ଦୁବାଇ : ଅଷ୍ଟ୍ରେଲୀୟ ବ୍ୟାଟର୍ ମାର୍ନସ୍ ଲାବୁଶେନ୍ ବିଶ୍ୱର ନଂ୧ ଟେଷ୍ଟ୍ ବ୍ୟାଟର୍ ହୋଇଛନ୍ତି । ସେ ଇଂଲିଶ୍ ବ୍ୟାଟର୍ ଜୋ ରୁଟ୍ଙ୍କଠାରୁ ଏହି ସ୍ଥାନ ଛଡ଼ାଇ ନେଇଛନ୍ତି । ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଏବଂ ପାକିସ୍ତାନର ବାବର ଆଜମ୍ଙ୍କ ର୍ୟାଙ୍କିଙ୍ଗ୍ରେ ମଧ୍ୟ ସୁଧାର ହୋଇଛି । ସେହିପରି ଭାରତୀୟ ୱିକେଟ୍କିପର୍ ବ୍ୟାଟର୍ ଋଷଭ ପନ୍ତ୍ ପଞ୍ଚମ ସ୍ଥାନରେ ରହିଛନ୍ତି ଏବଂ ସେ ଦେଶର ସବୁଠୁ ଉଚ୍ଚ ର୍ୟାଙ୍କିଙ୍ଗ୍ର ବ୍ୟାଟର୍ର ମାନ୍ୟତା ପାଇଛନ୍ତି । ଆଇସିସି ପକ୍ଷରୁ ବୁଧବାର ଏହି ନୂଆ ଟେଷ୍ଟ୍ ର୍ୟାଙ୍କିଙ୍ଗ୍ ଜାରି କରାଯାଇଛି । ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ୨୦୪ ଏବଂ ୧୦୪ ରନ୍ର ଅପରାଜିତ ଇନିଂସ୍ ଖେଳିଥିବା ଲାବୁଶେନ୍ଙ୍କର ଏବେ ୯୩୫ ପଏଣ୍ଟ୍ ହୋଇଛି । ତାଙ୍କ ଟିମ୍ର ଷ୍ଟିଭ୍ ସ୍ମିଥ୍ ୮୯୩ ପଏଣ୍ଟ୍ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ବାବର ଆଜମ୍ ୮୭୯ ପଏଣ୍ଟ୍ ସହ ଦ୍ୱିତୀୟ ଏବଂ ଗତ ସପ୍ତାହରେ ଶୀର୍ଷରେ ଥିବା ରୁଟ୍ ୮୧୪ ପଏଣ୍ଟ୍ ସହ ଚତୁର୍ଥ ସ୍ଥାନକୁ ଖସିଆସିଛନ୍ତି । ଋଷଭ୍ ପନ୍ତ୍ ୮୦୧ ପଏଣ୍ଟ୍ ସହ ପଞ୍ଚମ ସ୍ଥାନରେ ରହିଛନ୍ତି । ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ ବିଜୟ ବଳରେ ଅଷ୍ଟ୍ରେଲିଆ ଏବେ ଟିମ୍ ର୍ୟାଙ୍କିଙ୍ଗ୍ରେ ନଂ-୩ରୁ ନଂ-୧ରେ ପହଞ୍ଚିଛନ୍ତି । ଅଷ୍ଟ୍ରେଲିଆର ୧୨୮ ପଏଣ୍ଟ୍ ହୋଇଥିବା ବେଳେ ଭାରତ ୧୧୪ ପଏଣ୍ଟ୍ ସହ ଦ୍ୱିତୀୟ ଏବଂ ସାଉଥ୍ ଆଫ୍ରିକା (୧୦୪) ତୃତୀୟ ସ୍ଥାନରେ ରହିଛି । ବୋଲିଂ ର୍ୟାଙ୍କିଙ୍ଗ୍ରେ ଅଷ୍ଟ୍ରେଲିଆ କ୍ୟାପ୍ଟେନ୍ ପ୍ୟାଟ୍ କମିନ୍ସ (୮୮୭) ଶୀର୍ଷରେ କାଏମ୍ ଥିବାବେଳେ ଭାରତୀୟ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ୮୪୨ ପଏଣ୍ଟ୍ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପାକିସ୍ତାନ ବିପକ୍ଷରେ ୫ ୱିକେଟ୍ ହାସଲ କରିଥିବା ଜେମ୍ସ ଆଣ୍ଡରସନ୍ (୮୪୦) ପଞ୍ଚମରୁ ତୃତୀୟ ସ୍ଥାନକୁ ଉଠିଥିବା ବେଳେ ଭାରତୀୟ ପେସର୍ ଜସ୍ପ୍ରୀତ୍ ବୁମ୍ରା (୮୨୮) ଚତୁର୍ଥ ସ୍ଥାନରେ ରହିଛନ୍ତି ।