29.1 C
Bhubaneswar
Tuesday, November 26, 2024
Homeଓଡିଶାକାଶୀପୁର ହଇଜା ମୃତ୍ୟୁ ୯ରେ ପହଞ୍ଚିଲା

କାଶୀପୁର ହଇଜା ମୃତ୍ୟୁ ୯ରେ ପହଞ୍ଚିଲା

ରାୟଗଡ଼ା: ହଇଜାକୁ ନେଇ କାଶୀପୁର ବ୍ଲକରେ ଆତଙ୍କ ବଢୁଛି । ଶନିବାର ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଡେଙ୍ଗାଗୁଡ଼ା ଗାଁର ଅର୍ଜୁନ ମାଝୀ (୫୦) । ତାଙ୍କୁ ମିଶାଇ ଏ ଭିତରେ କାଶୀପୁରରେ ହଇଜା ମୃତ୍ୟୁସଂଖ୍ୟା ୯ରେ ପହଞ୍ଚିଛି । ଅର୍ଜୁନ ତିନି ଦିନ ତଳେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଟିକିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଶୁକ୍ରବାର ସୁସ୍ଥ ହୋଇ ଘରକୁ ଫେରିଥିଲେ । ରାତିରେ ପୁଣିଥରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ ଏବଂ ଆଜି ଭୋର୍‌ରେ ତାଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପକ୍ଷରେ ଦିନକୁ ଦିନ ହଇଜା ସ୍ଥିତି ଗମ୍ଭୀର ହେଉଥିବା ଦେଖି ବିଭାଗୀୟ ଅଧିକାରୀମାନଙ୍କ ଏଠାକୁ ସୁଅ ଛୁଟୁଛି । ଶନିବାର ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଏବଂ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା । ଉଭୟ ମନ୍ତ୍ରୀ ହଇଜା ପ୍ରଭାବିତ ଟିକିରି ଓ ଦୁଡୁକାବାହାଲ ଗାଁରେ ମୃତ ଓ ଆକ୍ରାନ୍ତଙ୍କ ପରିବାରକୁ ଭେଟିଛନ୍ତି । ଡାକ୍ତରଖାନାରେ ରୋଗୀଙ୍କୁ ଭେଟି ଚିକିତ୍ସା ସୁବିଧା ସଂପର୍କରେ ପଚାରି ବୁଝିଛନ୍ତିି । ଆକ୍ରାନ୍ତମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଉଭୟ ମନ୍ତ୍ରୀ ଆଜି ଉଷାପଡା, ନୂଆପଡା, ଟିକିରି ମେଡିକାଲରେ ପହଞ୍ଚି ରୋଗୀଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲାପାଳ ସ୍ୱଧା ଦେବସିଂ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର, ସିଡିଏମ୍‌ଓ ଡାକ୍ତର ଲାଲମୋହନ ରାଉତରାୟ, ଡିପିଏମ ରାଜେଶ୍ୱର ପଟ୍ଟନାୟକଙ୍କଠାରୁ ବର୍ତ୍ତମାନର ସ୍ଥିତି ବୁଝିବା ସହ ଉଚିତ ସେବା ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଗାଁରେ କିଭଳି ଝାଡ଼ାବାନ୍ତି ବ୍ୟାପିଲା, ସେ ସଂପର୍କରେ ବିଧାୟକ ମକରନ୍ଦ ମୁଦୁଲି ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ ମନ୍ତ୍ରୀମାନଙ୍କୁ ସୂଚନା ଦେଇଥିଲେ ।

ଏହି ଅବସରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଥିଲେ, ସ୍ୱାସ୍ଥ୍ୟ ସେବାରେ ପରିବର୍ତ୍ତନ ଆଣିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ହଇଜା ବ୍ୟାପିଥିବା ଅଞ୍ଚଳରେ ଲୋକଙ୍କୁ ତ୍ୱରିତ ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କାଶୀପୁର ବ୍ଲକର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବି ପୂରଣ ପାଇଁ ଉଦ୍ୟମ ଚାଲିଛି । ଉତ୍କଳ ଆଲୁମିନା କାରଖାନା ଦ୍ୱାରା ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ ଆରମ୍ଭ କରିବା ଲାଗି ନିର୍ଦ୍ଦେଶ ଦିଆଯିବ । ଟିକିରିରେ ନିର୍ମାଣାଧୀନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକେ ନିଜଆଡୁ ସଚେତନ ହେଲେ ସ୍ଥିତି ନିୟନ୍ତ୍ରଣକୁ ଆସିଯିବ ବୋଲି ସେ କହିଛନ୍ତି । ମନ୍ତ୍ରୀ ଶ୍ରୀ ସାରକା କହିଥିଲେ ଯେ ଯେଉଁ ଦୂଷିତ ପାଣି ଲାଗି ହଇଜା ବ୍ୟାପିଛି, ଆଗାମୀ ଦିନରେ ସେଥିରେ ପରିବର୍ତ୍ତନ ଅଣାଯିବ । ଲୋକଙ୍କୁ ସ୍ୱଚ୍ଛ ଜଳ ଯୋଗାଣ କାମ ଆରମ୍ଭ ହୋଇଛି । ଉଭୟ ମନ୍ତ୍ରୀଙ୍କୁ ଟିକିରି ଓ ଦୁଡୁକାବାହାଲରେ ସ୍ଥାନୀୟ ଲୋକେ ସେମାନଙ୍କ ସମସ୍ୟା ଜଣାଇଥିଲେ । ସୂଚନାଥାଉକି, ଏବେବି ବିଭିନ୍ନ ମେଡିକାଲରେ ୬୩ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଟିମ ଶନିବାର ପ୍ରାୟ ୪୦ ଜଣଙ୍କ ଚିକିତ୍ସା କରିଛି । ୮ ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଟିମ ପ୍ରତ୍ୟେକ ପ୍ରଭାବିତ ଗାଁକୁ ଯାଇ ଲୋକଙ୍କ ପରୀକ୍ଷା କରିବା ସହ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking