ଭୁବନେଶ୍ୱର : ରକ୍ତକୁ ଛାଣି ଆମ ଶରୀରରେ ଥିବା ବର୍ଯ୍ୟବସ୍ତୁକୁ ମୁତ୍ର ଆକାରରେ ବାହାରକୁ ଛାଡ଼ିବା ହେଉଛି କିଡ୍ନିର ମୁଖ୍ୟ କାର୍ଯ୍ୟ । ତେଣୁ କିଡ୍ନି ବିନା ଆମ ଜୀବନ ଅସମ୍ଭବ। ବର୍ତ୍ତମାନର ଆଧୁନିକ ଜୀବନଶୈଳୀ ଏବଂ ଅନିୟନ୍ତ୍ରିତ ଖାଦ୍ୟପେୟ ଯୋଗୁଁ କିଡ୍ନି ଫେଲ୍ ହେବାର ଆଶଙ୍କା ରହିଛି । ଆସନ୍ତୁ କିଡ୍ନି ଫେଲ୍ୟୁଅର ହେବାର କାରଣ, ଲକ୍ଷଣ ଓ ଚିକିତ୍ସା ସଂପର୍କରେ ବିଶେଷ ଭାବେ ଜାଣିବା ।
କିଡ୍ନି ଫେଲ୍ୟୁଅରର କାରଣ
କିଡ୍ନି ଫେଲ୍ୟୁଅରର ପ୍ରଥମ କାରଣ ହେଲା ମଧୁମେହ । ଏମିତି ନୁହେଁ ଯେ, ଆଜି ଆପଣଙ୍କୁ ଡାଏବେଟିସ୍ ହେଲା ଓ କାଲି ଆପଣଙ୍କ କିଡ୍ନି ଖରାପ ହୋଇଯିବ । ଅଧିକ ଦିନ ଧରି ଡାଏବେଟିସ୍ ନିୟନ୍ତ୍ରଣରେ ନ ରହିଲେ, ତେବେ କିଡ୍ନି ଖରାପ ହୋଇପାରେ ।
ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରୋଲ ଓ ଟ୍ରାଇ ଗ୍ଲିସେରାଇଡ୍ ସ୍ତର ଲମ୍ବା ସମୟ ଧରି ବଢ଼ି ରହିଲେ ମଧ୍ୟ କିଡ୍ନି ଖରାପ ହୋଇପାରେ ।
ବାରମ୍ବାର ପରିସ୍ରା ସଂକ୍ରମଣ ସହ ଜ୍ଵର ହେଲେ କିଡ୍ନି ଖରାପ ହୋଇଥାଏ। ଛୋଟ ଛୋଟ ସ୍ଵାସ୍ଥ୍ୟ ସମସ୍ୟାରେ ପେନ୍କିଲର୍ ମେଡିସିନ୍ ଖାଇବା ଦ୍ୱାରା କିଡ୍ନି ଖରାପ ହୋଇପାରେ। ତେଣୁ ସବୁବେଳେ ଔଷଧକୁ ଡାକ୍ତରଙ୍କ ପରାମର୍ଶରେ ଖାଇବା ଦରକାର ।
କିଡ୍ନି ଫେଲ୍ୟୁଅରର ଲକ୍ଷଣ
ଦୁର୍ବଳ ଲାଗିବା, ମୁହଁ, ପାଦ ଫୁଲିଯିବା, ପରିସ୍ରା କମିଯିବା, ଅଳ୍ପ ଚାଲିଲେ ମଧ୍ୟ ଧଇଁସଇଁ ଲାଗିବା, ରକ୍ତହୀନତା ସମସ୍ୟା ହେବା
କିଡ୍ନି ଖରାପ ହୋଇଛି କି ନାହିଁ ଜାଣିବା ପାଇଁ ରକ୍ତ ପରୀକ୍ଷା କରି ୟୁରିଆ ଓ କ୍ରିଏଟିନ୍ ପରୀକ୍ଷା କରାଯାଏ ।
କିଡ୍ନି ଫେଲ୍ୟୁଅରର ଚିକିତ୍ସା
କିଡ୍ନି ଖରାପ ହୋଇଥିଲେ ଭଳୟ କରନ୍ତୁ ନାହିଁ । ଯାହାର କିଡ୍ନି ଅଳ୍ପ ଖରାପ ହୋଇଛି ବା ଯାହାକୁ କୌଣସି ପ୍ରକାର ଔଷଧ ଦରକାର ନାହିଁ, ସେମାନଙ୍କର ଯେଉଁ କାରଣ ଯୋଗୁଁ କିଡ୍ନି ଖରାପ ହୋଇଛି, ତାକୁ ନିୟନ୍ତ୍ରଣ କରିବା ଦରକାର ।
ଅନ୍ୟ କେତେକ ଲୋକଙ୍କର କିଡ୍ନି ଖରାପ ହେଲାଣି, ଯେଉଁମାନଙ୍କୁ ଔଷଧ ଖାଇବାର ଆବଶ୍ୟକତା ରହିଛି ।
ଆଉ କେତେକ ଲୋକଙ୍କର କିଡ୍ନି ଡାଏଲିସିସ୍ କରିବାକୁ ପଡ଼ିଥାଏ । ଡାଏଲିସିସ୍ ଦ୍ୱାରା ଆର୍ଟିଫିସିଆଲ ଭାବେ ରକ୍ତକୁ ଛଣାଯାଇଥାଏ। ରୋଗୀଙ୍କୁ ସପ୍ତାହରେ ଦୁଇରୁ ତିନିଥର ଡାଏଲିସିସ୍ କରିବାକୁ ପଡ଼ିଥାଏ ।
କିଡ୍ନି ଖରାପ ହେବାର ଚିକିତ୍ସା ହେଲା କିଡ୍ନି ଟ୍ରାନ୍ସପ୍ଲାଣ୍ଟେସନ୍ ବା କିଡ୍ନି ପ୍ରତିରୋପଣ। ଜଣେ ସୁସ୍ଥ ଲୋକଠାରୁ କିଡ୍ନି ଆଣି ରୋଗୀର ଦେହରେ ପ୍ରତିରୋପଣ କରିବାକୁ କିଡ୍ନି ଟ୍ରାନ୍ସପ୍ଲାଣ୍ଟେସନ କୁହାଯାଏ । ସାଧାରଣତଃ ୧୮ରୁ ୬୦ ବର୍ଷର କୌଣସି ସୁସ୍ଥ ବ୍ୟକ୍ତି କିଡ୍ନି ଦାନ କରିପାରିବେ, ଯାହାକୁ ଡାଏବେଟିସ୍ କିମ୍ବା ବ୍ଲଡ୍ ପ୍ରେସର ନଥିବ ବା ଅନ୍ୟ କୌଣସି ଜଟିଳ ରୋଗ ହୋଇନଥିବା। ତା’ ଛଡ଼ା ରୋଗୀର ବ୍ଲଡ୍ଗ୍ରୁପ୍ ସହିତ ସୁସ୍ଥ ବ୍ୟକ୍ତିଙ୍କ ବା ଦାତାଙ୍କ ବ୍ଲଡ୍ଗ୍ରୁପ୍ ମିଶୁଥିବ। କିଡ୍ନି ଦାନ କରୁଥିବା ବ୍ୟକ୍ତି ଜଣକ ଯଦି ଗୋଟିଏ କିଡ୍ନିରେ ସୁସ୍ଥ ଭାବେ ବଞ୍ଚିପାରିବେ, ତେବେ ଯାଇ ତାଙ୍କଠାରୁ କିଡ୍ନି ନେଇ ଟ୍ରାନ୍ସପ୍ଲାଣ୍ଟେସନ କଥା ଆଗକୁ ବଢ଼ିପାରିବ ।
କିଡ୍ନି ପ୍ରତିରୋପଣ କରିବାକୁ ପାଖାପାଖି ୪ ଘଣ୍ଟା ଲାଗିଥାଏ। କିଡ୍ନି ଦାତା ୪ରୁ ୫ ଦିନ ଭିତରେ ଚିକିତ୍ସାଳୟରୁ ଡିସ୍ଚାର୍ଜ ହୋଇପାରିବେ ।