ୟିଓସୁ : ଏଠାରେ ଚାଲିଥିବା କୋରିଆ ଓପନ୍ରେ ଭାରତର ତାରକା ପୁରୁଷ ଯୋଡ଼ି ସାତ୍ତ୍ୱିକସାଇରାଜ୍ ରାଙ୍କିରେଡ୍ଡୀ-ଚିରାଗ୍ ଶେଟ୍ଟୀ ସେମାନଙ୍କ ବିଜୟ ଧାରା ଜାରି ରଖି ସେମିଫାଇନାଲ୍ରେ ପହଞ୍ଚିଛନ୍ତି । ଶୁକ୍ରବାର ବିଶ୍ୱର ଏହି ତୃତୀୟ ର୍ୟାଙ୍କ୍ର ଯୋଡ଼ି ଚମତ୍କାର ପ୍ରଦର୍ଶନ ପୂର୍ବକ ଜାପାନର ପଞ୍ଚମ ସିଡ୍ ଟାକୁରୋ ହୋକି-ୟୁଗୋ କୋବାୟାଶି ଯୋଡ଼ିକୁ ୨୧-୧୪, ୨୧-୧୭ରେ ପରାସ୍ତ କରି ଟାଇଟଲ୍ ନିକଟତର ହୋଇଛନ୍ତି । ଏହି ମ୍ୟାଚ୍ଟିକୁ ଶେଷ କରିବା ସକାଶେ ସାତ୍ତ୍ୱିକ-ଚିରାଗ୍ ଯୋଡ଼ି ମାତ୍ର ୪୦ ମିନିଟ୍ ସମୟ ନେଇଥିଲେ । ସେମିଫାଇନାଲ୍ରେ ସେମାନଙ୍କ ମୁକାବିଲା ଚୀନ୍ର ଦ୍ୱିତୀୟ ସିଡ୍ ଯୋଡ଼ି ତଥା ଡିଫେଣ୍ଡିଂ ଚାମ୍ପିଅନ୍ ୱେଇ କେଙ୍ଗ୍ ଲିଆଙ୍ଗ୍-ଚାଙ୍ଗ ୱାଙ୍ଗ୍ଙ୍କ ସହ ହେବ । ଏହି ପ୍ରତିଯୋଗିତାରୁ ତାରକା ମହିଳା ଶଟଲର୍ ପିଭି ସିନ୍ଧୁ, ପୁରୁଷ ଖେଳାଳି ଏଚ୍ଏସ୍ ପ୍ରଣୟ ଓ କିଦାମ୍ବୀ ଶ୍ରୀକାନ୍ତ ବେଶ୍ ସଅଳ ବିଦାୟ ନେଇଥିବା ବେଳେ ସାତ୍ତ୍ୱିକ-ଚିରାଗ୍ ଯୋଡ଼ି ଭାରତର ଚାଲେଞ୍ଜ୍ ଜାରି ରଖିଛନ୍ତି । ଏହି ଯୋଡ଼ି ଗତ ମାସରେ ଇଣ୍ଡୋନେସିଆ ଓପନ୍ ସୁପର୍ ସିରିଜ୍ ୧୦୦୦ ଟୁର୍ଣ୍ଣାମେଣ୍ଟ୍ରେ ଚାମ୍ପିଅନ୍ ହୋଇଥିବା ବେଳେ ଏଠାରେ ମଧ୍ୟ ସମାନ ଫର୍ମ କାଏମ ରଖିଛନ୍ତି।