27.1 C
Bhubaneswar
Friday, March 29, 2024
Homeଓଡିଶା୫ ଆଦିବାସୀ ପରିବାର ରାସନରୁ ବଞ୍ଚିତ

୫ ଆଦିବାସୀ ପରିବାର ରାସନରୁ ବଞ୍ଚିତ

ଭଦ୍ରକ : ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ କେହିଜଣେ ଗରିବ, ଶ୍ରମିକ ଓ ନାମମାତ୍ର ଚାଷୀ ଏଥିରୁ ବାଦ୍ ପଡ଼ିବେ ନାହିଁ । ଏପରିକି ବାସଗୃହ ବା ସ୍ଥାୟୀ ବସବାସ ପ୍ରମାଣପତ୍ର ନଥିଲେ ମଧ୍ୟ ଜଣେ ବ୍ୟକ୍ତିକୁ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ କରାଯାଇପାରିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏତେ ସବୁ ନିୟମ ଓ ବ୍ୟବସ୍ଥା ଭିତରେ କେଉଁଭଳି ତଳସ୍ତରର ଲୋକଟିଏ ଯୋଜନାରୁ ବାଦ୍ ପଡୁଛି ତାହାର ଏକ ନିଚ୍ଛକ ଛବି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ । ବ୍ଲକ ଅଧୀନ ତେସିଙ୍ଗା ପଞ୍ଚାୟତ ନୁରୁପୁର ଆଦିବାସୀ ସାହିରେ ଖାଦ୍ୟ ସୁରକ୍ଷା ଆଇନରୁ ପାଞ୍ଚ ଗୋଟି ପରବାର ବାଦ୍ ପଡ଼ିଥିବା ଅଭିଯୋଗ ହୋଇଛି । ଉକ୍ତ ସାହିର ୧୫ ରୁ ୨୦ ଆଦିବାସୀ ପରିବାର ପ୍ରାୟ ୬୦ବର୍ଷ ହେବ ବସବାସ କରିଆସୁଛନ୍ତି । ସ୍ଥାୟୀ ବସବାସର ପ୍ରମାଣପତ୍ର ପାଇନଥିଲେ ସୁଦ୍ଧା ସେମାନେ ଏଠିକାର ଭୋଟ ଦେବାର ଅଧିକାର ସାବ୍ୟସ୍ତ କରିଛନ୍ତି । ହେଲେ ଆଜି ସୁଦ୍ଧା ରାସନକାର୍ଡ ଭଳି ଏକ ମୌଳିକ ଅଧିକାରରୁ ପାଞ୍ଚଗୋଟି ପରିବାରକୁ ବଞ୍ଚିତ କରାଯାଇଛି । ସମସ୍ତେ ଶ୍ରମିକ ଶ୍ରେଣୀର ହୋଇଥିବାବେଳେ ଦିନଟିଏ ମୂଲ ନ ଲାଗିଲେ ସେମାନଙ୍କ ଚୁଲି ଜଳେନାହିଁ । ତେଣୁ ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ଉକ୍ତ ପାଞ୍ଚଗୋଟି ପରିବାର ପାଇଁ ରାସନକାର୍ଡର ଗୁରୁତ୍ୱପୂର୍ଣ୍ଣ କେତେ । ଖାଦ୍ୟ ସୁରକ୍ଷା ଆଇନ୍‌ରୁ ବାଦ୍ ପଡ଼ିଥିବା ଜାନକୀ ହେମ୍ବ୍ରମ, ଗୀତା ମୁଣ୍ଡା, ଗଙ୍ଗା ମୁଣ୍ଡା, କୁନା ମୁଣ୍ଡା ଓ ମୁନା ମୁଣ୍ଡା ଏ ନେଇ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ । ହେଲେ ଦୀର୍ଘଦିନ ହେବ ପ୍ରଶାସନ ସବୁ ଜାଣି ମଧ୍ୟ ଏମାନଙ୍କ ନାମକୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିବା ପରିବର୍ତ୍ତେ ଥିଲାବାଲା ଲୋକଙ୍କୁ ଆଗ୍ରାଧିକାର ଦିଆଯାଉଥିବା ଅଭିଯୋଗ ହେଉଛି । କାର୍ଡ ପ୍ରସ୍ତୁତ କଲାବେଳେ ଦାୟିତ୍ୱରେ ଥିବା ସରକାରୀ ବାବୁମାନେ ନିଜ କର୍ତ୍ତବ୍ୟକୁ ଭୁଲିଯାଉଥିବା ଅଭିଯୋଗ କରିଛନ୍ତି । ଘଟଣା ସଂପର୍କରେ ବିଡିଓଙ୍କୁ ପଚାରିବାରୁ ସେ ଏବେ ଘଟଣା ଜାଣିଲେ ବୋଲି କହି ଯୋଗାଣ ନିରୀକ୍ଷକଙ୍କୁ କ୍ଷେତ୍ରପରିଦର୍ଶନ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking