ନବରଙ୍ଗପୁର: ପୋଲିସ ଆଗରେ ମାଆ ମୃତ୍ୟୁର କାହାଣୀ ବଖାଣିଲା କୁନି ଝିଅ । ବାପା କେମିତି ଗଳା ଚିପି ମାଆକୁ ହତ୍ୟା କରିଥିଲେ, ତାହା ପୋଲିସ ଆଗରେ କହିଲା ଅଢେଇ ବର୍ଷର ଝିଅ । ସମସ୍ତଙ୍କୁ ତାଜୁବ କଲାଭଳି ଏଭଳି ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରୁ । ଦାଦନ ଖଟିବାକୁ ଜଣେ ଦମ୍ପତି ଆନ୍ଧ୍ରପ୍ରଦେଶର କାକିନାଡ଼ାକୁ ଯାଇଥିବାବେଳେ ସେଠାରେ ସ୍ୱାମୀ ନିଜର ସ୍ତ୍ରୀକୁ ହତ୍ୟା କରିଛି । ଯାହାର ପୁରା ଘଟଣା ପୋଲିସ ଆଗରେ କହିଛି ତାଙ୍କର କୁନି ଝିଅ । ଝିଅଟିର ବୟାନ ଆଧାରରେ ପୋଲିସ ଅଭିଯୁକ୍ତ ପତ୍ନୀହନ୍ତାଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ୭ ବର୍ଷ ତଳେ ଉମରକୋଟ ବ୍ଲକ ବଙ୍ଗୀୟ କାରା ଗ୍ରାମର ତପନ ମଣ୍ଡଳଙ୍କ ଝିଅ ଲିପିକା ମଣ୍ଡଳ ସିଲାଟି ଗ୍ରାମର ମାଣିକ ଘୋଷଙ୍କୁ ବିବାହ କରିଥିଲେ । ମାଣିକ ହୋଟେଲ ମ୍ୟାନଜମେଣ୍ଟ ପାଠ ପଢିଥିଲେ ହେଁ ବିବାହ ବେଳକୁ କୌଣସି ଚାକିରୀ କରୁନଥିଲେ ।
ଏହାକୁ ନେଇ ମେ’ ମାସରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା । ଏହି ଘଟଣାକୁ ନେଇ ଉମରକୋଟ ଥାନାରେ ଅଭିଯୋଗ ପରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା । ଏହାପରେ ଲିପିକା ନିଜ ବାପଘରକୁ ପଳାଇ ଆସିଥିଲେ । ତେବେ ଜୁନ ମାସରେ ପୁଅ ଘରଲୋକ ସେଠାକୁ ଯାଇ ବୋହୂକୁ ନେବାକୁ କହିଥିଲେ । କିନ୍ତୁ ଝିଅଘର ଛାଡ଼ିବା ପାଇଁ ରାଜି ନଥିଲେ । ଶେଷରେ ଗ୍ରାମଲୋକଙ୍କ ବୈଠକ ବସିବା ପରେ ଲିପିକାଙ୍କ ପରିବାର ଲୋକେ ତାଙ୍କୁ ସ୍ୱାମୀ ନିକଟକୁ ଛାଡିଥିଲେ । ଜୁନ୍ ମାସରେ ସ୍ୱାମୀ ଓ ସ୍ତ୍ରୀ ଦାଦନ ଖଟିବାକୁ ସୁଦୂର କାକିନାଡ଼ା ଯାଇଥିଲେ ।
ସେଠାରେ ମାଣିକ ଗୋଟିଏ ହୋଟେଲରେ କାମ କରୁଥିଲେ । ମାଣିକ କାକିନାଡ଼ାରେ ରହୁଥିବା କାରା ଗାଁର ଗୋଟିଏ ସାଙ୍ଗକୁ ଫୋନ କରି ସ୍ତ୍ରୀ ଅସୁସ୍ଥତା ଯୋଗୁଁ ମୂର୍ଚ୍ଛା ହୋଇଯାଇଥିବା ଜଣାଇବା ସହ ଏବଂ ଆମ୍ବୁଲାନ୍ସ ଡାକିବାକୁ କହିଥିଲେ । କିନ୍ତୁ ପରେ ସେ ଆମ୍ବୁଲାନ୍ସ ତାଙ୍କୁ ନେଇନଥିବା ସାଙ୍ଗକୁ ଜଣାଇଥିଲେ । ଏହାଶୁଣି ସାଙ୍ଗ ଜଣଙ୍କ ସେଠାରେ ପହଞ୍ଚିବା ପରେ ଲିପିକାଙ୍କ ମୃତ୍ୟୁ ହୋଇଯାଇଥିବା ଦେଖିବାକୁ ପାଇଥିଲେ ଏବଂ ତାଙ୍କ ଗଳାରେ ଚିହ୍ନ ଥିବା ଦେଖିଥିଲେ ।