26.1 C
Bhubaneswar
Friday, September 20, 2024
Homeଦେଶ ବିଦେଶକର୍ଣ୍ଣାଟକରେ ତୁଟିଲା ମୁଖ୍ୟମନ୍ତ୍ରୀ ବିବାଦ; ସିଦ୍ଧରମେୟାଙ୍କ ମୁଣ୍ଡରେ ସୁନାକଳସ

କର୍ଣ୍ଣାଟକରେ ତୁଟିଲା ମୁଖ୍ୟମନ୍ତ୍ରୀ ବିବାଦ; ସିଦ୍ଧରମେୟାଙ୍କ ମୁଣ୍ଡରେ ସୁନାକଳସ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ମନୋନୟନ ପ୍ରସଙ୍ଗକୁ ନେଇ ବିଗତ ଚାରିଦିନ ଧରି ଚାଲିଥିବା ନାଟକର ଯବନିକା ପଡିଛି । କଂଗ୍ରେସ ହାଇକମାଣ୍ଡଙ୍କ ଘନ ଘନ ଆଲୋଚନା ପର୍ଯ୍ୟାଲୋଚନା ପରେ ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ଦୌଡରେ ବିଜୟୀ ହୋଇଛନ୍ତି । ଅପରପକ୍ଷରେ ଏହି ପ୍ରକ୍ରିୟାରେ ମୁଖ୍ୟ ପ୍ରତିବନ୍ଧକ ସାଜିଥିବା ରାଜ୍ୟ ପିସିସି ସଭାପତି ଡି.କେ.ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ହେବାକୁ ପଡିଛି ।

ବିବାଦର ପରିସମାପ୍ତି ପରେ ଉଭୟ ସିଦ୍ଧରମେୟା ଓ ଶିବକୁମାର ଗୁରୁବାର ବେଙ୍ଗାଲୁରୁ ଫେରିଆସିଥିବାବେଳେ ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା । ସିଦ୍ଧରମେୟାଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରିବାକୁ ଶିବକୁମାର ପ୍ରସ୍ତାବ ଆଗତ କରିଥିବାବେଳେ ଅନ୍ୟ ବିଧାୟକମାନେ ଏହାକୁ ସମର୍ଥନ କରିଥିଲେ । କର୍ଣ୍ଣାଟକ ଦାୟିତ୍ୱ ସମ୍ଭାଳୁଥିବା କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସୁର୍ଯ୍ୟେୱାଲା ଗୁରୁବାର ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ହାଇକମାଣ୍ଡଙ୍କ ନିଷ୍ପତ୍ତି ଅନୁଯାୟୀ ସିଦ୍ଧରମେୟା କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ ହୋଇଥିବାବେଳେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ମନୋନୀତ ହୋଇଛନ୍ତି । ବୈଠକ ପରେ ସିଦ୍ଧରମେୟା ଓ ଶିବକୁମାର କଂଗ୍ରେସ ପ୍ରତିନିଧିମଣ୍ଡଳ ସହ କର୍ଣ୍ଣାଟକ ରାଜ୍ୟପାଳ ତହ୍ୱରଚାନ୍ଦ ଗେହଲଟ୍‌ଙ୍କୁ ଭେଟି ସରକାର ଗଠନ ଦାବି ଉପସ୍ଥାପନ କରିଛନ୍ତି ।

ରାଜ୍ୟପାଳ ସେମାନଙ୍କ ଦାବି ଗ୍ରହଣ କରିଥିବାବେଳେ ଆସନ୍ତା ୨୦ରେ ଅନ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଭାବେ ସିଦ୍ଧରମେୟା ଏବଂ ଉପମୁଖ୍ୟମନ୍ତ୍ରୀଭାବେ ଶିବକୁମାରଙ୍କୁ ଶପଥ ନେବାକୁ ଆମନ୍ତ୍ରଣ କରିଛନ୍ତି । ୭୬ ବର୍ଷୀୟ ସିଦ୍ଧରମେୟା ୧୯୮୩ରେ ଭାରତୀୟ ଲୋକଦଳ ପ୍ରାର୍ଥୀଭାବେ ମହୀଶୂରର ଚାମୁଣ୍ଡେଶ୍ୱରୀ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଜନତା ପାର୍ଟିରେ ଯୋଗଦେଇ ୧୯୮୫ରେ ପୁଣି ବିଧାୟକ ନିର୍ବାଚିତ ହୋଇଥିଲେ ଏବଂ ରାମକୃଷ୍ଣ ହେଗ୍‌ଡେଙ୍କ କ୍ୟାବିନେଟରେ ମନ୍ତ୍ରିପଦ ପାଇଥିଲେ । ୧୯୯୬ ମେ’ ୧୬ରୁ ୧୯୯୯ ପର୍ଯ୍ୟନ୍ତ ସେ ଉପମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ଜନତା ପାର୍ଟିର ବିଭାଜନ ପରେ ସେ ଏଚ.ଡି.ଦେବେଗୌଡାଙ୍କ ଜେଡିଏସ୍ (ଜନତା ଦଳ-ସେକୁଲାର)ରେ ଯୋଗଦେଇଥିଲେ ।

୨୦୦୫ରେ ଦେବେଗୌଡାଙ୍କ ସହ ମତାନ୍ତର ପରେ ସେ ଜେଡିଏସ୍ ଛାଡିଥିବାବେଳେ କଂଗ୍ରେସରେ ଯୋଗଦେଇଥିଲେ । ଧରମ ସିଂହଙ୍କ କ୍ୟାବିନେଟ୍‌ରେ ସେ ୨୦୦୪ ମେ’ ୨୮ରୁ ୨୦୦୫ ଅଗଷ୍ଟ ୫ ପର୍ଯ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ୨୦୧୩ ବିଧାନସଭା ନିର୍ବାଚନରେ କଂଗ୍ରେସ ବିପୁଳ ବିଜୟ ହାସଲ କରିବାପରେ ସିଦ୍ଧରମେୟା ୨୦୧୩ ମେ’ ୧୩ରୁ ୨୦୧୮ ମେ’ ୧୭ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଥିଲେ । ଅପରପକ୍ଷରେ ୬୧ ବର୍ଷୀୟ ଶିବକୁମାର କଂଗ୍ରେସ ପ୍ରାର୍ଥୀଭାବେ ୧୯୮୯ରେ ପ୍ରଥମ ଥର ବିଧାୟକ ନିର୍ବାଚିତ ହୋଇଥିଲେ । ସେ ଆଠଥର ବିଧାୟକ ନିର୍ବାଚିତ ହୋଇଥିବାବେଳେ ୨୦୨୦ ଜୁଲାଇ ୨ରୁ ରାଜ୍ୟ ପିସିସି ସଭାପତି ଦାୟିତ୍ୱ ତୁଲାଇ ଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking