍ଷର କ୍ଷେପଣାସ୍ତ୍ର ଟାର୍ଗେଟ କରୁଛି, ତାହାକୁ କଣ୍ଟ୍ରୋଲ ସିଷ୍ଟମ ଠାବ କରିଥାଏ । ଏହାପରେ ଲଞ୍ଚରରୁ କ୍ଷେପଣାସ୍ତ୍ରକୁ ନିକ୍ଷେପ କରାଯାଇ ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ନଷ୍ଟ କରାଯାଇଥାଏ । ପାଲେଷ୍ଟାଇନ ବ୍ୟତୀତ ଇରାନ୍ ମଧ୍ୟ ଇସ୍ରାଏଲର ପରମ ଶତ୍ରୁ ପାଲଟିଥିବାରୁ ଏଭଳି ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking