କେନ୍ଦୁଝର – ଦିନକୁ ଦିନ ପରିବେଶ ପ୍ରଦୂଶୀତ ହେଇଚାଲିଛି । ଏହି ପରିବେଶ ପ୍ରଦୂଷଣ ଯୋଗୁଁ ଏହାର ପ୍ରଭାବ ସମ୍ପୂର୍ଣ୍ଣ ଜୀବଜଗତ ଉପରେ ପଡୁଛି । ଧୀରେ ଧୀରେ ଏହି ଅବକ୍ଷୟ ମୁଖୀ ପରିବେଶ ଅଶୁନ୍ତଳନ ଯୋଗୁଁ ବହୁ ବୃକ୍ଷ ରାଜି ନଷ୍ଟ ହୋଇଯାଉଥିବା ବେଳେ ପଶୁପକ୍ଷୀ ମଧ୍ୟ ବିଲୁପ୍ତ ହେବାକୁ ବସିଲେଣି । ଏହି ପଶୁ ପକ୍ଷୀ ମାନଙ୍କ ମଧ୍ୟରେ ବାଦୁଡି ଅନ୍ୟତମ ।ବାଦୁଡି ଏକ ସ୍ତନ୍ୟପ୍ରାଇ ପକ୍ଷୀ । ପୂର୍ବରୁ ବାଦୁଡି ସବୁ ଗାଁ ସହରର ବିଭିନ୍ନ ବଡ଼ ଗଛ, ଘର ମାନଙ୍କରେ ଦେଖିବାକୁ ମିଳୁଥିଲେ । କିନ୍ତୁ ଧୀରେ ଧୀରେ ଆଉ ଦେଖିବାକୁ ମିଳୁନାହାନ୍ତି । ପ୍ରଦୂଷିତ ପରିବେଶ ଏମାନଙ୍କ ବଂଶ ଲୋପ ପାଇବାକୁ ବସିଲାଣି । ଏହା ସହ ଅତ୍ୟଧିକ ଶିକାର ପାଇଁ ମଧ୍ୟ ଏମାନେ ବିଲୁପ୍ତ ଅବସ୍ଥାକୁ ଆସିଲେଣି । କିନ୍ତୁ ଏହି ବିଲୁପ୍ତ ପ୍ରାୟ ପ୍ରାଣୀ ପାଇଁ ରକ୍ଷକ ସାଜିଛନ୍ତି ଆଦିବାସୀ ଅଧ୍ୟୁଷିତ ବାଂଶପାଳ ବ୍ଲକର ତରମାକାନ୍ତ ଗ୍ରାମର ଗ୍ରାମବାସୀ । ଉକ୍ତ ଗ୍ରାମର ଗ୍ରାମ ଦେବତା ହେଉଛନ୍ତି କଣ୍ଡେଇବିରା । ଗ୍ରାମ ପ୍ରଥମରୁ ଥିବାଏହି କଣ୍ଢେଇବିରାଙ୍କୁ ଗ୍ରାମବାସୀ ବହୁ ବିଶ୍ୱାସ କରିଥାନ୍ତି । ଏହି କଣ୍ଢେଇବିରାଙ୍କ ଶାଳ ନିକଟରେ ବିରାଟ ବଟବୃକ୍ଷ ମାନ କାହିଁ କେଉଁ କାଳରୁ ରହିଅଛି । ଏହି ଶାଳ ମଧ୍ୟରେ ମଧ୍ୟ କେନ୍ଦୁଝରର ଆରାଧ୍ୟ ଦେବତା ମା ତାରିଣୀ ପୂଜା ପାଉଛନ୍ତି । ଏହି ଶାଳ ମଧ୍ୟରେ ଥିବା ବୃକ୍ଷ ମାନଙ୍କ ରେ ବାଦୁଡି ମାନେ ବସବାସ କରୁଛନ୍ତି । ଗ୍ରାମବାସୀଙ୍କ ବିଶ୍ୱାସ ଅନୁଯାଇ ଏହି ବାଦୁଡି ଗୁଡିକ ଗ୍ରାମ ଦେବତାଙ୍କ ଅଂଶବିଶେଷ । ଏହି ବାଦୁଡି ରହିବା ଫଳରେ ପ୍ରକୃତି ମଧ୍ୟ ସନ୍ତୁଳିତ ହେଉଛି । ବାଦୁଡି ମାନେ ଖାଦ୍ୟ ଖାଇ ମଳ ଦ୍ୱାରା ମଞ୍ଜି ଗୁଡିକ ଗ୍ରାମ ନିକଟରେ ପକାଉଥିବାରୁ ନୂତନ ବୃକ୍ଷ ସୃଷ୍ଟି କରିବାରେ ମଧ୍ୟ ଏହା ସହାୟକ ହେଇପାରୁଛି । ଗ୍ରାମବାସୀଙ୍କ ବିଶ୍ୱାସ ଅନୁଯାୟୀ ବନ୍ଧୁକ ଗୁଳି କି ତିର ଏହି ବାଦୁଡିଙ୍କୁ କିଛି କ୍ଷତି ପହଞ୍ଚାଇବା ପାରେନାହିଁ। ଗ୍ରାମଦେବତାଙ୍କ ବିଶ୍ୱାସ ସହ ଆବହମାନ କାଳରୁ ଏହି ବାଦୁଡି ଗୁଡିକୁ ସୁରକ୍ଷା ଯୋଗେଇ ଆସୁଛନ୍ତି ତରମାକାନ୍ତ ଗ୍ରାମବାସୀ । ଯେଉଁ ଗ୍ରାମବାସୀ କି ଗ୍ରାମ ବାହାର ଲୋକେ ଏହି ବାଦୁଡିଙ୍କୁ ଶିକାର କରିବାକୁ ଚେଷ୍ଟା କରିଥାନ୍ତି ତାଙ୍କଠାରୁ ପାଞ୍ଚ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥାଏ ।ଏହି ପକ୍ଷୀ ଙ୍କ ସୁରକ୍ଷା ପାଇଁ ଗ୍ରାମବାସୀ ଦୃଢ ସଂକଳ୍ପ କରି ଏହାକୁ ସୁରକ୍ଷା ଯୋଗାଇ ଆସୁଛନ୍ତି । ଏହି ବାଦୁଡି ପାଇଁ ପୂର୍ବରୁ ଗ୍ରାମ ମୁରବୀ ମାନେ ଗ୍ରାମ୍ୟ କମିଟି କରି ଏହାର ସୁରକ୍ଷା ଯୋଗାଇ ଆସୁଥିବା ବେଳେ ଏବେ ଯୁବଗୋଷ୍ଠୀ ମଧ୍ୟ ଆଗକୁ ଆସିଛନ୍ତି । ଗ୍ରାମର ଯୁବଗୋଷ୍ଠୀ ଏହି ବାଦୁଡିଙ୍କୁ ସୁରକ୍ଷା ଦେବା ସହ ଉକ୍ତ ଶାଳର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି । ଗ୍ରାମବାସୀ ଆଶା ରଖିଛନ୍ତି ଏହି ଶାଳର ଉନ୍ନତି ପାଇଁ ପ୍ରଶାସନ ମଧ୍ୟ କିଛି ସହଯୋଗ କରିପାରିଲେ ବାଦୁଡିଙ୍କ ସୁରକ୍ଷା ଦିଗରେ ସେମାନେ ଆହୁରି ଅଗ୍ରଗତି କରିପାରନ୍ତେ।
– ଅନିଲ ନନ୍ଦ ଙ୍କ ରିପୋର୍ଟ।