ନୂଆଦିଲ୍ଲୀ: ତୋଶଖାନା ମାମଲାରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅଯୋଗ୍ୟ ସାବ୍ୟସ୍ତ କରିବା ମାମଲାରେ ଶୁଣାଣି କରିବେ ଲାହୋର ହାଇକୋର୍ଟ । ଏଥିପାଇଁ କୋର୍ଟ ଏକ ବେଞ୍ଚ ଗଠନ କରିଛନ୍ତି । ଏଥିରେ ଜଷ୍ଟିସ୍ ଭଟ୍ଟି, ଜଷ୍ଟିସ୍ ଆବିଦ୍ ଅଜିଜ୍ ଶେଖ ଏବଂ ଜଷ୍ଟିସ୍ ସାଜିଦ ମେହମୁଦ ସେଠୀଙ୍କୁ ନେଇ ତିନିଜଣିଆ ଖଣ୍ଡପୀଠ ଗଠନ ହୋଇଛି । ହାଇକୋର୍ଟର ମୁଖ୍ୟ ବିଚାରପତି ମହମ୍ମଦ ଆମିର ଭଟ୍ଟୀଙ୍କ ଅଧ୍ୟକ୍ଷତାରେ ଏହି ତିନି ଜଣିଆ ବେଞ୍ଚ ଜାନୁଆରୀ ୯ ରେ ଶୁଣାଣି କରିବେ ।
ଏହାପୂର୍ବରୁ ଲାହୋର ହାଇକୋର୍ଟ ତୋଶଖାନା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଯୋଗ୍ୟତା ବିରୋଧରେ ଆବେଦନ ଉପରେ ଶୁଣାଣି କରିବା ପାଇଁ ଏକ ବଡ଼ ବେଞ୍ଚ ଗଠନ କରିବାକୁ କହିଥିଲେ । ଆବେଦନରେ କୁହାଯାଇଥିଲା ଯେ ପାକିସ୍ତାନର ନିର୍ବାଚନ ଆୟୋଗ କୋର୍ଟ ନୁହଁନ୍ତି ଏବଂ ଏହା କାହାକୁ ଅଯୋଗ୍ୟ କରିପାରିବ ନାହିଁ । ସୂଚନାଯୋଗ୍ୟ, ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ତୋଶଖାନା ମାମଲାରେ ଇମ୍ରାନ ଖାନଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ଇସିପି କହିଛି ଯେ ପିଟିଆଇର ମୁଖ୍ୟ ରହି ଇମ୍ରାନ ଖାନ ଆଇନ ଉଲ୍ଲଂଘନ କରିଛନ୍ତି । ଆଇନଜୀବୀ ମହମ୍ମଦ ଆଫାକଙ୍କ ପକ୍ଷରୁ ଦାଖଲ ହୋଇଥିବା ପ୍ରଥମ ଆବେଦନରେ ଦର୍ଶାଯାଇଛି ଯେ ଦୁର୍ନୀତିଗ୍ରସ୍ତ ଅଭିଯୋଗରେ ଇସିପି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଅଯୋଗ୍ୟ କରିଛନ୍ତି ଏବଂ ଏହି ଆଚରଣ ପାଇଁ ମିଆଁବାଲିର ଏନ୍ଏ-୯୫ ନିର୍ବାଚନମଣ୍ଡଳୀରୁ ହଟାଇ ଦେଇଛନ୍ତି । ଏହି ମାମଲାକୁ ନେଇ, ନଭେମ୍ବର ୧୧ ରେ ଜଷ୍ଟିସ ସେଠୀ ଆବେଦନ ଉପରେ ଏକ ବୃହତ ବେଞ୍ଚ ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ ।