ନୂଆଦିଲ୍ଲୀ: କାଶ୍ମୀର’ର ନାମ ପରିବର୍ତ୍ତନ କରିବା ଦିଗରେ କେନ୍ଦ୍ର ସରକାର ବୋଧହୁଏ ଚିନ୍ତା କରୁଛନ୍ତି। ଏପରି ହେଲେ କାଶ୍ମୀର’ର ନୂଆ ନାମ ଋଷି ‘କଶ୍ୟପ’ଙ୍କ ନାମରେ ଅର୍ଥାତ୍ କଶ୍ୟପ ଭାବେ କରାଯିବାର ସମ୍ଭାବନା ଯଥେଷ୍ଟ ଅଧିକ। ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏସମ୍ପର୍କରେ ସାମାନ୍ୟ ଇଙ୍ଗିତ ମଧ୍ୟ କରିଛନ୍ତି। ‘ଜମ୍ମୁ ଆଣ୍ଡ୍ କାଶ୍ମୀର ଥ୍ରୁ ଦି ଏଜେସ୍’ ନାମକ ଏକ ପୁସ୍ତକ ଉନ୍ମୋଚନ ପରିପ୍ରେକ୍ଷୀରେ ଶାହ କହିଛନ୍ତି, ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ସିଲ୍କ ରୁଟ ଏବଂ ହେମିଶ ମଠରୁ ଏହା ପ୍ରମାଣିତ ହେଉଛି ଯେ କାଶ୍ମୀରରେ ହିଁ ଭାରତୀୟ ସଂସ୍କୃତିର ମୂଳଦୁଆ ପକାଯାଇଥିଲା। କାଶ୍ମୀରରେ ସୁଫି, ବୌଦ୍ଧ ଆଦି ମଠଗୁଡ଼ିକ ଭଲ ଭାବେ ବିକଶିତ ହୋଇଥିଲା।
ସୁତରାଂ କାଶ୍ମୀରକୁ କାଶ୍ୟପ ଭାବେ ନାମିତ କରାଯିବାରେ କୌଣସି ସମସ୍ୟା ନାହିଁ। ଶାହ କହିଛନ୍ତି, ପୁସ୍ତକ ମାଧ୍ୟମରେ କାଶ୍ମୀରର ଇତିହାସକୁ ପ୍ରତିଷ୍ଠା କରିବାକୁ ଚେଷ୍ଟା କରାଯାଇଛି। ଗୋଟିଏ ସ୍ଥାନରେ କାଶ୍ମୀରର ଇତିହାସକୁ ଏହି ପୁସ୍ତକରେ ପ୍ରମାଣ ସହ ଇତିହାସକୁ କୁହାଯାଇଛି। ଭାରତ ହେଉଛି ଏକମାତ୍ର ଦେଶ ଯାହାର ସୀମା ସାଂସ୍କୃତିକ ପରମ୍ପରା ଉପରେ ଆଧାରିତ, ସେଥିଲାଗି କାଶ୍ମୀରରୁ କନ୍ୟାକୁମାରୀ ଯାଏ ଭାରତ ଏକ। ଆମ ଦେଶକୁ ଭାଙ୍ଗୁଥିବା ତଥ୍ୟକୁ ବୁଝିବାକୁ ହେବ, କାରଣ ଏହାକୁ ବିକୃତ କରାଯାଇଛି। ଏହି ପୁସ୍ତକରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ ଭାରତର କୋଣ ଅନୁକୋଣରେ ସଂସ୍କୃତିର ଅଂଶ ବିଛାଡ଼ି ହୋଇ ରହିଛି, ସେମାନଙ୍କ ମଧ୍ୟରୁ ଅନେକ କିଛି କାଶ୍ମୀରରୁ ଆସିଛି ବୋଲି ସେ କହିଛନ୍ତି।
ଗୃହମନ୍ତ୍ରୀଙ୍କ କହିବାନୁସାରେ କାଶ୍ମୀରୀ, ଡୋଗ୍ରୀ, ବାଲ୍ଟି ଏବଂ ଝାନ୍ସ୍କରୀ ଭାଷାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଜମ୍ମୁ କାଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଠନ କରାଯିବା ପରେ କାଶ୍ମୀରର ଛୋଟ ସ୍ଥାନୀୟ ଭାଷା ମଧ୍ୟ ଜୀବନ୍ତ ରଖିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରିଥିଲେ। ଧାରା ୩୭୦ ଏବଂ ୩୫-ଏ ଦେଶକୁ ଏକଜୁଟ କରିବା ଲାଗି ବ୍ୟବସ୍ଥା ଅଟେ। ଏହି ଧାରାଗୁଡ଼ିକ ଲାଗି ସମ୍ବିଧାନ ସଭାରେ କୌଣସି ସଂଖ୍ୟାଗରିଷ୍ଠତା ନ ଥିଲା। ସେଥିଲାଗି ସେହି ସମୟରେ ଏହାକୁ ଅସ୍ଥାୟୀ କରାଯାଇଥିଲା, କିନ୍ତୁ ସ୍ୱାଧୀନତା ପରେ ମୋଦୀ ସରକାର ଏହି ଅବହେଳିତ ଅଧ୍ୟାୟକୁ ହଟାଇ ବିକାଶର ରାସ୍ତା ଖୋଲିଛନ୍ତି। ଧାରା ୩୭୦ କଶ୍ମୀର ଯୁବକମାନଙ୍କ ମଧ୍ୟରେ ବିଚ୍ଛିନ୍ନତାର ମଞ୍ଜି ବୁଣିଛି। ଧାରା ୩୭୦ ଭାରତ ଏବଂ କଶ୍ମୀର ମଧ୍ୟରେ ଥିବା ବନ୍ଧନକୁ ଭାଙ୍ଗି ଦେଇଥିଲା, ଫଳରେ ଘାଟିରେ ଆତଙ୍କବାଦ ବୃଦ୍ଧି ପାଇଥିଲା। ଏବେ ଏହା ହଟାଯିବା ପରେ ଆତଙ୍କ ହ୍ରାସ ପାଇଛି।