କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ବାଟିପଡ଼ା ଗ୍ରାମର ଏକ ଆବଦ୍ଧ ଗୃହରୁ ଜଣେ ନାବାଳିକାଙ୍କ ସହ ଜଣେ ସ୍ଥାନୀୟ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ସମ୍ପୃକ୍ତ ୧୭ ବର୍ଷୀୟା ନାବାଳିକାଙ୍କୁ ଜଣେ ୨୦ ବର୍ଷର ଯୁବକ ବିବାହ ପାଇଁ ଆଣି ଏକ ଆବଦ୍ଧ ଘରେ ଲୁଚାଇ ରଖିଥିବା ନେଇ ଖବର ମିଳିବା ପରେ ଆଳି ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ(ସିଡିପିଓ) କଳ୍ପନା ଧଳ ଓ ଚାଇଲ୍ଡ ଲାଇନ୍ ସଂଯୋଜକ ରାକେଶ କୁମାର ବାରିକ ପୁଲିସ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ତେବେ ଏହି ବିହାର ବାସିନ୍ଦା ନାବାଳିକାଙ୍କ ପୂର୍ବରୁ ୩ ବର୍ଷର ଝିଅ ଓ ସ୍ୱାମୀ ରହିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଆଳି ଥାନା ଅନ୍ତର୍ଗତ ବାଟିପଡ଼ା ଗ୍ରାମର ମୃତ୍ୟୁଞ୍ଜୟ ସାହୁଙ୍କ ପୁଅ ରାକେଶ କୁମାର ସାହୁ ଜଗତପୁରସ୍ଥିତ ତାଙ୍କ ବାପାଙ୍କ ଶିଳ୍ପ ସଂସ୍ଥାରେ କାମ କରୁଥିବା ବିହାର ସମସ୍ତିପୁର ବାସିନ୍ଦା ଜନୈକ କର୍ମଚାରୀଙ୍କ ନାବାଳିକା ପତ୍ନୀଙ୍କ ସହ ପ୍ରେମ ସଂପର୍କ ଗଢି ଉଠିଥିଲା । ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଉଭୟ ଆଳିକୁ ପଳାଇ ଆସିବା ପରେ ଗୋଟିଏ ଘରେ ରହୁଥିଲେ । ତେବେ କରୋନା ଜନିତ ଲକ୍ଡାଉନ୍ ଓ ‘ୟାଶ’ ବାତ୍ୟା ଯୋଗୁଁ ବିବାହ କରିପାରିନଥିଲେ । ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଆଳି ବ୍ଲକ ସିଡିପିଓ କଳ୍ପନା ଧଳ ଆଳି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନାବାଳିକା ଓ ପ୍ରେମୀ ଯୁବକଙ୍କୁ ଉଦ୍ଧାର କରିଥିଲା ।
ଏନେଇ ସେମାନଙ୍କୁ ଜିଲ୍ଲା ସ୍ଥିତ ଶିଶୁ ମଙ୍ଗଳ ସମିତିିରେ ହାଜର କରାଯାଇଥିଲା । ପରେ ଉଭୟ ଯୁବକ ଓ ନାବାଳିକାଙ୍କ କରୋନା ପରୀକ୍ଷା କରାଯିବା ପରେ ଉଭୟଙ୍କ ନେଗେଟିଭ୍ ରିପୋର୍ଟ ଆସିବାରୁ ନାବାଳିକାଙ୍କୁ କୋରୁଆ ସ୍ଥିତ ପଲ୍ଲୀଶ୍ରୀ ମହିଳା ସମିତିରେ ରଖାଯାଇଥିଲା । ଡାକ୍ତରୀମାଇନା କରାଯିବା ପରେ ଉଭୟଙ୍କୁ ଜେଜେବି କୋର୍ଟରେ ହାଜର କରାଯାଇ ସିଆରପିସିର ୧୬୪ ଧାରାରେ ବୟାନ ରେକର୍ଡ କରାଯିବ ବୋଲି ଶିଶୁ ମଙ୍ଗଳ ସମିତି ସଦସ୍ୟା ସ୍ମିତାଞ୍ଜଳି ମହାପାତ୍ର ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଆଳି ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ଧଳଙ୍କ ଅଭିଯୋଗକୁ ଭିତ୍ତି କରି ଆଳି ଥାନାରେ ଏକ ମାମଲା ରୁଜୁ ହୋଇଛି ।